ମନର କଥା ଶୁଣନ୍ତୁ, ଯନ୍ତ୍ରଣାକୁ ବୁଝନ୍ତୁ; ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ
ହସୁଥିବା ମୁହଁ ପଛରେ ଲୁଚିଥାଇପାରେ ଅନେକ ଅକୁହା ଯନ୍ତ୍ରଣା... ମନ ଭିତରେ ଚାଲିଥାଇପାରେ ଅନେକ ଅକୁହା ସଂଘର୍ଷ । ବାହାରକୁ ସବୁକିଛି ଠିକ୍ ଲାଗୁଥିଲେ ବି, ଭିତରେ ଭାଙ୍ଗିପଡ଼ୁଥାଇପାରେ ମଣିଷଟିଏ ।
ହସୁଥିବା ମୁହଁ ପଛରେ ଲୁଚିଥାଇପାରେ ଅନେକ ଅକୁହା ଯନ୍ତ୍ରଣା... ମନ ଭିତରେ ଚାଲିଥାଇପାରେ ଅନେକ ଅକୁହା ସଂଘର୍ଷ । ବାହାରକୁ ସବୁକିଛି ଠିକ୍ ଲାଗୁଥିଲେ ବି, ଭିତରେ ଭାଙ୍ଗିପଡ଼ୁଥାଇପାରେ ମଣିଷଟିଏ । ଆଉ ଏହି ଅକୁହା ଯନ୍ତ୍ରଣାକୁ ବୁଝିବା, ମନର କଥା ଶୁଣିବା ଏବଂ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାର ବାର୍ତ୍ତା ନେଇ ଆଜି ପାଳନ ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ । ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ । ଆମେ ଶରୀର ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ଯାଉ, ଔଷଧ ଖାଉ, ବିଶ୍ରାମ ନେଉ । କିନ୍ତୁ ମନ ଅସୁସ୍ଥ ହେଲେ? ମାନସିକ ଚାପ, ଚିନ୍ତା, ଅବସାଦ ଓ ଏକାକୀପଣ ଯେତେବେଳେ ମଣିଷକୁ ଭିତରୁ ଦୁର୍ବଳ କରିଦିଏ, ସେତେବେଳେ ତାକୁ ଦରକାର ହୁଏ ବୁଝିବାକୁ ଚେଷ୍ଟା କରୁଥିବା ମଣିଷଟିଏ ଏବଂ ଆବଶ୍ୟକ ସହାୟତା ।
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ, କାର୍ଯ୍ୟର ଚାପ, ପାଠପଢ଼ାର ଚିନ୍ତା, ପାରିବାରିକ ସମସ୍ୟା ଓ ସାମାଜିକ ଚାପ ଅନେକଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ଏପରି ସ୍ଥିତିରେ ନିଜ ମନର ଯତ୍ନ ନେବା ଯେତିକି ଜରୁରୀ, ଅନ୍ୟର ମନକଥାକୁ ଧୈର୍ଯ୍ୟର ସହ ଶୁଣିବା ମଧ୍ୟ ସେତିକି ଜରୁରୀ । ମନେ ରଖନ୍ତୁ, ମାନସିକ ସମସ୍ୟା ଦୁର୍ବଳତାର ଲକ୍ଷଣ ନୁହେଁ । ସହାୟତା ମାଗିବା ଲଜ୍ଜାର କଥା ନୁହେଁ । ନିଜର ମାନସିକ ସ୍ଥିତି ଦୀର୍ଘ ସମୟ ଧରି ଖରାପ ରହିଲେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।
ଆଜିର ଦିନରେ ଆସନ୍ତୁ, ଆମେ ଏକ ସଂକଳ୍ପ ନେବା କାହାର ମାନସିକ ସ୍ଥିତିକୁ ନେଇ ଥଟ୍ଟା କରିବା ନାହିଁ, କାହାର ଯନ୍ତ୍ରଣାକୁ ଛୋଟ ଭାବିବା ନାହିଁ । ବରଂ ଶୁଣିବା, ବୁଝିବା ଓ ସାହସ ଦେବା । କାରଣ ମନ ସୁସ୍ଥ ରହିଲେ ହିଁ ଜୀବନ ସୁନ୍ଦର ଲାଗେ । ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସ୍ୱାସ୍ଥ୍ୟର ଏକ ଅବିଚ୍ଛେଦ୍ୟ ଅଂଶ ।
What's Your Reaction?