ଭାରତୀୟ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା, ତଲବ ହେଲେ ପାକ୍ ଚାର୍ଜ ଦ'ଆଫେୟାର୍ସ

Sep 16, 2026 - 14:16
 0  1
ଭାରତୀୟ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା, ତଲବ ହେଲେ ପାକ୍ ଚାର୍ଜ ଦ'ଆଫେୟାର୍ସ

ଉତ୍ତର ଆରବ ସାଗରରେ ଭାରତୀୟ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନାର ଏକ ଜାହାଜ ଧକ୍କା ହୋଇଛି। ଘଟଣାରେ ବଡ଼ କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଭାରତ ଏହାକୁ ଗମ୍ଭୀରତାର ସହ ନେଇଛି। ନୂଆଦିଲ୍ଲୀ ପାକିସ୍ତାନୀ ଚାର୍ଜ ଦ'ଆଫେୟାର୍ସଙ୍କୁ ତଲବ କରି ଔପଚାରିକ ପ୍ରତିବାଦ ଜଣାଇଛି। 

ଉତ୍ତର ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ମଧ୍ୟରେ ଘଟିଛି ଏକ ଗମ୍ଭୀର ସାମୁଦ୍ରିକ ଘଟଣା । ମଙ୍ଗଳବାର ସନ୍ଧ୍ୟାରେ ଅନ୍ତର୍ଜାତୀୟ ଜଳରେ ଭାରତୀୟ ନୌସେନାର ଏକ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନାର ଏକ ଜାହାଜ ଧକ୍କା ହୋଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି । ଘଟଣାରେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ଭାରତ ସରକାର କିନ୍ତୁ ଗମ୍ଭୀର ଆପତ୍ତି ପ୍ରକଟ କରିଛି । 

ସୂଚନା ଅନୁସାରେ, ଭାରତୀୟ ଯୁଦ୍ଧପୋତଟି ଉତ୍ତର ଆରବ ସାଗରରେ ପେଟ୍ରୋଲିଂ ଓ ନିରୀକ୍ଷଣ କାର୍ଯ୍ୟରେ ନିୟୋଜିତ ଥିଲା । ଏହି ସମୟରେ ପାକିସ୍ତାନୀ ନୌସେନାର ଜାହାଜଟି ଦ୍ରୁତ ଗତିରେ ଭାରତୀୟ ଯୁଦ୍ଧପୋତ ନିକଟକୁ ଆସିଥିଲା। ଭାରତର ଅଭିଯୋଗ ଅନୁସାରେ, ପାକିସ୍ତାନୀ ଜାହାଜର ଚାଳନା ଅସୁରକ୍ଷିତ ଓ ଅପେଶାଦାର ଥିଲା, ଯାହା ଫଳରେ ଦୁଇ ନୌସେନା ଜାହାଜ ମଧ୍ୟରେ ଧକ୍କା ହୋଇଥିଲା ।

ଘଟଣାଟି ଅନ୍ତର୍ଜାତୀୟ ଜଳସୀମାରେ ଘଟିଥିବାରୁ ଏହାକୁ ନେଇ ଭାରତ ବିଶେଷ ସତର୍କତା ଅବଲମ୍ବନ କରିଛି। ଭାରତୀୟ ପକ୍ଷରୁ କୁହାଯାଇଛି ଯେ ଏଭଳି ସାମୁଦ୍ରିକ ଘଟଣାକୁ ଏଡ଼ାଇବା ପାଇଁ ଦୁଇ ଦେଶ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣା ଓ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ।

ଘଟଣା ପରେ ବୁଧବାର ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନର ଚାର୍ଜ ଦ'ଆଫେୟାର୍ସଙ୍କୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ତଲବ କରିଛି । ତାଙ୍କୁ ଭାରତର ଆପତ୍ତି ଜଣାଇବା ସହ ପାକିସ୍ତାନୀ ନୌସେନା ଜାହାଜର ଆଚରଣକୁ ନେଇ ଔପଚାରିକ ପ୍ରତିବାଦ କରାଯାଇଛି । ଭାରତ ଏହି ଆଚରଣକୁ ‘ଅଗ୍ରହଣୀୟ’ ଓ ‘ଅପେଶାଦାର’ ବୋଲି ବର୍ଣ୍ଣନା କରିଛି ।

ଭାରତ ଏହା ମଧ୍ୟ ଦର୍ଶାଇଛି ଯେ ଏଭଳି ଘଟଣା ୧୯୯୧ ମସିହାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ‘Advance Notice on Military Exercises, Manoeuvres and Troops Movements’ ଚୁକ୍ତିର ବ୍ୟବସ୍ଥା ସହ ସମ୍ପର୍କିତ । ଏହି ଚୁକ୍ତିର ଧାରା-୧୦ରେ ଅନ୍ତର୍ଜାତୀୟ ଜଳରେ ଦୁଇ ଦେଶର ନୌସେନା ଜାହାଜ ଓ ବୁଡ଼ାଜାହାଜ ପରସ୍ପରଠାରୁ ଅତି କମ୍‌ରେ ୩ ନଟିକାଲ୍ ମାଇଲ୍ ଦୂରତା ରଖିବାର ବ୍ୟବସ୍ଥା ରହିଛି, ଯାହାର ଉଦ୍ଦେଶ୍ୟ ଦୁର୍ଘଟଣା ଏଡ଼ାଇବା ।

ଏହି ପରିପ୍ରେକ୍ଷୀରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପାକିସ୍ତାନୀ ଚାର୍ଜ ଦ'ଆଫେୟାର୍ସଙ୍କୁ ଭାରତର ଆପତ୍ତି ସମ୍ପର୍କିତ ବାର୍ତ୍ତା ତାଙ୍କ ସରକାର ଓ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ କହିଛି। ଏଥିସହ ଇସ୍‌ଲାମାବାଦରେ ଥିବା ଭାରତୀୟ ପ୍ରତିନିଧି ମଧ୍ୟ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ନିକଟରେ ସମାନ ପ୍ରସଙ୍ଗ ଉଠାଇବେ ବୋଲି ରିପୋର୍ଟରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ସମୁଦ୍ରରେ ନୌସେନା ଜାହାଜକୁ ନେଇ ଏଭଳି ବିବାଦ ପୂର୍ବରୁ ମଧ୍ୟ ଦେଖାଦେଇଛି। ୨୦୧୧ରେ ଭାରତୀୟ ଯୁଦ୍ଧପୋତ INS Godavari ଓ ପାକିସ୍ତାନୀ ଜାହାଜ PNS Babur ମଧ୍ୟରେ ଧକ୍କା ସଦୃଶ ଘଟଣା ପରେ ଉଭୟ ପକ୍ଷ ପରସ୍ପର ଉପରେ ଅଭିଯୋଗ ଲଗାଇଥିଲେ । ସେତେବେଳେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ମଧ୍ୟ ୧୯୯୧ ଚୁକ୍ତିର ଧାରା-୧୦ ଓ ସମୁଦ୍ରରେ ନୌସେନା ଜାହାଜର ସୁରକ୍ଷିତ ଚଳାଚଳ ସମ୍ପର୍କିତ ନିୟମର ଉଲ୍ଲେଖ କରିଥିଲା ।

What's Your Reaction?

like

dislike

love

funny

angry

sad

wow