ଦିଲ୍ଲୀରେ ଭୟଙ୍କର ''ଡିଜିଟାଲ୍ ଆରେଷ୍ଟ'' : ଏନଆଇଏ-ଏଟିଏସ୍ ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କୁ ୭ ଦିନ ବନ୍ଦୀ
ରାଜଧାନୀ ଦିଲ୍ଲୀରେ ଏକ ସ୍ତବ୍ଧ କରିଦେବା ଭଳି ସାଇବର୍ ଠକେଇ ଘଟଣା ସାମ୍ନାକୁ ଆସିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍)ର ଅଧିକାରୀ ପରିଚୟ ଦେଇ ଜଣେ
ରାଜଧାନୀ ଦିଲ୍ଲୀରେ ଏକ ସ୍ତବ୍ଧ କରିଦେବା ଭଳି ସାଇବର୍ ଠକେଇ ଘଟଣା ସାମ୍ନାକୁ ଆସିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍)ର ଅଧିକାରୀ ପରିଚୟ ଦେଇ ଜଣେ ୭୪ ବର୍ଷୀୟ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ଓ ସାଙ୍ଗରେ ତାଙ୍କ ସ୍ତ୍ରୀଙ୍କୁ ପ୍ରାୟ ୭ ଦିନ ଧରି ‘ଡିଜିଟାଲ୍ ଆରେଷ୍ଟ’ (ଗୃହବନ୍ଦୀ) ରଖିବା ସହ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଠକ। ଗତବର୍ଷ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇଥିବା ମିଥ୍ୟା ଅଭିଯୋଗ ଆଣି, ଆରେଷ୍ଟ କରିବାର ଭୟ ଦେଖାଇ ଦମ୍ପତିଙ୍କର ସଞ୍ଚିତ ପୁଞ୍ଜି ହଡ଼ପ କରାଯାଇଥିଲା। ଅଭିଯୋଗ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣଙ୍କୁ ଗିରଫ କରିଥିବାବେଳେ ଠକ ଆକାଉଣ୍ଟରୁ ୧କୋଟିରୁ ଅଧିକ ଟଙ୍କା ଜବତ ହୋଇଛି।
ପୋଲିସ ସୂଚନାନୁସାରେ, ଦିଲ୍ଲୀ ଦ୍ୱାରକା ଅଞ୍ଚଳର ଏହି ବୃଦ୍ଧଙ୍କ ନିକଟକୁ ଏକ ଭିଡିଓ କଲ୍ ଆସିଥିଲା, ଯେଉଁଥିରେ ସାଇବର ଠକମାନେ ଏନଆଇଏ ଓ ଏଟିଏସ୍ ଅଫିସର ବୋଲି ଦାବି କରି ଲାଲକିଲ୍ଲା ବିସ୍ଫୋରଣର ଅଭିଯୁକ୍ତ ଉମର ନବୀ ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସମ୍ପୃକ୍ତି ଥିବା କହିଥିଲେ। ଏକ ନକଲି ଚୁକ୍ତିପତ୍ର ପଠାଇ, କାହା ସହ କଥା ନହେବାକୁ ବାଧ୍ୟ କରିବା ସହ ରିଜର୍ଭ ବ୍ୟାଙ୍କ ଦ୍ୱାରା ଯାଞ୍ଚ ହେବା ପରେ ଟଙ୍କା ଫେରସ୍ତ ମିଳିବ ବୋଲି କହି ୩୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଇଥିଲେ। ତଦନ୍ତ ଭାର ଗ୍ରହଣ କରିବା ପରେ ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ଆର୍ଥିକ କାରବାରକୁ ଟ୍ରାକ୍ କରି ହରିୟାଣାର ଫତେହାବାଦରୁ ସୁନୀଲ ସିଂଘଲା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯାହାର ଆକାଉଣ୍ଟରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସାଇବର ଠକେଇ କାରବାର ହୋଇଥିଲା। ପୋଲିସର ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବୃଦ୍ଧଙ୍କର ୧୨ ଲକ୍ଷ ଟଙ୍କା ଉଦ୍ଧାର କରାଯାଇ ତାଙ୍କୁ ଫେରସ୍ତ କରାଯାଇଛି। ସୁରକ୍ଷା ଏଜେନ୍ସି ଓ ବଡ଼ ଅପରାଧର ଭୟ ଦେଖାଇ ଲୋକଙ୍କୁ ଶୋଷଣ କରୁଥିବା ଏହି ସାଇବର ଠକଙ୍କ ପ୍ରତି ସଜାଗ ରହିବାକୁ ପୋଲିସ ନିବେଦନ କରିଛି।
What's Your Reaction?