ରୁଷ ସେନାରେ କାର୍ଯ୍ୟରତ ୫୧ ଜଣ ଭାରତୀୟଙ୍କ ମୃତ୍ୟୁ : ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା
ରୁଷ ସେନାରେ ନିଯୁକ୍ତି ପାଇଥିବା ୨୨୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ୫୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୩୯ ଜଣଙ୍କୁ ଚାକିରିରୁ ସେବାମୁକ୍ତ କରାଯାଇଛି ।
ରୁଷ ସେନାରେ ଭାରତୀୟଙ୍କ ନିଯୁକ୍ତିକୁ ନେଇ ପୁଣି ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ। ରୁଷ ସେନାରେ ନିଯୁକ୍ତି ପାଇଥିବା ୨୨୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୧୩୯ ଜଣଙ୍କୁ ସେବାରୁ ମୁକ୍ତ କରାଯାଇଛି। ତେବେ ଏବେ ବି କିଛି ଭାରତୀୟ ରୁଷ ସେନାରେ କାର୍ଯ୍ୟରତ ଥିବାରୁ ସେମାନଙ୍କ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଏବେ ଭାରତ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।ବୈଦେଶିକ ସଚିବ ବିକ୍ରମ ମିସ୍ରି ଏହି ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିର୍ଗିଜସ୍ତାନ ଗସ୍ତ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ବ୍ରିଫିଂ ସମୟରେ ରୁଷ ସେନାରେ ଭାରତୀୟଙ୍କ ସେବା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ପ୍ରଦାନ କରିଛନ୍ତି।
ମିସ୍ରି କହିଛନ୍ତି, ରୁଷ ସେନାରେ ଭାରତୀୟଙ୍କ ନିଯୁକ୍ତି ପ୍ରସଙ୍ଗକୁ ଭାରତ ସରକାର ବିଭିନ୍ନ ସମୟରେ ଏବଂ ବିଭିନ୍ନ ସ୍ତରରେ ମସ୍କୋ ସମ୍ମୁଖରେ ଉଠାଇଛି। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ନିରନ୍ତର ଯୋଗାଯୋଗ ଜାରି ରହିଛି। ଯେଉଁ ଭାରତୀୟମାନେ ଏବେ ବି ରୁଷ ସେନାରେ ଅଛନ୍ତି, ସେମାନଙ୍କୁ ଯଥାଶୀଘ୍ର ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି।କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ—ରୁଷ ସେନାରେ ଯୋଗ ଦେଇଥିବା ଭାରତୀୟମାନଙ୍କ ଭବିଷ୍ୟତ କଣ ହେବ? ଯେଉଁ ପରିବାର ନିଜ ପ୍ରିୟଜନଙ୍କୁ ଫେରିବା ଅପେକ୍ଷାରେ ଅଛନ୍ତି, ସେମାନଙ୍କ ଅପେକ୍ଷା କେବେ ଶେଷ ହେବ?
ଏକପଟେ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଜାରି ରହିଛି, ଅନ୍ୟପଟେ ବିଦେଶୀ ସେନାରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ୫୧ ଜଣ ଭାରତୀୟଙ୍କ ମୃତ୍ୟୁର ତଥ୍ୟ ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗ ଆହୁରି ସମ୍ବେଦନଶୀଳ ହୋଇପଡ଼ିଛି।ଏବେ ସମସ୍ତଙ୍କ ନଜର ଭାରତ ଓ ରୁଷ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା ଉପରେ। କେବେ ରୁଷ ସେନାରେ ଥିବା ବାକି ଭାରତୀୟମାନେ ନିଜ ପରିବାର ପାଖକୁ ସୁରକ୍ଷିତ ଭାବେ ଫେରିବେ? ଆଉ ଏହି ଗୁରୁତର ପ୍ରସଙ୍ଗରେ ଭାରତ ସରକାରଙ୍କ ପରବର୍ତ୍ତୀ କୂଟନୈତିକ ପଦକ୍ଷେପ କଣ ହେବ? ତାହା ଉପରେ ରହିବ ସମସ୍ତଙ୍କ ନଜର।
What's Your Reaction?