ସବୁବେଳେ ଘାରୁଛି କି ଚିନ୍ତା ? ଆପଣଙ୍କୁ ହୋଇଥାଇପାରେ ବ୍ରେନ୍ ଫଗ୍,ଜାଣନ୍ତୁ ମସ୍ତିଷ୍କ ଉପରେ ପକାଏ କି ପ୍ରଭାବ ?
ବ୍ରେନ୍ ଫଗ୍ କୌଣସି ସ୍ୱତନ୍ତ୍ର ରୋଗ କିମ୍ବା ଔପଚାରିକ ଡାକ୍ତରୀ ରୋଗ ନିର୍ଣ୍ଣୟ ନୁହେଁ । ଏହା ଏକାଗ୍ରତା, ସ୍ମରଣଶକ୍ତି ଏବଂ ମାନସିକ ସ୍ପଷ୍ଟତା ସହ ଜଡ଼ିତ ସମସ୍ୟାକୁ ବୁଝାଇଥାଏ । ତେବେ ଏହା ପଛରେ ଆଞ୍ଜାଇଟି ବା ଅତ୍ୟଧିକ ଚିନ୍ତା ଏକ କାରଣ ହୋଇପାରେ ।
କୌଣସି କାମରେ ମନ ଲଗାଇବାକୁ ଚାହୁଥିଲେ ମଧ୍ୟ ବାରମ୍ବାର ଅନ୍ୟ ଚିନ୍ତା ମନକୁ ଘାରୁଛି କି ? କୌଣସି କଥା ମନେ ପକାଇବାକୁ ଅଧିକ ସମୟ ଲାଗୁଛି, ମିଟିଂରେ କୁହାଯାଇଥିବା କଥା ବୁଝିବାରେ ଅସୁବିଧା ହେଉଛି କିମ୍ବା ଛୋଟ ଛୋଟ ନିଷ୍ପତ୍ତି ନେବା ମଧ୍ୟ କଷ୍ଟକର ହୋଇପଡ଼ୁଛି ? ତେବେ ଏହାକୁ ବ୍ରେନ୍ ଫଗ୍ ବା ମସ୍ତିଷ୍କରେ ଧୂଆଁଳିଆ ଅବସ୍ଥା ବୋଲି କୁହାଯାଏ ।
ବ୍ରେନ୍ ଫଗ୍ କୌଣସି ସ୍ୱତନ୍ତ୍ର ରୋଗ କିମ୍ବା ଔପଚାରିକ ଡାକ୍ତରୀ ରୋଗ ନିର୍ଣ୍ଣୟ ନୁହେଁ । ଏହା ଏକାଗ୍ରତା, ସ୍ମରଣଶକ୍ତି ଏବଂ ମାନସିକ ସ୍ପଷ୍ଟତା ସହ ଜଡ଼ିତ ସମସ୍ୟାକୁ ବୁଝାଇଥାଏ । ତେବେ ଏହା ପଛରେ ଆଞ୍ଜାଇଟି ବା ଅତ୍ୟଧିକ ଚିନ୍ତା ଏକ କାରଣ ହୋଇପାରେ । ଭବିଷ୍ୟତକୁ ନେଇ ଲଗାତାର ଚିନ୍ତା କରିବା, ଗୋଟିଏ କଥାକୁ ବାରମ୍ବାର ଭାବିବା ଏବଂ ଠିକ୍ରେ ନିଦ ନହେବା ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିପାରେ। ତେବେ କେବଳ ଆଙ୍ଗଜାଇଟି ନୁହେଁ, ନିଦ୍ରାଭାବ, କିଛି ଔଷଧ ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବ୍ରେନ୍ ଫଗ୍ର କାରଣ ହୋଇପାରେ ।
ଆଞ୍ଜାଇଟି ହେଲେ କାହିଁକି ହୁଏ ବ୍ରେନ୍ ଫଗ୍ ?
ଆଞ୍ଜାଇଟି ହେଲେ ଜଣେ ବ୍ୟକ୍ତିଙ୍କ ଧ୍ୟାନ ପ୍ରାୟତଃ କୌଣସି ସମ୍ଭାବ୍ୟ ବିପଦ, ସମସ୍ୟା କିମ୍ବା ଅନିଶ୍ଚିତତା ଉପରେ ରହିଥାଏ । ଉଦାହରଣ ସ୍ୱରୂପ, ଅଫିସ୍ରେ କୌଣସି ଜରୁରୀ କାମର ଡେଡ୍ଲାଇନ୍ ପାଖେଇ ଆସିବା, ପରିବାରକୁ ନେଇ ଚିନ୍ତା କିମ୍ବା ସ୍ୱାସ୍ଥ୍ୟ ସମ୍ପର୍କିତ ଭୟ ମନରେ ରହିବା ଯୋଗୁଁ ବ୍ୟକ୍ତି ବାରମ୍ବାର ସେହି କଥା ଭାବିଥାନ୍ତି । ଫଳରେ ବର୍ତ୍ତମାନ କରୁଥିବା କାମ ଉପରେ ଧ୍ୟାନ ଦେବା ପାଇଁ ମସ୍ତିଷ୍କର ମାନସିକ ସମ୍ବଳ କମିଯାଇପାରେ ।
ତଥ୍ୟ ଅନୁସାରେ, କୌଣସି ସୂଚନାକୁ ବୁଝିବା, ମନେ ରଖିବା ଏବଂ ତାହା ଉପରେ କାମ କରିବା ପାଇଁ ମସ୍ତିଷ୍କକୁ ଏକାଗ୍ରତାର ଆବଶ୍ୟକତା ରହିଥାଏ । କିନ୍ତୁ ଏହି ସମୟରେ ଯଦି ମନରେ ଲଗାତାର ଚିନ୍ତାଜନକ ଭାବନା ଆସୁଥାଏ, ତେବେ ଚିନ୍ତା କରିବାର ଗତି ଧୀର ହୋଇଯାଇଥିବା ଭଳି ଅନୁଭବ ହୋଇପାରେ । କୌଣସି କଥା ବୁଝିବା ପାଇଁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଏହି ଅନୁଭୂତିକୁ ବ୍ରେନ୍ ଫଗ୍ କୁହାଯାଏ ।
ଏନ୍ସିବିଆଇର ତଥ୍ୟ ଅନୁସାରେ, ଏକାଗ୍ରତା ଅର୍ଥାତ୍ କୌଣସି କାମ ଉପରେ ଧ୍ୟାନ ବଜାୟ ରଖିବା । ସେହିପରି ୱାର୍କିଂ ମେମୋରି ହେଉଛି ଅଳ୍ପ ସମୟ ପାଇଁ ମସ୍ତିଷ୍କରେ ସୂଚନା ରଖି ତାହାକୁ ବ୍ୟବହାର କରିବାର କ୍ଷମତା । ଯେପରିକି କାହାର ଫୋନ୍ ନମ୍ବର ଶୁଣି ତାହାକୁ ଡାଏଲ୍ କରିବା, ମିଟିଂରେ ଦିଆଯାଇଥିବା ଏକାଧିକ ନିର୍ଦ୍ଦେଶ ମନେ ରଖିବା କିମ୍ବା ହିସାବ କରିବା ସମୟରେ ବିଭିନ୍ନ ସଂଖ୍ୟାକୁ ମନେ ରଖିବା । ଲଗାତାର ଆଞ୍ଜାଇଟିରେ ରହିଲେ ମସ୍ତିଷ୍କର ଏକ ଅଂଶ ବର୍ତ୍ତମାନର କାମ ବଦଳରେ ସମ୍ଭାବ୍ୟ ସମସ୍ୟା ବିଷୟରେ ଚିନ୍ତା କରିବାରେ ବ୍ୟସ୍ତ ରହିପାରେ । ଯେପରିକି କୌଣସି ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିବା ସମୟରେ 'ଯଦି ମୋର ଭୁଲ୍ ହୋଇଯାଏ ତେବେ କ'ଣ ହେବ ?' ଭଳି ଚିନ୍ତା ବାରମ୍ବାର ମନକୁ ଆସିଲେ କାମ ଉପରେ ଧ୍ୟାନ ରଖିବା କଷ୍ଟକର ହୋଇପାରେ ।
ବ୍ରେନ୍ ଫଗ୍ ଯୋଗୁଁ ଦୈନନ୍ଦିନ କାମ ଓ ନିଷ୍ପତ୍ତି ନେବାରେ ହୁଏ ସମସ୍ୟା
ବ୍ରେନ୍ ଫଗ୍ ଅନୁଭବ ହେଲେ ଦୈନନ୍ଦିନ ଜୀବନର ଛୋଟ ଛୋଟ କାମ ମଧ୍ୟ କଷ୍ଟକର ଲାଗିପାରେ । ଇମେଲ୍ର ଉତ୍ତର ଲେଖିବା, କିଣାକିଣି ପାଇଁ ତାଲିକା ପ୍ରସ୍ତୁତ କରିବା, କଥାବାର୍ତ୍ତା ସମୟରେ ଠିକ୍ ଶବ୍ଦ ମନେ ପକାଇବା କିମ୍ବା ଦିନସାରା କରିବାକୁ ଥିବା କାମର ପ୍ରାଥମିକତା ସ୍ଥିର କରିବାରେ ଅସୁବିଧା ହୋଇପାରେ । କାରଣ ଏସବୁ କାମ ପାଇଁ ଏକାଗ୍ରତା, ସୂଚନାକୁ ସଠିକ୍ ଭାବେ ସଜାଡ଼ିବା ଏବଂ ଗୋଟିଏ ଚିନ୍ତାରୁ ଅନ୍ୟ ଚିନ୍ତାକୁ ଯିବାର କ୍ଷମତା ଆବଶ୍ୟକ । ମସ୍ତିଷ୍କରେ ଯଦି ଲଗାତାର ଚିନ୍ତା ଚାଲିଥାଏ, ତେବେ ଜଣେ ବ୍ୟକ୍ତି ସାଧାରଣ ନିଷ୍ପତ୍ତି ନେବା ପୂର୍ବରୁ ମଧ୍ୟ ତାହାର ସମସ୍ତ ସମ୍ଭାବ୍ୟ ପରିଣାମ ବିଷୟରେ ଅଧିକ ଭାବିପାରନ୍ତି । ଭୁଲ୍ ନିଷ୍ପତ୍ତି ହୋଇଯିବାର ଭୟ ଯୋଗୁଁ ବାରମ୍ବାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ଏହାଦ୍ୱାରା ନିଷ୍ପତ୍ତି ନେବାରେ ବିଳମ୍ବ ହେବା ସହ ଆତ୍ମବିଶ୍ୱାସ ମଧ୍ୟ କମିପାରେ ।
ଏନ୍ସିବିଆଇରେ ପ୍ରକାଶିତ ଗବେଷଣା ଅନୁସାରେ, ଆଙ୍ଗଜାଇଟି ଏବଂ ଚିନ୍ତା କରିବାର କ୍ଷମତା ମଧ୍ୟରେ ସମ୍ପର୍କ ରହିଛି । କିଛି ଲୋକଙ୍କ କ୍ଷେତ୍ରରେ ଅତ୍ୟଧିକ ଚିନ୍ତା ୱାର୍କିଂ ମେମୋରି ଏବଂ କଗ୍ନିଟିଭ୍ ଫ୍ଲେକ୍ସିବିଲିଟିକୁ ପ୍ରଭାବିତ କରିପାରେ । ତେବେ ବ୍ରେନ୍ ଫଗ୍ର ଅନୁଭୂତି କେବଳ ଆଙ୍ଗଜାଇଟି ଯୋଗୁଁ ହୋଇନଥାଏ । ଦୀର୍ଘ ସମୟ ଧରି ଏହି ସମସ୍ୟା ରହିଲେ, ହଠାତ୍ ଆରମ୍ଭ ହେଲେ କିମ୍ବା ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହେଲେ ଅନ୍ୟ ସମ୍ଭାବ୍ୟ କାରଣର ଯାଞ୍ଚ କରିବା ଜରୁରୀ ।
ବ୍ରେନ୍ ଫଗ୍ରୁ ମୁକ୍ତି ପାଇଁ କ'ଣ କରିବେ?
ଆଙ୍ଗଜାଇଟି ସହ ବ୍ରେନ୍ ଫଗ୍ ଅନୁଭବ ହେଉଥିଲେ ଦୈନନ୍ଦିନ ଜୀବନଶୈଳୀରେ କିଛି ପରିବର୍ତ୍ତନ ଲାଭଦାୟକ ହୋଇପାରେ । ଏକାଥରକେ ଅଧିକ କାମ କରିବା ବଦଳରେ ଗୋଟିଏ ସମୟରେ ଗୋଟିଏ କାମ କରନ୍ତୁ । ଜରୁରୀ ନିର୍ଦ୍ଦେଶ, ଆପଏଣ୍ଟମେଣ୍ଟ ଏବଂ କାମର ତାଲିକା ଲେଖି ରଖନ୍ତୁ । ଏହାଦ୍ୱାରା ସବୁକିଛି ମନେ ରଖିବାର ଚାପ କମିପାରେ । ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଏବଂ ଉଠିବା ଅଭ୍ୟାସ କରନ୍ତୁ । ଶୋଇବା ପୂର୍ବରୁ ମୋବାଇଲ୍ କିମ୍ବା ଅନ୍ୟ ସ୍କ୍ରିନ୍ର ବ୍ୟବହାର ଏବଂ କ୍ୟାଫିନ୍ ସେବନ କମାଇବା ଉପଯୋଗୀ ହୋଇପାରେ । ଏହା ସହ କିଛି ମିନିଟ୍ ଧୀରେ ଧୀରେ ନିଶ୍ୱାସ ନେବା ଓ ଛାଡ଼ିବା ଉପରେ ଧ୍ୟାନ ଦିଅନ୍ତୁ । ଏହା ଚାପ ସମୟରେ କିଛି ଲୋକଙ୍କୁ ଶାନ୍ତ ଅନୁଭବ କରିବାରେ ସହାୟତା କରିପାରେ ।
ନିଜ ସାମର୍ଥ୍ୟ ଅନୁସାରେ ନିୟମିତ ଚାଲିବା କିମ୍ବା ହାଲୁକା ବ୍ୟାୟାମ କରିବା ଅଭ୍ୟାସ କରନ୍ତୁ । ଯେତେବେଳେ କୌଣସି ଚିନ୍ତା ବାରମ୍ବାର ମନକୁ ଆସୁଛି, ସେହି କଥାକୁ ଲେଖି ରଖନ୍ତୁ ଏବଂ ତାହାର ସମାଧାନ ପାଇଁ ଏବେ କ'ଣ ପଦକ୍ଷେପ ନିଆଯାଇପାରିବ ତାହା ଭାବନ୍ତୁ । ଆଞ୍ଜାଇଟି ଏବଂ ବ୍ରେନ୍ ଫଗ୍ ମଧ୍ୟରେ ସମ୍ପର୍କ ଥାଇପାରେ । ଲଗାତାର ଚିନ୍ତା କରିବା ଦ୍ୱାରା ଧ୍ୟାନ ଚିନ୍ତାଜନକ ଭାବନା ଆଡ଼କୁ ଚାଲିଯାଏ, ଯାହା ଏକାଗ୍ରତା, ସ୍ମରଣଶକ୍ତି ଏବଂ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଭାବିତ କରିପାରେ । ଖରାପ ନିଦ ଏହି ସମସ୍ୟାକୁ ଆହୁରି ବଢ଼ାଇପାରେ । ତେବେ ବ୍ରେନ୍ ଫଗ୍ର ସବୁ ମାମଲା ଆଙ୍ଗଜାଇଟି ଯୋଗୁଁ ହୋଇନଥାଏ । ତେଣୁ ଲକ୍ଷଣ ଦୀର୍ଘ ସମୟ ଧରି ରହିଲେ କିମ୍ବା ଦୈନନ୍ଦିନ ଜୀବନକୁ ପ୍ରଭାବିତ କଲେ ଡାକ୍ତର କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ।
What's Your Reaction?