ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ବିଜେଡି!

ସମସ୍ତେ ଜାଣନ୍ତି ଯେ ଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଭି କେ ପାଣ୍ଡିଆନ୍ ଥିଲେ ଅତ୍ୟନ୍ତ ପ୍ରଭାବଶାଳୀ । ବିଜେଡି ନେତାମାନେ ପାଣ୍ଡିଆନଙ୍କୁ ଭେଟିଲେ ତାହା ନବୀନଙ୍କୁ ଭେଟିବା ସହ ହେଉଥିଲା ସମାନ। ପାଣ୍ଡିଆନଙ୍କ ନିକଟରେ ସମସ୍ତେ ନିଜକୁ ସମର୍ପି ଦେଇ ତାଙ୍କରି କଥାରେ ଉଠ୍ବସ୍ ହେଉଥିଲେ। ପାଣ୍ଡିଆନଙ୍କ ଯୋଜନା ଓ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇବାକୁ ଲାଗିପଡ଼ୁଥିଲେ ଦିନରାତି। କିନ୍ତୁ ସେତବେଳେ ନିରବି ଯାଉଥିଲା ସଭୀଙ୍କର ନିଜସ୍ବ ମତ ଓ ସ୍ବର ।ମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତେ ଯେମିତି ହୋଇଯାଇଥିଲେ ପଙ୍ଗୁ । ନିଜ ଚଉକି ବଞ୍ଚାଇବାକୁ ନିଜକୁ ସମର୍ପଣ କରିବାକୁ ପଛଘୁଞ୍ଚା ଦେଉ ନଥିଲେ ଅଧିକାଂଶ ପୁରୁଣା ନେତା। ଆଉ କିଛି ପାଇବା ଆଶାରେ ପାଣ୍ଡିଆନଙ୍କ ସ୍ତୁତିଗାନ କରୁଥିଲେ ଅନେକ ନୂଆ ନେତା । ବିଜେଡିର ନେତାମାନେ ଏହା ସ୍ବୀକାର କରନ୍ତୁ ବା ନ କରନ୍ତୁ, ଏମିତି ବ୍ୟବସ୍ଥା ହିଁ ଚାଲିଥିଲା ଗତ ୨୦୨୪ ନିର୍ବାଚନ ଯାଏଁ । ଯାହା ଡାକିଆଣିଥିଲା ଦଳର ଅଧପତନକୁ। ବର୍ତ୍ତମାନ ବି ପାଣ୍ଡିଆନ ପ୍ରସଙ୍ଗରେ ବିଜେଡି ନେତାମାନେ ନିରବ ରହିବା ବ୍ୟତୀତ ସେମାନଙ୍କ ପାଖରେ କିଛି ବିକଳ୍ପ ନାହିଁ। କାରଣ ଏବେ ବି ନବୀନ ନିବାସରେ ରହିଛି ପାଣ୍ଡିଆନଙ୍କ ଅଖଣ୍ଡ ପ୍ରଭାବ । ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ମଧ୍ୟ ତାଙ୍କରି ଇଙ୍ଗିତରେ ପରିଚାଳିତ ହେଉଛି ବିଜେଡି।ଏହାକୁ ଖୋଲାଖୋଲି ଗଣମାଧ୍ୟମରେ ସ୍ବୀକାର ନ କଲେ ବି ଅନୌପଚାରିକ ଆଲୋଚନା ବେଳେ ମାନି ଯାଉଛନ୍ତି ବିଜେଡି ନେତାଗଣ, ଯାହା ଏବେ ହୋଇଗଲାଣି ସର୍ବତ୍ର ପ୍ରଘଟ। ସେଥିପାଇଁ ବିଜେଡି ନେତାମାନେ ପାଣ୍ଡିଆନଙ୍କ କବଳରୁ ମୁକ୍ତ ନୁହନ୍ତି ବୋଲି କହିବାକୁ ଜୁଟାଇ ପାରୁନାହାନ୍ତି ନୈତିକ ସାହସ । ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କଲେ ମିଳିବ ଲୋକଲଜ୍ଜା । ଆଉ ପାଣ୍ଡିଆନଙ୍କ ବିପକ୍ଷରେ କହିଲେ ବି ଲୋକେ ସେମାନଙ୍କ ଦୋମୁହାଁ ଚରିତ୍ର ଉପରେ ଉଠାଇବେ ଅଙ୍ଗୁଳି। ଏମିତି ଏକ ତ୍ରିଶଙ୍କୁ ଅବସ୍ଥାରେ ରହିଛନ୍ତି ବହୁ ବିଜେଡି ନେତା। ଲାଗୁଛି ଯେମିତି ନେତୃତ୍ବବିହୀନ ହୋଇଯାଇଛି ଦଳ । ଶାସନରେ ଥିଲା ବେଳେ ଜନମାନସରେ ପ୍ରଭାବ ବିସ୍ତାର କଲା ପରି ଦେଖାଯାଉ ନଥିଲେ କେହି ନେତା । ଏବେ ବିରୋଧୀ ଦଳକୁ ଆସିଲା ପରେ ବି ସୁଧୁରିପାରୁନି ସ୍ଥିତି। ଏମିତି ପରିସ୍ଥିତି କେତେ ଦିନ ଲାଗି ରହିବ ଏବଂ ଆଗକୁ ଦଳର ଭବିଷ୍ୟତ କ’ଣ ହେବ, ସେ ନେଇ ଲାଗିରହିଛି ଦ୍ବନ୍ଦ୍ବ।
What's Your Reaction?






