ପିୟୁସିସିକୁ ନେଇ ବଡ଼ ଘୋଷଣା: ଜରିମାନା ରାଶି କୋହଳ କଲେ ରାଜ୍ୟ ସରକାର
ଏହି ଜରିମାନା ରାଶି ୨୦୧୯ ମସିହାରେ ପୂର୍ବ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନର ସରକାର ଏଥିରେ ସଂଶୋଧନ ଆଣି ଲୋକଙ୍କୁ ବଡ଼ ରିହାତି ପ୍ରଦାନ କରିଛନ୍ତି ।
ପିୟୁସିସି ନିୟମକୁ ନେଇ ବଡ଼ ଘୋଷଣା , ଜରିମାନା କମାଇଲେ ରାଜ୍ୟ ସରକାର । ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ବା ପିୟୁସିସି ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ କରାଯାଇଥିବା ମୋଟା ଅଙ୍କର ଜରିମାନା ରାଶିକୁ ହ୍ରାସ କରାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଥିବା ୧୦,୦୦୦ ଟଙ୍କାର ବଡ଼ ଜରିମାନା ରାଶିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବାସ୍ତବରେ ଏହି ଜରିମାନା ରାଶି ୨୦୧୯ ମସିହାରେ ପୂର୍ବ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନର ସରକାର ଏଥିରେ ସଂଶୋଧନ ଆଣି ଲୋକଙ୍କୁ ବଡ଼ ରିହାତି ପ୍ରଦାନ କରିଛନ୍ତି ।
ନୂତନ ସଂଶୋଧିତ ନିୟମ ଅନୁଯାୟୀ, ଗାଡ଼ିର ପ୍ରକାର ଭେଦରେ ଜରିମାନା ରାଶି ସ୍ଥିର କରାଯାଇଛି । ମୋଟରସାଇକେଲ, ବାଇକ୍ ଏବଂ ତିନି ଚକିଆ ଯାନ (ଯାତ୍ରୀବାହୀ କିମ୍ବା ମାଲ ପରିବହନ) କ୍ଷେତ୍ରରେ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ଏଣିକି ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ମୋଟର କ୍ୟାବ୍, ମୋଟର କାର୍, ଜିପ୍, ଟ୍ରାକ୍ଟର ଏବଂ ଟ୍ରେଲର ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୫,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି । ଅନ୍ୟାନ୍ୟ ପରିବହନ ଯାନ ଏବଂ ଉପରୋକ୍ତ ଶ୍ରେଣୀଭୁକ୍ତ ହୋଇନଥିବା ଗାଡ଼ି ଗୁଡ଼ିକ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୩,୦୦୦ ଟଙ୍କା ଏବଂ ପରବର୍ତ୍ତୀ ସମୟ ପାଇଁ ୬,୦୦୦ ଟଙ୍କା ଜରିମାନା ଦେବାକୁ ହେବ ।
ପୂର୍ବରୁ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପ୍ରକ୍ରିୟାକୁ କିଛି ଦିନ ପାଇଁ କୋହଳ କରାଯାଇଥିଲା ଏବଂ ଏହି ଅବଧି ଏପ୍ରିଲ୍ ୧ ଟାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା । ମାତ୍ର ବର୍ତ୍ତମାନ ସରକାର ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମୋଟର ଯାନ ଆଇନର ସଠିକ୍ ଅନୁପାଳନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା ଉପରେ ଯାଞ୍ଚ ସହିତ ଇ-ଡିଟେକ୍ସନ ଜରିଆରେ ମଧ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହା ସହିତ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ, ଯଦି କୌଣସି ଗାଡ଼ିର ଇ-ଚାଲାଣ ୯୦ ଦିନରୁ ଅଧିକ ସମୟ ଧରି ବକେୟା ରହିଛି, ତେବେ ସେହି ଗାଡ଼ିର ପିୟୁସିସି ପ୍ରମାଣପତ୍ର ହୋଇପାରିବ ନାହିଁ । ଆଇନରେ ଏହି ବ୍ୟବସ୍ଥା ରହିଥିବାରୁ ଏହାକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବ । ତେଣୁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହ ନିଜ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଏବଂ ବୀମା ଆଦି ସମସ୍ତ କାଗଜପତ୍ର ଅପ୍-ଟୁ-ଡେଟ୍ ରଖିବାକୁ ସରକାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କାର୍ଯ୍ୟାନୁଷ୍ଠାନ କେବଳ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କରାଯାଉଥିବାରୁ, ସମସ୍ତେ ସଚେତନ ହୋଇ ମୋଟର ଯାନ ଆଇନର ଅନୁପାଳନ କରିବା ଆବଶ୍ୟକ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
What's Your Reaction?