ନିଜ ଦଳରେ ବିଦ୍ରୋହ ! ଉମର ଅବଦୁଲ୍ଲାଙ୍କ ଅଡ଼ୁଆ ବଢ଼ାଇଲେ ୨୪ ବିଧାୟକ

Oct 31, 2026 - 15:12
ନିଜ ଦଳରେ ବିଦ୍ରୋହ ! ଉମର ଅବଦୁଲ୍ଲାଙ୍କ ଅଡ଼ୁଆ ବଢ଼ାଇଲେ ୨୪ ବିଧାୟକ

ଜମ୍ମୁ-କଶ୍ମୀରରେ ନିଜ ଦଳ ନ୍ୟାସନାଲ କନଫରେନ୍ସର ଅସନ୍ତୁଷ୍ଟ ବିଧାୟକଙ୍କ ଚାପରେ ଉମର ଅବଦୁଲ୍ଲା। ଶ୍ରୀନଗରରେ ହୋଇଥିବା ବୈଠକରେ ୨୪ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଇଛି। 

 ଜମ୍ମୁ-କଶ୍ମୀର ରାଜନୀତିରେ ହଲଚଲ। ନିଜ ଦଳ ଭିତରୁ ହିଁ ବିରୋଧର ସାମ୍ନା କରୁଛନ୍ତି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ନିକଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ନ୍ୟାସନାଲ କନଫରେନ୍ସ (ଏନ୍‌ସି)ର କିଛି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି । ଶୁକ୍ରବାର ଶ୍ରୀନଗରରେ ଅସନ୍ତୁଷ୍ଟ ବିଧାୟକଙ୍କ ଏକ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ସମେତ କିଛି ମନ୍ତ୍ରୀଙ୍କୁ ପଦରୁ ହଟାଇବା ଏବଂ ମନ୍ତ୍ରିମଣ୍ଡଳର ପୁନର୍ଗଠନ କରିବାକୁ ଦାବି ଉଠିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଶ୍ରୀନଗରରେ ହୋଇଥିବା ଏହି ବୈଠକରେ ୧୮ ଜଣ ବିଧାୟକ ଯୋଗ ଦେଇଥିଲେ । ଏଥିସହ ଆଉ ୬ ଜଣ ବିଧାୟକ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହୋଇ ଅସନ୍ତୁଷ୍ଟ ଗୋଷ୍ଠୀକୁ ସମର୍ଥନ ଜଣାଇଥିବା କୁହାଯାଉଛି । ଏହି ଗୋଷ୍ଠୀରେ କଶ୍ମୀର ଉପତ୍ୟକା ସହ ଜମ୍ମୁ ଅଞ୍ଚଳର ବିଧାୟକ ମଧ୍ୟ ରହିଛନ୍ତି । ଫଳରେ ଅସନ୍ତୁଷ୍ଟ ଗୋଷ୍ଠୀର ସଂଖ୍ୟା ୨୪ରେ ପହଞ୍ଚିଥିବା ରିପୋର୍ଟରେ ଦାବି କରାଯାଇଛି ।

ବିଧାୟକ କୈସର ଜମଶେଦ ଲୋନଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ ଅସନ୍ତୁଷ୍ଟ ବିଧାୟକମାନେ ଏକ ପ୍ରସ୍ତାବ ଉପରେ ଦସ୍ତଖତ କରିଥିବା ସୂଚନା ମିଳିଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନାସିର ଅସଲମ ୱାନିଙ୍କୁ ପଦରୁ ହଟାଇବା ସହ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କୁ ବରଖାସ୍ତ କରିବାକୁ ଦାବି କରାଯାଇଛି। ଏହାବ୍ୟତୀତ ଦୁଇ ବର୍ଷ ପଦବୀରେ ପୂରଣ କରିଥିବା ମନ୍ତ୍ରୀଙ୍କୁ ହଟାଇ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ପୁନର୍ଗଠନ କରିବାକୁ ମଧ୍ୟ ଦାବି ରହିଛି।

ବୈଠକରେ କିଛି ବରିଷ୍ଠ ବିଧାୟକ ଭାବବିହ୍ୱଳ ହୋଇପଡ଼ିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି। ଦଳୀୟ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ଆଚରଣକୁ ନେଇ ସେମାନେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଜଣେ ଅସନ୍ତୁଷ୍ଟ ବିଧାୟକ କହିଛନ୍ତି, ସେମାନେ ଦଳ ବିରୋଧରେ ନାହାନ୍ତି। କିନ୍ତୁ ଦଳ ଓ ସରକାରରେ ପୂର୍ବଭଳି ସବୁକିଛି ଚାଲିପାରିବ ନାହିଁ। ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣିବା ଦରକାର।

ଜମ୍ମୁ-କଶ୍ମୀର ବିଧାନସଭାରେ ମୋଟ ୯୦ଟି ଆସନ ରହିଛି। ଏଥିରୁ ନ୍ୟାସନାଲ କନଫରେନ୍ସର ୪୧ ଜଣ ବିଧାୟକ ଅଛନ୍ତି। କଂଗ୍ରେସର ୬ ଜଣ ବିଧାୟକଙ୍କ ସମର୍ଥନ ସହ ଅନ୍ୟ କିଛି ଛୋଟ ଦଳ ଓ ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ଉମର ଅବଦୁଲ୍ଲା ସରକାର ଗଠନ କରିଛନ୍ତି । ତେବେ ଏହି ଅସନ୍ତୋଷ ଯଦି ଆଗକୁ ବଢ଼େ, ତେବେ ସରକାର ଓ ଦଳର ଏକତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ । ତଥାପି ଅସନ୍ତୁଷ୍ଟ ବିଧାୟକମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା କିମ୍ବା ଦଳ ଭାଙ୍ଗିବା ନେଇ କୌଣସି ଔପଚାରିକ ଘୋଷଣା କରିନାହାନ୍ତି । 

ଏପଟେ ଦଳ ଭିତରେ ଅସନ୍ତୋଷ ମଧ୍ୟରେ ଶ୍ରୀନଗରର ନ୍ୟାସନାଲ କନଫରେନ୍ସ ସାଂସଦ ଆଗା ସୟଦ ରୁହୁଲ୍ଲା ମେହଦୀ ମଧ୍ୟ ଦଳ ଛାଡ଼ିବାକୁ ଘୋଷଣା କରିଛନ୍ତି। ସେ ନଭେମ୍ବର ୩ ତାରିଖରେ ଦଳୀୟ ସଦସ୍ୟତା ସହ ଲୋକସଭା ଆସନରୁ ଇସ୍ତଫା ଦେବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦଳର ନିର୍ବାଚନୀ ପ୍ରତିଶ୍ରୁତି, ବିଶେଷକରି ଧାରା ୩୭୦ ପୁନଃସ୍ଥାପନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି । ଏବେ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ଉମର ଅବଦୁଲ୍ଲା କିପରି ସମ୍ଭାଳୁଛନ୍ତି ଏବଂ ବିଧାୟକଙ୍କ ଦାବି ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର । 

What's Your Reaction?

like

dislike

love

funny

angry

sad

wow