ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଭାରା ବାନ୍ଧିବା ପାଇଁ ଲୁହା ପାଇପ ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତ ରଖିଛି ଏଏସଆଇ । ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଆରମ୍ଭ ହେବ ଚୁନ ଛଡ଼ା କାମ । ଏହା ପରେ କରାଯିବ ଆବଶ୍ୟକ ମରାମତି । ଛାତ ଓ କାନ୍ଥର ପଥର ଯୋଡ଼େଇ, ପଥର ପରିବର୍ତ୍ତନ ଓ ବିମ୍ ପରିବର୍ତ୍ତନ କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ଆରମ୍ଭ ହେବ ବାହାର ପାର୍ଶ୍ବ ମରାମତି କାମ।ଯେଭଳି ଆଗାମୀ ଶହେ ବର୍ଷ ପାଇଁ କୌଣସି ସମସ୍ୟା ନ ରହିବ ତାକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।ତିନି ମାସ ଭିତରେ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା।ସମୟ ନିର୍ଘଣ୍ଟ ଅନୁଯାୟୀ, ଦ୍ୱିପ୍ରହର ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ପ୍ରତ୍ୟେହ ଦିନ ପ୍ରାୟ ସାଢ଼େ ୧୨ଟା କିମ୍ବା ଗୋଟାଏରୁ ମରାମତି କାମ ଆରମ୍ଭ ହେବ,ଯାହା ପ୍ରାୟ ୫ ଘଣ୍ଟା ଧରି ଚାଲିବ। ତେଣୁ ମରାମତି କାମ ଯୋଗୁଁ ଶ୍ରୀଜିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଏବଂ ଦର୍ଶନ ଶୃଙ୍ଖଳିତ ରହିବ ତା ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ ।
What's Your Reaction?






