ଯୁକ୍ତ ଦୁଇରେ ୩୪% ଓ ଯୁକ୍ତତିନିରେ ୩୯.୩୭% ସିଟ୍ ଖାଲି
ସୁନ୍ଦରଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ) ଓ ଯୁକ୍ତ ତିନି ନାମଲେଖାରେ ବ୍ୟାପକ ସିଟ୍ ଖାଲିପଡ଼ିଛି, ଯାହାକି ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।
ସୁନ୍ଦରଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ) ଓ ଯୁକ୍ତ ତିନି ନାମଲେଖାରେ ବ୍ୟାପକ ସିଟ୍ ଖାଲିପଡ଼ିଛି, ଯାହାକି ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଡିଗ୍ରି କଲେଜଗୁଡ଼ିକରେ ଯୁକ୍ତ ତିନି ନାମଲେଖା ପାଇଁ ୩୯.୩୭% ଓ ଯୁକ୍ତ ଦୁଇ ପାଇଁ ୩୪.୦୧% ପ୍ରତିଶତ ସିଟ୍ ଅପୂରଣୀୟ ରହିଛି।
ଆସନ୍ତା ୬ ତାରିଖରେ ସ୍ପଟ୍ ଆଡ୍ମିସନ ପାଇଁ ତାଲିକା ପ୍ରକାଶ ପାଇବ ଓ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବ। ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ସିଟ୍ ପୂରଣ ହୋଇଥିବା ବେଳେ ଗ୍ରାମାଞ୍ଚଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା କଲେଜଗୁଡ଼ିକରେ ଶହ ଶହ ଆସନ ପୂରଣ ହୋଇପାରିନି।
ଏତେ ବଡ଼ ସଂଖ୍ୟାରେ ସିଟ୍ ବଳକା ରହିବା ଯୋଗୁ କଲେଜ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ଚିନ୍ତା ବଢ଼ିଯାଇଛି। ଜିଲ୍ଲାରେ ୪୦ଟି ଯୁକ୍ତ ତିନି ମହାବିଦ୍ୟାଳୟରେ ବିଭିନ୍ନ ବିଷୟ ଯଥା,- କଳା, ବାଣିଜ୍ୟ, ଫିଜିକାଲ୍ ସାଇନ୍ସ, ବାୟୋଲଜିକାଲ ସାଇନ୍ସ, ସେଲ୍ଫ୍ ଫାଇନାନ୍ସିଂ, ସଂସ୍କୃତ ଆଦିରେ ମୋଟ୍ ୧୩,୦୭୮ ସିଟ୍ ରହିଛି।
ତେବେ ଏଥିମଧ୍ୟରୁ ୭୯୨୮ଟି ସିଟ୍ ପୂରଣ ହୋଇଥିବାବେଳେ ୫୧୫୦ ସିଟ୍ ଖାଲିପଡ଼ିଛି। କଳା ବର୍ଗରେ ୨୨୮୭ ସିଟ୍ (୩୩.୩୯%) ସିଟ୍ ଖାଲିପଡ଼ିଥିବା ବେଳେ ବାଣିଜ୍ୟରେ ୮୪୧ ସିଟ୍(୩୭.୫୪%), ଫିଜିକାଲ ସାଇନ୍ସରେ ୨୩୧ ସିଟ୍ (୧୦.୩୮%), ବାୟୋଲୋଜିକାଲ ସାଇନ୍ସରେ ୪୨୬ (୩୬.୨୨%), ସେଲ୍ଫ ଫାଇନାନ୍ସିଂରେ ୯୬ (୨୪.୧୨%) ଓ ସଂସ୍କୃତରେ ୧୬୯ ସିଟ୍ (୮୮.୦୨%) ଖାଲି ରହିଛି। ସେହିଭଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଯୁକ୍ତ ଦୁଇରେ
ମୋଟ୍ ୨୭,୨୦୨ ସିଟ୍ରୁ ୧୭୯୪୯ ଜଣ ନାଁ ଲେଖାଇଥିବାବେଳେ ୯,୨୫୩ଟି ସିଟ୍ରେ କୌଣସି ଛାତ୍ରଛାତ୍ରୀ ନାମ ଲେଖାଇନାହାନ୍ତି।
ଯୁକ୍ତ ଦୁଇ କଳାରେ ୩୪୫୪ (୨୩.୧୩%), ବିଜ୍ଞାନରେ ୪୦୮୯ (୪୮.୮୫%), ବାଣିଜ୍ୟରେ ୧୪୪୭ (୪୩.୦୬%), ସଂସ୍କୃତରେ ୮୧ (୪୨.୧୮%) ଓ ଭୋକେସନାଲ୍ରେ ୧୮୨ (୫୨.୨୯%) ଖାଲି ଅଛି। ଶିକ୍ଷା ବିଶେଷଜ୍ଞଙ୍କ ମତରେ, ଛାତ୍ରଛାତ୍ରୀମାନେ ପାରମ୍ପରିକ ପାଠ୍ୟକ୍ରମ ଅପେକ୍ଷା ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରତି ଅଧିକ ଆକର୍ଷିତ ହେବା ଏବଂ ଉନ୍ନତ ସୁବିଧା ସୁଯୋଗ ଆଶାରେ ବାହାର ଜିଲ୍ଲା ବା ରାଜ୍ୟ ବାହାରକୁ ମୁହାଁଇବା ଏହାର ମୁଖ୍ୟ କାରଣ ପାଲଟିଥିବା କହିଛନ୍ତି। ଏତଦ୍ବ୍ୟତୀତ ଗ୍ରାମାଞ୍ଚଳ କଲେଜଗୁଡ଼ିକରେ ଭିତ୍ତିଭୂମିର ଅଭାବ ତଥା ଅଧ୍ୟାପକ ପଦବି ଖାଲି ରହୁଥିବାରୁ ନାଁ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।
What's Your Reaction?