ଚିରନିଦ୍ରରେ ଉତ୍ତମ ମହାନ୍ତି

୭୦ ଦଶକର ଶେଷ ଆଡ଼କୁ ଯେଉଁ ସରସ ଅଭିନେତାଙ୍କ ଆଗମନ ସହିତ ଓଡ଼ିଆ ସିନେମାରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା, ସେ ଥିଲେ ଉତ୍ତମ ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ରରେ ନାୟକର ନୂଆ ପରିଭାଷା ସୃଷ୍ଟି କରିଥିଲେ ଉତ୍ତମ। ପ୍ରଥମ ପଦାର୍ପଣରୁ ହିଁ ସେ ଅନ୍ୟମାନଙ୍କଠାରୁ ଲାଗିଥିଲେ ଅଲଗା।ଏଥିସହ ତାଙ୍କ ସାବଲୀଳ ଅଭିନୟ ଅଗଣିତ ଦର୍ଶକଙ୍କୁ କରିଥିଲା କିମିଆ। ଅବିଳମ୍ବେ ସେ ପାଲଟି ଯାଇଥିଲେ ଓଡ଼ିଆ ଫିଲ୍ମ ଜଗତର ସବୁଠୁ ବଡ଼ ତାରକା। ବିଭିନ୍ନ ଧରଣର ଭୂମିକାରେ ସେ ନିଜ ଅଭିନୟର ଶ୍ରେଷ୍ଠତ୍ବ ପ୍ରମାଣିତ କରି ସାଉଁଣ୍ଟିଥିଲେ ଦର୍ଶକଙ୍କ ଭଲପାଇବା।ଆଜି ଅବସାନ ଘଟିଛି ସେହି ଉତ୍ତମ ଯୁଗର ।୧୯୫୪ ଏପ୍ରିଲ୍ ୨୯ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଅଭିନେତା ଉତ୍ତମ ମହାନ୍ତି।୧୯୭୬ ମସିହାରେ ସେ ଯେତେବେଳେ ଲୁଧିଆନାରେ ଚାଟାର୍ଡ ଆକାଉଣ୍ଟାନ୍ସି ପାଠ ପଢ଼ୁଥିଲେ ସେତେବେଳେ ନିର୍ଦେଶକ ସାଧୁ ମେହେର ‘ଅଭିମାନ’ ତିଆରିବା ଲାଗି ପ୍ରସ୍ତୁତି କରୁଥିଲେ। ସେ ଫିଲ୍ମରେ ସଂପୃକ୍ତ ଥିଲେ ବାରିପଦାର ଅନେକ ଲୋକ। ସେତେବେଳେ ବାରିପଦା ଓଡ଼ିଆ ଫିଲ୍ମର ଅନ୍ୟତମ କେନ୍ଦ୍ର ରୂପେ ସ୍ବୀକୃତି ପାଉଥିଲା। ‘ଅଭିମାନ’ର କାହାଣୀ ଲେଖକ ଆନନ୍ଦ ଶଙ୍କର ଦାସ ବାରିପଦାର ହୋଇଥିବାରୁ ଉତ୍ତମଙ୍କୁ ଆଗରୁ ଜାଣିଥିଲେ। ସେ ତାଙ୍କୁ ଉକ୍ତ ଫିଲ୍ମରେ ନାୟକ ସାଜିବା ପାଇଁ ଶ୍ରୀ ମେହେରଙ୍କୁ ସାକ୍ଷାତ କରିବାଲାଗି ପରାମର୍ଶ ଦେଇଥିଲେ।ଏନେଇ ସେ ତାଙ୍କ ପାଖକୁ ପଠାଇଥିଲେ ଏକ ଚିଠି। କିନ୍ତୁ ଉତ୍ତମଙ୍କ ପାଠପଢ଼ା ଚାଲିଥିବାରୁ ବଡ଼ଭାଇ ସେ ଚିଠିକୁ ଚିରି ଦେଇଥିଲେ।ତେବେ ଏହାପରେ ଯେତେବେଳେ ମାସେ ଛୁଟିରେ ଉତ୍ତମ ବାରିପଦାରେ ଥିବା ନିଜ ଘରକୁ ଆସିଥା’ନ୍ତି, ସେତେବେଳେ କାହାଣୀ ଲେଖକ ଆନନ୍ଦ ଶଙ୍କର ଦାସ ତାଙ୍କୁ ବାଧ୍ୟକରି ନେଇ ସାଧୁ ମେହେରଙ୍କ ସହ ସାକ୍ଷାତ କରାଇଥିଲେ। ଉତ୍ତମଙ୍କ ସହ ଏକ ସାଧାରଣ ଭେଟ ପରେ ଶ୍ରୀ ମେହେର ତାଙ୍କୁ ପରଦିନ ଆସିବାକୁ କହିଥିଲେ। କିନ୍ତୁ ଉତ୍ତମଙ୍କର ସକାଳୁ ଡେରିରେ ଉଠିବା ଅଭ୍ୟାସ ଯୋଗୁଁ ଶ୍ରୀ ମେହେର ନିଜେ ଯାଇ ତାଙ୍କ ଘରେ ପହଞ୍ଚିଯାଇ ଶୀଘ୍ର ବାହାରିକୁ କହିଥିଲେ। ସେଦିନ ଉତ୍ତମ ପିନ୍ଧିଥିବା ହାଫ୍ ପ୍ୟାଣ୍ଟ୍ ଉପରେ ଫୁଲ୍ ପ୍ୟାଣ୍ଟ୍ ପିନ୍ଧି ବାହାରି ପଡ଼ିଥିଲେ। ଏହାପରେ ନିର୍ଦ୍ଦେଶକ ଶ୍ରୀ ମେହେର ତାଙ୍କୁ ଏକ ଷ୍ଟୁଡିଓକୁ ନେଇ ତାଙ୍କର ଫଟୋ ଉଠାଇଥିଲେ। ଉତ୍ତମଙ୍କ ଫଟୋଜେନିକ୍ ତଥା ଓ ହିରୋମାର୍କା ଚେହେରା ଯୋଗୁଁ ସାଧୁ ମେହେର ପ୍ରଥମରୁ ତାଙ୍କୁ ପସନ୍ଦ କରି ନେଇଥିଲେ। କୁହାଯାଏ, ତାଙ୍କୁ ସେ ଯେଉଁ ସଂଳାପ କହିବାଲାଗି ଦେଇଥିଲେ, ତା’କୁ ସେତେଟା ଭଲରେ କହି ପାରିନଥିଲେ ଉତ୍ତମ। ତଥାପି ଶ୍ରୀ ମେହେର ନିଜ ଫିଲ୍ମରେ ତାଙ୍କୁ ହିଁ ନେବାଲାଗି ଏକପ୍ରକାର ନିଶ୍ଚୟ କରି ନେଇଥିଲେ। କିନ୍ତୁ ଉତ୍ତମଙ୍କ ଘରେ ସମସ୍ତେ ଏହାର ବିରୋଧ କରିଥିଲେ। କାରଣ ତାଙ୍କର ପାଠପଢ଼ା ଚାଲିଥିଲା। ତେବେ ଭଉଣୀମାନେ ବୁଝାଇବାରୁ ଘରଲୋକ ରାଜି ହୋଇଥିଲେ। କିନ୍ତୁ ଫିଲ୍ମର ସୁଟିଂ ସେହି ମାସେ ଛୁଟି ଭିତରେ ହିଁ ସାରିବାକୁ ସର୍ତ୍ତ ଥିଲା। ବାରିପଦାରେ ସୁଟିଂ ହେଉଥିବାରୁ ସୁଟିଂ ମାସେ ଭିତରେ ଶେଷ ହୋଇଥିଲା।୧୯୭୭ରେ ରିଲିଜ୍ ହୋଇ ସୁପରହିଟ୍ ହୋଇଥିଲା ‘ଅଭିମାନ’।
What's Your Reaction?






