ପ୍ରଦୂଷଣ-ମୁକ୍ତି ପ୍ରମାଣପତ୍ର ପାଇଁ ପ୍ରଚଣ୍ତ ପ୍ରହସନ
ପ୍ରଦୂଷଣମୁକ୍ତି ପ୍ରମାଣ ପତ୍ର ପାଇଁ ପ୍ରଚଣ୍ଡ ପ୍ରହସନ
ନିକଟ ଅତୀତରେ ଓଡ଼ିଶାରେ ଦେଖିବାକୁ ମିଳିଲା ଯେ ସାଧାରଣ ମୋଟର ଯାନ ମାଲିକମାନେ ତ୍ରାହି ତ୍ରାହି ଡାକି ଦୌଡୁଛନ୍ତି ପରିବହନ ଅଫିସକୁ ଅତି ମୋଟା ଅଙ୍କର ଜୋରିମାନା ପୈଠ କରିବା ପାଇଁ I ଦୋଷ : ସବୁକିଛି ଅତି ଜରୁରୀ କାଗଜ-ପତ୍ର ମହଜୁଦ ଥିଲେ ବି ପ୍ରାୟତଃ ଭୁଲି ଯାଉଥିବା ପ୍ରଦୂଷଣ-ନକରୁଥିବା ପ୍ରମାଣ ପତ୍ର ଖଣ୍ଡିକ. ଯାହାକି ଅତି ସହଜରେ ସ୍ୱଳ୍ପ ଶୁଳ୍କରେ ସର୍ବତ୍ର ଉପଲବ୍ଧ I କିନ୍ତୁ ଚଡ଼କ ପଡ଼ିଲା ଭଳି ସରକାରୀ ଲୋକେ ହଠାତ ଏଇ କାଗଜ ନଥିବା ଯାନ ଗୁଡ଼ିକୁ ରାସ୍ତାରେ ମାଡ଼ିବସି ହାରାହାରି ଦଶ ହଜାର ଟଙ୍କାର ଜୋରିମାନା ଲଗେଇ ଅଧିକାଂଶ ଯାନ ମାଲିକ ମାନଙ୍କୁ କାଙ୍ଗାଳ କରିବା କାମରେ ସଫଳ ହୋଇଗଲେ l ବିଶେଷ କରି ଗରୀବ ଟାକ୍ସି, ଭଡ଼ା ଅଟୋ ରିକ୍ସା ମାଲିକ ମାନଙ୍କର ଜୀବନକୁ ଦୁର୍ବିସହ କରିଦେଲେ ସରକାରୀ କର୍ମଚାରୀ l ଚତୁର୍ଦିଗରେ ହାହାକାର ଖେଳିଯିବା ସହ ତୀବ୍ର ଜନ ଆକ୍ରୋଶ ମଧ୍ୟ ମିଳିଲା ଦେଖିବାକୁ I ବୁଝୁ ବୁଝୁ ଜଣାପଡିଲା ଯେ ଶାସକ ବିଜେପି ସରକାର ଏଭଳି ଏକ ଜିଜିୟା କର ଲଦିବା ଭଳି କାମଟିଏ କରି ପ୍ରବଳ ସରକାରୀ ରାଜସ୍ବ ବଢ଼ାଇବା ସହ ଅସହାୟ ଯାନ ମାଲିକ ମାନଙ୍କ ଠାରୁ ବିଶାଳ ପରିମାଣର ଲାଞ୍ଚ ପଇସା ବି ଖାଇବାରେ ଲାଗିଗଲେ I
ପରିବହନ ମନ୍ତ୍ରୀ ବିଭୁତି ଜେନା ଗଣମାଧ୍ୟମ ଆଗରେ ଛାତି ଫୁଲାଇ ମନ୍ତବ୍ୟ ଦେଲେ ଯେ ମାତ୍ର ସତୁରି ଟଙ୍କା ଖର୍ଚ୍ଚ କରିଦେଲେ ପ୍ରଦୂଷଣମୁକ୍ତି ପ୍ରମାଣପତ୍ରଟି ସହଜରେ ହାସଲ ହୋଇ ଯିବ l ଗୁଜୁରାଟର କୋଉ ଗୋଟିଏ ଜାଗାରେ ମନ୍ତ୍ରୀ ଦୋସା ଗୋଟିଏ ଉଦରସ୍ତ କରିବା ପାଇଁ ଦେଢଶହ ଟଙ୍କା ଗଣିଦେଇଥିଲେ l ସେଥିପାଇଁ କେହି ସାମାନ୍ୟ ସତୁରୀ ଟଙ୍କାକୁ ଭୟ ନକରି ପ୍ରଦୂଷଣ ମୁକ୍ତି ପ୍ରମାଣ ପତ୍ରଟି ତୁରନ୍ତ ହାସଲ କରିଦେବା ଉଚିତ l ଭେଜାହୀନ ମନ୍ତ୍ରୀ ଆଦୌ କହିଲେ ନାହିଁ ଯେ ପ୍ରଦୂଷଣ ବଢ଼ାଉଥିବା କୌଣସି ମୋଟର ଯାନ ଆଦୌ ରାସ୍ତାରେ ଗଡ଼ିବ ନାହିଁ l କିନ୍ତୁ ଜୀବନରେ ପ୍ରଥମ ଥର ବିଧାୟକ ହୋଇ ଏକାଠି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ସମ୍ଭାଳୁଥିବା ଅତି ବିଚକ୍ଷଣ ବିଧାୟକ ବୁଝାଇ କହିଦେଲେ ଯେ ପ୍ରଦୂଷଣ କରୁଥାଉ ପଛେ, ମିଛ କାଗଜଟିକୁ ହାସଲ କରି ଲୋକେ ଯାନଗୁଡ଼ିକ ଚଲାନ୍ତୁ l ଜନ ଆକ୍ରୋଶ ଏଭଳି ବଢ଼ି ଚାଲିଲା ଯେ ସରକାର ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇ ‘ପ୍ରମାଣପତ୍ର ନାହିଁତ, ଇନ୍ଧନ ନାହିଁ’ ନିୟମଟିକୁ ପ୍ରତ୍ୟାହାର କରିବାଭଳି ନିର୍ଦ୍ଧାରିତ ଶେଷ ତାରିଖକୁ ମାସ ମାସ ଧରି ଗଡ଼ାଇ ଚାଲିବା ଆରମ୍ଭ କରି ସାରିଛନ୍ତିI
ଆରମ୍ଭରେ ଅବସ୍ଥା ଏଭଳି ହେଲା ଯେ ଗୋଟିଏ ଗୋଟିଏ ଯାନ ମାତ୍ର ଦିନକ ଭିତରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ନୋଟିସ ପାଇ ଚାଲିଲେ l କାରଣ ପ୍ରତ୍ୟେକ ଟୋଲ ଫାଟକ ପାଖରେ ଚାଲିଲା ପ୍ରମାଣପତ୍ର ଯାଞ୍ଚ l
ମୂଳ ପ୍ରସଙ୍ଗକୁ ଆସିଲେ ସ୍ପଷ୍ଟ ହେଉଛି ଯେ କେବଳ ଅକ୍ଳେଶରେ ସରକାରୀ ରାଜସ୍ବ ବଢ଼ାଇବା ସହ ମୋଟା ଅଙ୍କର ଲାଞ୍ଚ ସଂଗ୍ରହ କରିବାଟି ଥିଲା ମୂଳ ଉଦ୍ଦେଶ୍ୟ l
ଅନ୍ୟ ଅତି ମଜାଦାର କଥାଟି ହେଲା ଯେ ପ୍ରତ୍ୟେକ ଯାନ ସ୍ୱଳ୍ପ ଶୁଳ୍କଟି ପୈଠ କରିଦେବା ମାତ୍ରକେ ପ୍ରଦୂଷଣ ମୁକ୍ତି ପ୍ରମାଣପତ୍ରଟି ମିଳିଯିବାର ଦେଖିବାକୁ ମିଳିଲା l ତେଣିକି ଯାନଟିଏ ଭୟଙ୍କର କଳା, ବିଷାକ୍ତ ଧୂଆଁ ଛାଡୁଥାଉ ବା ପ୍ରଚଣ୍ଡ ଶବ୍ଦ କରି ଲୋକଙ୍କ କାନ ଫଟାଉଥାଉ, ସେ ବିଷୟରେ ଆଉ କୌଣସି. ସରକାରୀ ଯାଞ୍ଚ କର୍ମଚାରୀ ଚିନ୍ତିତ ହେବାର ଦେଖାଗଲା ନାହିଁ l ଏମିତି ବି ହେଲା ଯେ ଅସଂଖ୍ୟ ଯାନ ଘରେ ବସି ମଧ୍ୟ ପ୍ରମାଣ ପତ୍ର ହାସଲ କରି ନେଲେ l ଯାନକୁ ନେଇ ବାସ୍ତବ ପରୀକ୍ଷାରେ ପକାଇବା ଦରକାର ହେଲା ନାହିଁ l ଶେଷ ପରିଣାମ ଏଇଆ ହେଲା ଯେ ସମସ୍ତ ଯାନ ପ୍ରଦୂଷଣ-ମୁକ୍ତ ବୋଲି ପ୍ରମାଣିତ ହୋଇ ହସି ହସି ଘରକୁ ଫେରିଲେ ବା ବେପାରବଣିଜକୁ ଫେରି ପୂର୍ବଭଳି ପଇସା କମାଇବା ଆରମ୍ଭ କରିଦେଲେ l
ବାୟୁ, ଭୂମି, ପାଣି ଯେମିତି ପ୍ରଦୂଷିତ ହୋଇ ଚାଲିଥିଲା, ସେମିତି ଅବସ୍ଥାରେ ରହିଲା I ‘କରୋନା ଭୁତାଣୁ’ ଜନିତ କୋଭିଡ କାଳରେ ଯେମିତି ‘ମୁଖା’ ତଥା ‘ହାତ ବିଶୋଧକ’ ନିର୍ମାଣକାରୀ ସବୁଠାରୁ ବ୍ୟସ୍ତ ରହି ଆଖିବୁଜା ଲାଭ କରିଥିଲେ, ଠିକ ସେମିତି, ମଶା-ମାଛି ମାରୁଥିବା ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଗୁଡ଼ିକ ହଠାତ ତତ୍ପର ଏବଂ ସକ୍ରିୟ ହୋଇ ଉଠି କିଛି ପଇସା ରୋଜଗାର କରିଗଲେ l
ମୋହନ ମାଝୀ ସରକାର ଦୋସାଖିଆ ବାଚାଳ ମନ୍ତ୍ରୀ ଭଳି ଅନ୍ୟ କେତେକ ବୋକା ବା ଅହଙ୍କାରୀ ମନ୍ତ୍ରୀଙ୍କୁ ମଣ୍ଡଳରୁ ବାଦ ନଦେଲେ ନିଜେ ତିଷ୍ଠି ରହିବା ଅସମ୍ଭବ ହୋଇ ପଡ଼ିବ l ମୋହନ ମାଝୀ ସରଳ ମଣିଷ l କିନ୍ତୁ କେବଳ ସରଳତା ଲୋକଙ୍କର ଦୁଃଖ-ହରଣ କାମରେ ଲାଗିବାର କୌଣସି ଟାଣୁଆ ଦୃଷ୍ଟାନ୍ତ ନାହିଁ l ଅନେକ କ୍ଷେତ୍ରରେ ତ୍ରୁଟିପୂର୍ଣ ଶାସନ କାରଣରୁ ଜନ ଆକ୍ରୋଶ ତୀବ୍ରରୁ ତୀବ୍ରତର ହେବାରେ ଲାଗିଲାଣି I ପ୍ରବଳ ଜନ ଆକ୍ରୋଶକୁ ଦେଖି ଭୟଭୀତ ହୋଇ ମାଝୀ ପ୍ରଶାସନ ‘ପ୍ରଦୂଷଣ ପ୍ରମାଣ କାଗଜ ନଥିଲେ ତେଲ ନଦେବା ନିୟମ’ ତାରିଖ ଗଡ଼େଇ ଦେଇଥିଲେ ବି ଲୋକେ ଏଭଳି ଜନ ବିରୋଧୀ ନୀତି ନିୟମ ଭୁଲି ପାରୁନାହାନ୍ତି l ମୋହନ ମାଝୀ କ୍ରମେ ଅପାରଗ ଶାସକ ବୋଲି ପ୍ରାୟତଃ ପ୍ରମାଣିତ ହେଲେଣି I ମାଝୀ ମଧ୍ୟ ଜାଣି ରଖିବା ଉଚିତ ଯେ ମୋଦି, ନଡ୍ଡା ବା ଶାହାଙ୍କ ଛତ୍ରଛାୟା ତାଙ୍କ ପାଇଁ ଆଉ ଆଦୌ କାମ କରିବ ନାହିଁ I ଏବେଠୁ ସଜାଗ ନରହିଲେ ସରକାର ପ୍ରତି ବିପଦ ଘନେଇ ଆସୁଛି ଵୋଲି ସରକାରୀ ଲୋକେ ଜାଣିବା ଦରକାର l ସଚ୍ଚୋଟ, ଦକ୍ଷ ଉପଦେଷ୍ଟା ମାନଙ୍କଠାରୁ ସୁକ୍ଷ୍ମ ବୁଦ୍ଧି ଆହରଣ କରି ରାଜ୍ୟକୁ ସୁଶାସନ ଦିଅନ୍ତୁ l ନଚେତ ବିଜେପି ବଦନାମ ହେବା ସହିତ ସରକାର ମଧ୍ୟ ଟଳମଳ ଅବସ୍ଥାକୁ ଖସିଯିବ, ଏଥିରେ ସନ୍ଦେହ ନାହିଁ I ବାକି ଥିବା ସାଢ଼େ ତିନି ବର୍ଷ କେବଳ ଲୋକଙ୍କ ଠାରୁ ଗାଳି ଖିଆରେ ବିତିବ I
What's Your Reaction?