ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ , କେନ୍ଦୁଝର ଶ୍ରମ ଅଧିକାରୀ ଗିରଫ

Aug 31, 2026 - 14:43
 0  1
ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ , କେନ୍ଦୁଝର ଶ୍ରମ ଅଧିକାରୀ ଗିରଫ

ପୁଣି ଭିଜିଲାନ୍ସ ଜାଲରେ ବଡ଼ବାବୁ, ୪୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଟିମ୍

ପୁଣି ଭିଜିଲାନ୍ସ ଜାଲରେ ଜଣେ ବଡ଼ବାବୁ। ୪୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଛନ୍ତି ଭିଜିଲାନ୍ସ ଅଧିକାରୀ। କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋୟୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଅନୁସାରେ, ଜଣେ ଲେବର ଠିକାଦାରଙ୍କ ଲାଇସେନ୍ସ ସମ୍ବନ୍ଧୀୟ କାମ କରାଇ ଦେବା ପାଇଁ ଶ୍ରମ ଅଧିକାରୀ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସଂପୃକ୍ତ ଠିକାଦାର ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଯୋଜନା ମୁତାବକ ଠିକାଦାର ଲାଞ୍ଚ ଟଙ୍କା ନେଇ ଶ୍ରମ ଅଧିକାରୀଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ୪୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଧରିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବାବେଳେ ଏନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

ଅନ୍ୟପଟେ, ଏହି ଘଟଣା ପରେ କେନ୍ଦୁଝର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମେତ ଶ୍ରମ ଅଧିକାରୀ ଆକାଶ ବିଶୋୟୀଙ୍କ ସରକାରୀ ବାସଭବନ, ପୈତୃକ ବାସଭବନ ଓ ଅନ୍ୟାନ୍ୟ ସମ୍ଭାବ୍ୟ ଠିକଣାରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି। ତାଙ୍କ ସମ୍ପତ୍ତି, ଆୟର ଉତ୍ସ ଏବଂ ଅନ୍ୟାନ୍ୟ ଆର୍ଥିକ କାରବାରକୁ ମଧ୍ୟ ଯାଞ୍ଚ କରାଯାଉଛି। କେନ୍ଦୁଝର ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟା ଓ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୂର୍ବରୁ ଚର୍ଚ୍ଚା ଚାଲିଥିବାବେଳେ ଖୋଦ୍ ଜିଲ୍ଲା ଶ୍ରମ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣାକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ଏହି ମାମଲାର ତଦନ୍ତ ପରେ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିପାରେ।

ବର୍ତ୍ତମାନ ଭିଜିଲାନ୍ସର ତଦନ୍ତ ଜାରି ରହିଥିବାବେଳେ ଏହି ଘଟଣାରେ ଆଉ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ଏବଂ ଅନ୍ୟ କୌଣସି ଅନିୟମିତତାର ସୁରାକ ମିଳୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

What's Your Reaction?

like

dislike

love

funny

angry

sad

wow