ଦଳ-ବଦଳକାରୀଙ୍କ ମିଥ୍ୟା ଚାଲ୍ ଦେବନାହିଁ ସୁଫଳ : ରାଘବ ଚଢା ଏବେ ହରଡ଼ ଘଣାରେ

May 2, 2026 - 12:14
 0  2
ଦଳ-ବଦଳକାରୀଙ୍କ ମିଥ୍ୟା ଚାଲ୍ ଦେବନାହିଁ ସୁଫଳ : ରାଘବ ଚଢା ଏବେ ହରଡ଼ ଘଣାରେ

ଆଜିକାଲି ଭାରତୀୟ ରାଜନୀତିରେ ମୋଦୀ-ଶାହଙ୍କ ଯୋଡ଼ି ଦେଖାଉଛନ୍ତି 'ସାମ, ଦାନ, ଭେଦ, ଦଣ୍ଡ'ର ଏକ ନୂଆ ରୂପ ଯାହାକି ଜଣେ ଆଇନ ଛାତ୍ର ପାଇଁ ଏହା କେବଳ ରାଜନୈତିକ ଶବ୍ଦ ନୁହେଁ, ବରଂ 'ଭୟ' ଏବଂ 'ଲୋଭ'ର ଏକ ସୁଚିନ୍ତିତ ଚକ୍ରବ୍ୟୁହ।
ଭୟ ଓ ଲୋଭର ଖେଳ:
ସବୁଠୁ ବଡ଼ ଭୟ ହେଉଛି ପିଏମଏଲଏ ବା ମନି ଲଣ୍ଡରିଂ ରୋକିବାର ଏକ କଠୋର ଆଇନ। ଏହାର ଧାରା ୪୫ ଅନୁସାରେ ଜାମିନ ମିଳିବା ପ୍ରାୟ ଅସମ୍ଭବ। ତେଣୁ ଜେଲ୍‌ରେ ରହିବା ହିଁ ଏକ ପ୍ରକାର ଦଣ୍ଡ ପାଲଟିଯାଏ। ଏହି ଭୟରେ ବଡ଼ ବଡ଼ ନେତାମାନେ ନରମି ଯାଆନ୍ତି। ତା’ପରେ ଆସେ ‘ପ୍ରଚଣ୍ଡ ପ୍ରଲୋଭନ' ବା 'ୱାଶିଂ ମେସିନ' ଅଫର୍। ଶାସକ ଦଳରେ ମିଶିଗଲେ ସବୁ ଅପରାଧିକ ମାମଲା ବନ୍ଦ କରାଇଦେବା ସହ ବଡ଼ ପଦପଦବୀର ପ୍ରତିଶ୍ରୁତି ମଧ୍ୟ ଦେଇ ଦିଆଯାଏ ।
ରାଘବ ଚଢ଼ା ଓ ବିଶ୍ୱାସଘାତକତା:
ଆମ୍ ଆଦମୀ ପାର୍ଟି ରାଘବ ଚଢ଼ାଙ୍କୁ ନିବିଡ଼ ଭାବରେ ଆପଣେଇ ନେଇ ନିଜ ଦଳର ସର୍ବୋଚ୍ଚ ଶ୍ରେଣୀର ବଡ଼ ଚେହେରା ଭାବେ ଗଢ଼ିଥିଲା lକିନ୍ତୁ ଅତି ଘଡ଼ିସନ୍ଧି ମୁହୂର୍ତ୍ତରେ ଧୋକା ଦେଇ ଦଳକୁ ପରିତ୍ୟାଗ କରି ଚିରଶତ୍ରୁ ବିଜେପିରେ ମିଶିଯିବା ଭଳି ବିଶ୍ୱାସଘାତୀ କାମ ପାଇଁ ସାଧାରଣ ଲୋକ ମଧ୍ୟ ଆଜି ରାଘବଙ୍କୁ ରୋମୀୟ 'ଜୁଡାସ' ଭଳି ମାରାତ୍ମକ ଧୋକାବାଜ ସହିତ ତୁଳନା କରୁଛନ୍ତି। ଆଇନ ଦୃଷ୍ଟିରୁ ମଧ୍ୟ ଏହା 'ସାମ୍ବିଧାନିକ ନୈତିକତା'ର ଉଲ୍ଲଂଘନ। ଯେଉଁ ଦଳର ସମ୍ବଳ ବ୍ୟବହାର କରି ରାଘବ ନିଜର ବିଶାଳ ପରିଚୟ ହାସଲ କଲେ, ସେହି ଦଳକୁ ଧୋକା ଦେବା ଭୋଟରଙ୍କ ସହ ବିଶ୍ୱାସଘାତକତା ବୋଲି ଏବେ ଚର୍ଚ୍ଚା ହେଉଛି ସର୍ବତ୍ର । ଖୁବ କମ ଦିନରେ ଆପ ଦଳ ରାଘବଙ୍କୁ ଏକ ରାଷ୍ଟ୍ରନାୟକ ଯୁବକରେ ପରିଣତ କରିଥିଲା l ପଞ୍ଜାବ ସରକାରଙ୍କର ମୁଖ୍ୟ ଉପଦେଷ୍ଟାତ ନୁହେଁ, ସର୍ବେସର୍ବା ହିଁ ହୋଇ ଯାଇଥିଲେ ରାଘବ l ଯୁବ ସମାଜ ତାଙ୍କୁ ଦେଖୁ ଥିଲା ଏକ ଅନନ୍ୟ ଆଦର୍ଶ ଭାବରେ l ସିଏ ଯେଉଁଠି ଯାହା କହୁଥିଲେ, ସାଧାରଣ ଲୋକେ କାନଦେଇ ଶୁଣିବା ସହ ତାଙ୍କର ପ୍ରତ୍ୟେକ ବାକ୍ୟକୁ ଗୁରୁ ବଚନ ମଣିବା ସହ, ଯେ କୌଣସି ଉପଦେଶକୁ ମାନୁଥିଲେ ଅକ୍ଷରେ ଅକ୍ଷରେ l ସାମାଜିକ ଗଣ ମାଧ୍ୟମରେ ସିଏ ହୋଇ ଯାଇଥିଲେ ଏକ ଚହଳସୃଷ୍ଟିକାରୀ ମହାନାୟକ l ପ୍ରତ୍ୟେକ ମୁହୂର୍ତ୍ତରେ ଗର୍ଜନ କରି କହୁଥିଲେ, “ବିଜେପି ଖଣ୍ଟ, ଗୁଣ୍ଡାଙ୍କ ଦଳ ଯାହାର ନାହିଁ କୌଣସି ମାନବୀୟ ନୀତି ବା ଆଦର୍ଶ l ଆହୁରି ମଧ୍ୟ ଚିତ୍କାର କରୁଥିଲେ ଯେ ଏମିତି କୌଣସି ମାତ୍ରାର ଅର୍ଥ ନାହିଁ ଯାହା କିଣି ପାରିବ ରାଘବ ଚଢାକୁ l ଆଜି ସେଇ ବ୍ୟକ୍ତିଟି ବିଜେପିରେ ମିଶି ପ୍ରଶଂସା ଗୀତ ଗାଉଛି ମୋଦୀ ଶାହାଙ୍କର l
ଆଇନର ଗଳାବାଟ ଦଶମ ଅନୁସୂଚୀ:
ରାଘବ ଚଢ଼ା ଆପ ଛାଡ଼ି ନାହାନ୍ତି ଏକା l ନିଜ ସହ ଭୂତେଇ ନେଇ ଯାଇଛନ୍ତି ଅନ୍ୟ ଛଅ ଜଣ ସାଂସଦଙ୍କୁ l ସାରା ଦେଶ ଆଜି ସ୍ତବ୍ଧ ଯେ ଏଭଳି ଵି ଧୋକା ଦେଇ ପାରନ୍ତି ଜଣେ ଅତି ଉପକୃତ ହୋଇଥିବା ଯୁବକ l ଉପକାର କରିଥିବା ଦଳ ଆଜି ତାଙ୍କ ପାଇଁ ହୋଇ ଯାଇଛି ନୀତିହୀନ ଓ ଦିଶାହୀନ I
ଗୃହରେ ନିଜ ପଦ ନହରାଇ ଦଳ ବଦଳାଇବା ବେଆଇନ : 
ସମ୍ବିଧାନର ଦଶମ ଅନୁସୂଚୀ ଅନୁସାରେ, ଯଦି କେବଳ ଏକ-ତୃତୀୟାଂଶ (୨/୩) ସଦସ୍ୟ ଏକାଠି ହୋଇ ଅନ୍ୟ ଦଳରେ ମିଶନ୍ତି, ତେବେ ଗୃହରେ ସେମାନଙ୍କ ସଦସ୍ୟତା କାଏମ ରୁହେ ବୋଲି ସାଧାରଣ ଲୋକଙ୍କର ବିଶ୍ୱାସ ରହିଛି । କିନ୍ତୁ ଅସଲ କଥାଟି ହେଉଛି ଯେ ସଦସ୍ୟତା କାଏମ ରଖିବା ପାଇଁ ଏକ ବଡ଼ ଅକାଟ୍ୟ ସର୍ତ୍ତ ଅଛି : ଦଳବଦଳ ପାଇଁ ମୂଳ ରାଜନୈତିକ ଦଳଟି ମଧ୍ୟ ଅନ୍ୟ ଦଳ ସହ ମିଶିବା ଦରକାର। ନଚେତ ସଦସ୍ୟତା ବାତିଲ ହେବାର ନିୟମ ରହିଛି l କିନ୍ତୁ ବାଚସ୍ପତି ବା ଗୃହର ଅଧ୍ୟକ୍ଷମାନେ ପ୍ରାୟତଃ ଶାସକ ଦଳର ହୋଇଥିବାରୁ, ସେମାନେ କେବଳ ଆବଶ୍ୟକ ସଂଖ୍ୟାଟିକୁ ଦେଖି ହିଁ 'ମିଶ୍ରଣ'କୁ ଗ୍ରହଣୀୟ ବୋଲି ମାନି ନେଇ ସେକଥା ଘୋଷଣା ମଧ୍ୟ କରି ଦେଇଥାନ୍ତି । ଯଦିବା କେହି ଏଭଳି ତୃଟିପୂର୍ଣ ସ୍ଥିତିକୁ ବେଆଇନ ଦର୍ଶାଇ ଅଦାଲତରେ ମାମଲା ଦାଏର କରେ, ତେବେ ଵି ଫଇସଲା ପାଇଁ ବହୁ ବର୍ଷ ଲାଗି ଯାଉଥିବାରୁ, ସେହି ସମୟ ମଧ୍ୟରେ ଏହି ନେତାମାନେ କ୍ଷମତାର ମଜା ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରି ସାରି ଥାଆନ୍ତି । ଆମ ଆଦମୀ ପାର୍ଟିର ୧୦ ସାଂସଦଙ୍କ ମଧ୍ୟରୁ ୭ ଜଣ (୭୦%) ସାଂସଦ ଏକାଠି ହୋଇଯାଇ ଥିବାରୁ ସେମାନେ ଵି ଅନ୍ୟ ମାନଙ୍କୁ ବୋକା ଭାବି ନିଜକୁ ପୁରାପୁରି ସୁରକ୍ଷିତ ବୋଲି ମନେ କରୁଛନ୍ତି, କାରଣ ଗୃହମୁଖ୍ୟ ସେମାନଙ୍କୁ ଗୃହର ବିଧିବଦ୍ଧ ସଦସ୍ୟ ଭାବରେ ଅଭିହିତ କଲେ ବୋଲି ଜାରି କରି ସାରିଲେଣି ବିଜ୍ଞପ୍ତି ।
ଅଦାଲତଙ୍କର କଡ଼ା ଆଭିମୁଖ୍ୟ:
ଦୁର୍ଭାଗ୍ୟବଶତଃ ଗୋଆ ଖଣ୍ଡପିଠ ଭଳି ବମ୍ବେ ଉଚ୍ଚ ନ୍ୟାୟାଳୟ କେବଳ ସାଂସଦଙ୍କ ସଂଖ୍ୟାକୁ ଗୁରୁତ୍ୱ ଦେଇ ତୃଟିପୂର୍ଣ୍ଣ ଦଳବଦଳକୁ ଅନୁମୋଦିତ କରି ଦେଇଥିଲେ । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ‘ସୁଭାଷ ଦେଶାଇ ମାମଲାରେ ସ୍ପଷ୍ଟ କରିଛନ୍ତି ଯେ, କେବଳ ବିଧାୟକ ବା ସାଂସଦ ମିଶିଗଲେ ଦଳବଦଳ ଆଦୌ କାଏମ ରହି ପାରିବ ନାହିଁ l ମୂଳ ଦଳ ବା ସଂଗଠନ  ମଧ୍ୟ ନୂଆ ଦଳରେ ମିଶିଥିବା ଦରକାର। ତେଣୁ ଆପ ସାଂସଦମାନଙ୍କର ଏହି ପଦକ୍ଷେପ ଆଇନତଃ 'ମିଶ୍ରଣ' ନୁହେଁ, ବରଂ ବେଆଇନ 'ସମୂହ ଦଳବଦଳ'। ଲୋକମାନଙ୍କ ଆଖିରେ ରାଘବ ଏତେ ତଳକୁ ଖସି ଯାଇଛନ୍ତି ଯେ ‘ଇନଷ୍ଟାଗ୍ରାମ’ ଭଳି ଲୋକପ୍ରିୟ ସାମାଜିକ ମଞ୍ଚରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଦିନକ ଭିତରେ ଖସିଯାଇଛି ୨୬ ଲକ୍ଷ ସଂଖ୍ୟାରେ l ଆଜି ଦିନରେ କେତେ ତାହା କେତେ ନିମ୍ନଗାମୀ ହୋଇ ଯାଇଥିବ ତାହା ସହଜରେ ଅନୁମେୟ l
 କ’ଣ ହୋଇପାରେ ଆଗକୁ :
ରାଘବ ଚଢ଼ା ଏବଂ ତାଙ୍କ ସାଥୀମାନେ ପଡ଼ିବେ ବଡ଼ ବିପଦରେ :
•    କୋର୍ଟଙ୍କ ନିଷ୍ପତ୍ତି: ଯଦି ସୁପ୍ରିମକୋର୍ଟ ରାଏ ଦିଅନ୍ତି ଯେ ଆବଶ୍ୟକ ମୁତାବକ ମୂଳ ଦଳ ମିଶିନାହିଁ, ତେବେ ୭ ଜଣଙ୍କ ସଦସ୍ୟତା ରଦ୍ଦ ହେବ ତତକ୍ଷଣାତ ।
•    ରାଜନୈତିକ ଆତ୍ମହତ୍ୟା: ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଆପ୍ ଦଳର ନେତା ମାନଙ୍କୁ ନୀଚ ଦେଖାଇବାର ଅପଚେଷ୍ଟା ଏବେ ହୋଇଗଲାଣି ବୃଥା l ନିଜକୁ 'ବେଇମାନ' ସାବ୍ୟସ୍ତ କରିସାରିଲେଣି ରାଘବ। ତାଙ୍କ ସହ ପଳାଇ ଯାଇଥିବା ସମସ୍ତ ଧୋକାବାଜ ନେତାଙ୍କ ପାଇଁ ବିଜେପି ଟିକେଟ୍‌ ଧରି ପଞ୍ଜାବରେ ଜିତିବା ହେବ ବହୁ କଷ୍ଟକର ।
•    ବିଜେପିରେ ସ୍ଥିତି: ବିଜେପି ପାଇଁ ଦଳବଦଳକାରୀମାନେ ହେଉଛନ୍ତି 'ୟୁଜ୍ ଆଣ୍ଡ ଥ୍ରୋ' ବା ‘ବ୍ୟବହାର ପରେ ଫୋପଡ଼ା ଯୋଗ୍ୟ’ ପଦାର୍ଥ । ଯଦି ଅଦାଲତ ଲଢେଇରେ ସେମାନେ ଅଯୋଗ୍ୟ ଘୋଷଣା ହେବେ, ବିଜେପି ସେମାନଙ୍କୁ ନିଶ୍ଚିତ ଭାବରେ ଯେ ଅନାଥ କରି ଛାଡ଼ିଦେବ, ଏବିଷୟରେ ତିଳେ ମାତ୍ର ସନ୍ଦେହ ନାହିଁ l
ଶେଷ କଥା:
କେବଳ ସଂଖ୍ୟାକୁ ନେଇ ଦଳ ବଦଳାଇବାର ଖଳ ସୂତ୍ରଟି ହେଉଛି ଏକ  ଗଳାବାଟ l କିନ୍ତୁ ସମ୍ବିଧାନ ପ୍ରତି ତାହା ଏକ ଅକ୍ଷମଣୀୟ 'ପ୍ରତାରଣା'।  ଆଇନର ଗଳାବାଟ ବ୍ୟବହାର କରି ନିଜକୁ ରକ୍ଷା କରିବାର ଉକ୍ତ ଅପଚେଷ୍ଟା କାରଣରୁ ହିଁ ଶେଷକୁ ରାଘବ ଏବଂ ତାଙ୍କର ନୀତିହୀନ ସାଥିମାନେ ଖାଇବେ ପ୍ରହାର ଏବଂ ଯିବେ ସବୁ କୂଳରୁ । ଅଦାଲତଙ୍କ ପରେ ରାଘବଙ୍କର ଏହିଭଳି ଧୋକାବାଜ କାର୍ଯ୍ୟପାଇଁ ଉଚିତ୍ ବିଚାର କରିବେ କେବଳ ଭୋଟ ଦେଇଥିବା ସାଧାରଣ ଜନତା ।

What's Your Reaction?

like

dislike

love

funny

angry

sad

wow