କଏଦୀ ଫେରାର ମାମଲାରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ବିଜୟ, ଡେପୁଟି ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ କଲେ ବରଖାସ୍ତ
ତାମିଲନାଡୁର ଥେନି ଜିଲ୍ଲା ଜେଲ୍ରୁ ୧୭ ଜଣ କଏଦୀ ଫେରାର ହେବା ଘଟଣାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ଡେପୁଟି ଜେଲ୍ ସୁପରିଟେଣ୍ଡେଣ୍ଟ ଏନ୍. ରାମଲିଙ୍ଗମଙ୍କୁ ବରଖାସ୍ତ କରାଯାଇଥିବା ବେଳେ ୧୭ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।
ଜେଲ୍ରୁ କଏଦୀ ଫେରାର ଘଟଣାକୁ ନେଇ ତାମିଲନାଡୁ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଥେନି ଜିଲ୍ଲା ଜେଲ୍ରୁ ୧୭ ଜଣ କଏଦୀ ଫେରାର ହେବା ଘଟଣାରେ ଜେଲ୍ ଡେପୁଟି ସୁପରିଟେଣ୍ଡେଣ୍ଟ ଏନ୍. ରାମଲିଙ୍ଗମଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଏହାସହ ଜେଲ୍ର ୧୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟର ଦୁଇଟି ଜେଲ୍ରୁ କଏଦୀ ଫେରାର ହେବା ଘଟଣା ପରେ ଜେଲ୍ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ଥଲପତି ବିଜୟ ।
ଏନ୍. ରାମଲିଙ୍ଗମ ୨୦୨୪ ଅଗଷ୍ଟରୁ ଥେନି ଜିଲ୍ଲା ଜେଲ୍ରେ ନିଯୁକ୍ତ ଥିଲେ । ଜେଲ୍ର ସୁରକ୍ଷା ଓ ପ୍ରଶାସନିକ ତଦାରଖରେ ଅବହେଳା ଅଭିଯୋଗରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି । ଅନ୍ୟପଟେ ଜେଲ୍ର ୧୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରି ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଏହା ପୂର୍ବରୁ ଗୁରୁବାର ଜେଲ୍ ଓ ସଂସ୍କାର ସେବା ବିଭାଗର ପୋଲିସ ମହାନିର୍ଦ୍ଦେଶକ ଡକ୍ଟର ସନ୍ଦୀପ ରାୟ ରାଠୋରଙ୍କର ମଧ୍ୟ ବଦଳି କରାଯାଇଥିଲା । ରାଜ୍ୟର ସମସ୍ତ ଜେଲ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ନିୟମିତ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ବିଜୟ ନିର୍ଦ୍ଦେଶ ଦେଇଛନ୍ତି ।
ଥେନି ଜିଲ୍ଲା ଜେଲ୍ରେ ସୋମବାର ରାତିରେ କଏଦୀମାନେ ଫେରାର ହେବାକୁ ଯୋଜନା କରିଥିଲେ । ଜେଲ୍ କର୍ମଚାରୀଙ୍କୁ ଭୁଆଁ ବୁଲାଇବା ପାଇଁ ଜଣେ କଏଦୀଙ୍କୁ ମିର୍ଗୀ ରୋଗର ଆଟାକ୍ ଆସୁଥିବା ନାଟକ କରିବାକୁ କୁହାଯାଇଥିଲା । କଏଦୀଙ୍କ ଦେହ ଖରାପ ହୋଇଥିବା ଖବର ପାଇ ଜଣେ ସୁରକ୍ଷା କର୍ମୀ ବାରାକ୍ର କବାଟ ଖୋଲି ଭିତରକୁ ଯାଇଥିଲେ । ଏହି ସୁଯୋଗରେ ଅନ୍ୟ କଏଦୀମାନେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ କାବୁ କରିନେଇଥିଲେ ।
ପରେ ଜେଲ୍ର ମୁଖ୍ୟ ଫାଟକର ଚାବି ହାତେଇ ନେଇ କଏଦୀମାନେ ଫେରାର ହୋଇଯାଇଥିଲେ । ସେମାନେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ । ଜେଲ୍ରୁ ବାହାରିବା ପରେ ଅରଞ୍ଜନୈପୁଦୁର ଅଞ୍ଚଳରୁ ମୋଟରସାଇକେଲ୍ ଯୋଗେ ଉଥମାପାଳୟମ ଦିଗରେ ଯାଇଥିଲେ । ରାସ୍ତାରେ ଅମ୍ମାଚିପୁରମ ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଫୋନ୍ ନେଇ ସେମାନେ ନିଜ ସହଯୋଗୀଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସହଯୋଗୀମାନେ ସେମାନଙ୍କୁ ଟଙ୍କା, ପୋଷାକ ଓ ଗାଡ଼ି ଯୋଗାଇଥିବା ରିପୋର୍ଟରେ କୁହାଯାଇଛି ।
ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବଡ଼ ଧରଣର ଅପରେସନ୍ ଆରମ୍ଭ କରାଯାଇଥିଲା । ଏଥିରେ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍, ୫ଟି ସ୍ପେଶାଲ ଟାସ୍କ ଫୋର୍ସ ୟୁନିଟ୍ ଏବଂ ତାମିଲନାଡୁ ସ୍ପେଶାଲ ପୋଲିସର ୪ଟି ବାଟାଲିୟନ୍ ନିୟୋଜିତ ରହିଥିଲେ । ଘଞ୍ଚ ଜଙ୍ଗଲରେ କଏଦୀଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଡ୍ରୋନ୍ର ମଧ୍ୟ ସହାୟତା ନିଆଯାଇଥିଲା ।
ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ୫ ଜଣ କଏଦୀଙ୍କୁ ଧରି ଅଦାଲତରେ ହାଜର କରାଯାଇଛି । ସେମାନଙ୍କୁ ନଭେମ୍ବର ୧୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ବୁଧବାର ଆଉ ୮ ଜଣ ଧରାପଡ଼ିଥିଲେ । ସେମାନଙ୍କୁ ନଭେମ୍ବର ୧୧ ପର୍ଯ୍ୟନ୍ତ ହାଜତକୁ ପଠାଯାଇଥିଲା । ଅବଶିଷ୍ଟ କଏଦୀଙ୍କୁ ଗୁରୁବାର ଅଦାଲତରେ ହାଜର କରାଯାଇଥିଲା । ଏହିପରି ସମସ୍ତ ୧୭ ଜଣଙ୍କୁ ପୁଣି ଥରେ ଗିରଫ କରାଯାଇଛି । ଏବେ ସେମାନଙ୍କୁ ରାଜ୍ୟର ବିଭିନ୍ନ ଉଚ୍ଚ ସୁରକ୍ଷା ସମ୍ପନ୍ନ ଜେଲ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଚାଲିଛି ।
ଥେନି ଜେଲ୍ ଘଟଣାର ମାତ୍ର କିଛି ଦିନ ପୂର୍ବରୁ ଅକ୍ଟୋବର ୨୦ ତାରିଖରେ ଚେନ୍ନାଇ ନିକଟସ୍ଥ ପୁଝଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ଜେଲ୍ରୁ ମଧ୍ୟ ଦୁଇ ଜଣ କଏଦୀ ଫେରାର ହୋଇଥିଲେ। ସେମାନଙ୍କୁ ଖୋଜିବା ପାଇଁ ୭ଟି ପୋଲିସ ଟିମ୍ ଗଠନ କରାଯାଇଥିଲା । ଦୁଇ ଦିନର ତଲାସୀ ଅଭିଯାନ ପରେ ଉଭୟଙ୍କୁ ଧରାଯାଇଥିଲା ।
ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ଜେଲ୍ରୁ କଏଦୀ ଫେରାର ହେବା ଘଟଣା ତାମିଲନାଡୁର ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ଏହାପରେ ସରକାର ଜେଲ୍ଗୁଡ଼ିକରେ ସିସିଟିଭି ନିରୀକ୍ଷଣ ବଢ଼ାଇବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ପଦକ୍ଷେପ ନେଇଛନ୍ତି ।
What's Your Reaction?