ଆଜିଠୁ ଭିତରକନିକାରେ ୩ ଦିନିଆ ଦେଶୀୟ ପକ୍ଷୀ ଗଣନା; ନିୟୋଜିତ ହେଲେ ୪ଟି ଟିମ୍‌

Sep 3, 2026 - 12:12
 0  0
ଆଜିଠୁ ଭିତରକନିକାରେ ୩ ଦିନିଆ ଦେଶୀୟ ପକ୍ଷୀ ଗଣନା; ନିୟୋଜିତ ହେଲେ ୪ଟି ଟିମ୍‌

ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି। ମୁଖ୍ୟତଃ ଗେଣ୍ଡାଳିଆ, ଅଞ୍ଜନା, ଖଇରା, ରାଣିବଗ, କପାରଖାଇ ପ୍ରଭୁତି ୧୦ ପ୍ରକାର ପ୍ରଜାତିର ପକ୍ଷୀ ଗଣନା କରାଯାଏ। 

ଭିତରକନିକାରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ଆଗାମୀ ତିନିଦିନ ଧରି ଚାଲିବ। ଭିତରକନିକା ଜାତୀୟ ଉଦ୍ୟାନର ବିଭିନ୍ନ ପକ୍ଷୀବହୁଳ ଅଞ୍ଚଳରେ ପକ୍ଷୀଙ୍କ ସଂଖ୍ୟା ଓ ପ୍ରଜାତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।

ମଠଆଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆ ଭଳି ପ୍ରମୁଖ ଅଞ୍ଚଳରେ ଏହି ଗଣନା କରାଯିବ। ଏଥିପାଇଁ ବନବିଭାଗ ପକ୍ଷରୁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୪ରୁ ୫ ଜଣ ଲେଖାଏଁ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ସମଗ୍ର ଗଣନା ପ୍ରକ୍ରିୟା କରାଯାଉଛି।ମୁଖ୍ୟତଃ ଗେଣ୍ଡାଳିଆ, ଅଞ୍ଜନା, ଖଇରା, ରାଣୀବଗ, କପାରଖାଇ ସମେତ ପ୍ରାୟ ୧୦ ପ୍ରକାରର ଦେଶୀୟ ପକ୍ଷୀ ପ୍ରଜାତିର ଗଣନା କରାଯିବ। ପକ୍ଷୀଙ୍କ ସଂଖ୍ୟା ସହିତ ସେମାନଙ୍କର ଅବସ୍ଥାନ, ପ୍ରଜାତି ଏବଂ ବିଭିନ୍ନ ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।

ଗତକାଲି ଏହି ଗଣନା କାର୍ଯ୍ୟକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ନିୟୋଜିତ ବନ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା। କେଉଁ ପ୍ରଜାତିର ପକ୍ଷୀକୁ କିପରି ଚିହ୍ନଟ କରାଯିବ ଏବଂ ଗଣନା ସମୟରେ କେଉଁ ସତର୍କତା ଅବଲମ୍ବନ କରାଯିବ, ସେନେଇ ସେମାନଙ୍କୁ ଅବଗତ କରାଯାଇଛି।ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କାର୍ଯ୍ୟ ଚାଲିବ। ପ୍ରାକୃତିକ ପରିବେଶରେ ପକ୍ଷୀମାନଙ୍କର ଗତିବିଧି ଅଧିକ ସ୍ପଷ୍ଟ ଭାବେ ନଜରକୁ ଆସୁଥିବାରୁ ସକାଳ ସମୟକୁ ଗଣନା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଭିତରକନିକାର ଜୈବ ବିବିଧତା ଓ ପକ୍ଷୀ ସମ୍ପଦ ସମ୍ପର୍କରେ ସଠିକ୍ ତଥ୍ୟ ପାଇବା ପାଇଁ ଏହି ବାର୍ଷିକ ଗଣନାକୁ ବେଶ ଗୁରୁତ୍ୱ ଦିଆଯାଉଛି। ଗଣନା ଶେଷ ହେବା ପରେ ପୂର୍ବବର୍ଷର ତଥ୍ୟ ସହ ଚଳିତବର୍ଷର ପକ୍ଷୀ ସଂଖ୍ୟାକୁ ତୁଳନା କରାଯିବ। ଏହା ଦ୍ୱାରା ଭିତରକନିକାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି କିମ୍ବା ହ୍ରାସ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।ତେବେ ଆଗାମୀ ତିନିଦିନର ଏହି ଗଣନା ପରେ ଭିତରକନିକାରେ କେତେ ସଂଖ୍ୟକ ଦେଶୀୟ ପକ୍ଷୀ ରହିଛନ୍ତି ଏବଂ କେଉଁ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟାରେ ପରିବର୍ତ୍ତନ ଆସିଛି, ତାହା ଜଣାପଡ଼ିବ। 

What's Your Reaction?

like

dislike

love

funny

angry

sad

wow