ଭାରତ ବାଂଲାଦେଶ କି ନେପାଳ ନୁହେଁ, ସରକାର ପରିବର୍ତ୍ତନ ନେଇ କହିଲେ ପ୍ରକାଶ ରାଜ
ଭାରତରେ ସରକାର ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଲେ ଅଭିନେତା ତଥା ସାମାଜିକ କର୍ମୀ ପ୍ରକାଶ ରାଜ । ସରକାର ପରିବର୍ତ୍ତନ ହେବ, କିନ୍ତୁ ତାହା ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଉପାୟରେ ହେବ ବୋଲି ସେ କହିଛନ୍ତି ।
ଭାରତରେ ସରକାର ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଲେ ଅଭିନେତା ତଥା ସାମାଜିକ କର୍ମୀ ପ୍ରକାଶ ରାଜ । ସରକାର ପରିବର୍ତ୍ତନ ହେବ, କିନ୍ତୁ ତାହା ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଉପାୟରେ ହେବ ବୋଲି ସେ କହିଛନ୍ତି । ଏଥିସହ ଭାରତ ବାଂଲାଦେଶ କିମ୍ବା ନେପାଳ ନୁହେଁ ବୋଲି କହି ଉଭୟ ଦେଶରେ ହୋଇଥିବା ସରକାର ବିରୋଧୀ ଜନଆନ୍ଦୋଳନର ଉଦାହରଣ ଦେଇଛନ୍ତି ପ୍ରକାଶ ରାଜ ।
ଦିଲ୍ଲୀରେ ତ୍ରିରଙ୍ଗା ଶୋଭାଯାତ୍ରା ପୂର୍ବରୁ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଅଟକ ରଖାଯିବା ପରେ ପ୍ରକାଶ ରାଜଙ୍କ ଏହି ବୟାନ ସାମ୍ନାକୁ ଆସିଛି । ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ CJP ପକ୍ଷରୁ ପ୍ରତିବାଦ କରାଯାଉଛି । ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଏହି ସଂଗଠନ ଅଭିଯୋଗ କରିଛି ।
ପ୍ରକାଶ ରାଜ କହିଛନ୍ତି, ସେମାନେ ସରକାର ପରିବର୍ତ୍ତନ ଚାହୁଁଛନ୍ତି, କିନ୍ତୁ ଭାରତରେ ଏହା ନିର୍ବାଚନ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ହେବ । ଉତ୍ତରପ୍ରଦେଶରୁ ଆରମ୍ଭ କରି ୨୦୨୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନିର୍ବାଚନୀ ଲଢ଼େଇ ଜାରି ରହିବ ବୋଲି ସେ ସଙ୍କେତ ଦେଇଛନ୍ତି । ଭାରତରେ ଆମ୍ବେଦକର, ମହାତ୍ମା ଗାନ୍ଧୀ, ଭଗତ ସିଂହଙ୍କ ଆଦର୍ଶ ଏବଂ ସମ୍ବିଧାନ ରହିଛି । ଲୋକଙ୍କ ପାଖରେ ଭୋଟ୍ ଦେବାର ଅଧିକାର ରହିଛି ବୋଲି କହିଛନ୍ତି ପ୍ରକାଶ ରାଜ ।
ପ୍ରତିବାଦକୁ ନେଇ ସରକାରଙ୍କୁ ଟାର୍ଗେଟ୍:
ଏଥିସହ ପ୍ରତିବାଦକାରୀଙ୍କ ସହ ସରକାର ଆଲୋଚନା ନକରି ବଳ ପ୍ରୟୋଗ କରୁଥିବା ଅଭିଯୋଗ ଆଣିଛନ୍ତି ସେ। ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା, ସରକାରଙ୍କୁ ପ୍ରଶ୍ନ କରିବା ଏବଂ ଭୋଟ୍ ମାଧ୍ୟମରେ ନିଜ ମତ ରଖିବା ନାଗରିକଙ୍କ ସାମ୍ବିଧାନିକ ଅଧିକାର ବୋଲି ସେ କହିଛନ୍ତି । ଆମେ ଅସ୍ତ୍ରଶସ୍ତ୍ର ଧରିନାହୁଁ, ଆମ ହାତରେ ସମ୍ବିଧାନ ଏବଂ ପ୍ରତିବାଦ କରିବାର ଅଧିକାର ରହିଛି ବୋଲି ପ୍ରକାଶ ରାଜ କହିଛନ୍ତି ।
‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ପ୍ରଶ୍ନ:
ଅନ୍ୟପଟେ, ତ୍ରିରଙ୍ଗା ଶୋଭାଯାତ୍ରା ପୂର୍ବରୁ ଅଟକ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି ପ୍ରକାଶ ରାଜ । ‘ହର ଘର ତ୍ରିରଙ୍ଗା’ ଅଭିଯାନର ନାରା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶର ଯୁବପିଢ଼ି ତ୍ରିରଙ୍ଗା ଧରି ରାସ୍ତାକୁ ଓହ୍ଲାଇବାକୁ ଚାହୁଁଥିବା ସେ କହିଛନ୍ତି । ପ୍ରତିବାଦ ସମୟରେ ମହିଳାଙ୍କ ସମେତ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ବଳ ପ୍ରୟୋଗ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗକୁ ସଂସଦର ଶୀତକାଳୀନ ଅଧିବେଶନରେ ଉଠାଇବାକୁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।
ଚାଷୀ ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ବିଭିନ୍ନ ନାଗରିକ ସଂଗଠନର ସମର୍ଥନ ଥିବା ଦାବି କରି ଆଗାମୀ ଦିନରେ ପ୍ରତିବାଦ ଆହୁରି ବ୍ୟାପକ ହେବ ବୋଲି ସେ କହିଛନ୍ତି । ତେବେ ପ୍ରକାଶ ରାଜଙ୍କ ଏହି ବୟାନ ପରେ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି । ସରକାର ପରିବର୍ତ୍ତନ ପାଇଁ ଆନ୍ଦୋଳନ ନା ନିର୍ବାଚନୀ ଲଢ଼େଇ—ଆଗାମୀ ଦିନରେ ଏହି ପ୍ରତିବାଦ କେଉଁ ଦିଗକୁ ଯାଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର ।
What's Your Reaction?