ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ, ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟ ଶୁଣାଣି

Sep 15, 2026 - 16:31
 0  1
ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ, ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟ ଶୁଣାଣି

ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନକୁ ଓଡ଼ିଶାର ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଖାରଜ କରିଛି। ୨୬ ବର୍ଷ ୬ ମାସରୁ ଅଧିକ ସମୟ ଜେଲ୍‌ରେ କାଟିଥିବା ଦାରା ସିଂହଙ୍କ ମୁକ୍ତିକୁ ନେଇ ସାମାଜିକ ପ୍ରଭାବ ଓ ସାମ୍ପ୍ରଦାୟିକ ଅଶାନ୍ତିର ଆଶଙ୍କା ଦର୍ଶାଯାଇଛି । 

ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ନୂଆ ମୋଡ଼। ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ କଲେ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ। ଦାରା ସିଂହ ଓରଫ୍ ରବୀନ୍ଦ୍ର କୁମାର ପାଲଙ୍କ ଆଗୁଆ ମୁକ୍ତି ବା ସଜା କମାଇବା ଆବେଦନକୁ ଓଡ଼ିଶାର ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଖାରଜ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ବୋର୍ଡର ଏହି ନିଷ୍ପତ୍ତି ଆସିଛି। ରିପୋର୍ଟ ଅନୁସାରେ, ଦାରା ସିଂହ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଜେଲରେ କାଟିସାରିଛନ୍ତି। ଓଡ଼ିଶାର ୨୦୨୨ ମସିହାର ରିମିସନ୍ ନିୟମ ଅନୁସାରେ ତାଙ୍କ ଆଗୁଆ ମୁକ୍ତି ଆବେଦନ ବିଚାରଯୋଗ୍ୟ ହୋଇଥିଲା।

ସେ ୨୦୨୪ରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଅଗଷ୍ଟ ୩୧ରେ ହୋଇଥିବା ବିଶେଷ ବୈଠକରେ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ତାଙ୍କ ଆବେଦନକୁ ଖାରଜ କରିବାକୁ ସୁପାରିସ କରିଛି। ବୋର୍ଡର ମତରେ, ଦାରା ସିଂହଙ୍କୁ ମୁକ୍ତ କରାଗଲେ ସାମାଜିକ ପ୍ରଭାବ ପଡ଼ିବା ସହ ସାମ୍ପ୍ରଦାୟିକ ଅଶାନ୍ତିର ଆଶଙ୍କା ରହିପାରେ। କେନ୍ଦୁଝର ଜିଲ୍ଲା ପ୍ରଶାସନର ସଦ୍ୟ ରିପୋର୍ଟରେ ମଧ୍ୟ ଏହି ଆଶଙ୍କା ଉଲ୍ଲେଖ ହୋଇଥିବା କୁହାଯାଇଛି। ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ରାତିରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଗାଡ଼ି ଭିତରେ ଜୀବନ୍ତ ଜାଳି ଦିଆଯାଇଥିଲା।

ଏହି ଘଟଣା ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ମାମଲାରେ ଦାରା ସିଂହଙ୍କୁ ୨୦୦୩ରେ ଟ୍ରାଏଲ୍ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଦୋଷସିଦ୍ଧିକୁ ବଜାୟ ରଖିଥିଲେ। ଉଲ୍ଲେଖଯୋଗ୍ୟ, ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ ପୂର୍ବରୁ ମଧ୍ୟ ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ଖାରଜ ହୋଇଥିଲା। ଏବେ ବୋର୍ଡର ନୂଆ ନିଷ୍ପତ୍ତି ପରେ ସମସ୍ତଙ୍କ ନଜର ସେପ୍ଟେମ୍ବର ୧୭ର ସୁପ୍ରିମକୋର୍ଟ ଶୁଣାଣି ଉପରେ। ଏହି ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ କିପରି ଗ୍ରହଣ କରୁଛି, ଏବେ ତାହା ଉପରେ ରହିଛି ନଜର। 

What's Your Reaction?

like

dislike

love

funny

angry

sad

wow