ଅନଲାଇନ୍ ଶୋଷଣ ଉପରେ ମେଟାର ଆକ୍ସନ୍, ଏଜେନ୍ସିକୁ ଦେବ ସୂଚନା

Sep 15, 2026 - 16:28
 0  1
ଅନଲାଇନ୍ ଶୋଷଣ ଉପରେ ମେଟାର ଆକ୍ସନ୍, ଏଜେନ୍ସିକୁ ଦେବ ସୂଚନା

ଭାରତରେ ସୋସିଆଲ ମିଡିଆରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମେଟାର ବରିଷ୍ଠ ଅଧିକାରୀମାନଙ୍କୁ ସମନ କରିଥିଲେ। 

ଭାରତରେ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷାକୁ ନେଇ ସୋସିଆଲ ମିଡିଆ କମ୍ପାନୀ ‘ମେଟା’ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କମ୍ପାନି ନିଜ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ସହ ଜଡ଼ିତ ସମସ୍ତ ମାମଲାର ତଥ୍ୟ ଭାରତୀୟ ଆଇନ ପ୍ରବର୍ତ୍ତନକାରୀ ତଥା ତଦନ୍ତକାରୀ ସଂସ୍ଥାଗୁଡ଼ିକ ସହିତ ସେୟାର କରିବାକୁ ରାଜି ହୋଇଛି। ଏହାର ସିଧାସଳଖ ଅର୍ଥ ହେଉଛି- ଯଦି ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ କୌଣସି ଆପତ୍ତିଜନକ କଣ୍ଟେଣ୍ଟ ସାମ୍ନାକୁ ଆସେ, ତେବେ କମ୍ପାନି କେବଳ ତାହାକୁ ହଟାଇ ନୀରବ ରହିବ ନାହିଁ, ବରଂ ସେହି ଅପରାଧର ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ଓ ତଦନ୍ତ ସଂସ୍ଥାକୁ ପ୍ରଦାନ କରିବ।

ଭାରତରେ ସୋସିଆଲ ମିଡିଆରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମେଟାର ବରିଷ୍ଠ ଅଧିକାରୀମାନଙ୍କୁ ସମନ କରିଥିଲେ। ଏଭଳି ଆପତ୍ତିଜନକ ସାମଗ୍ରୀର ଚିହ୍ନଟ, ତାହାକୁ ହଟାଇବା ଏବଂ ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ କରିବା ପ୍ରକ୍ରିୟା ଉପରେ ଆୟୋଗ କମ୍ପାନୀ ନିକଟରୁ ସ୍ପଷ୍ଟୀକରଣ ମାଗିଥିଲେ।

ଭାରତରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମକୁ କୋଟି କୋଟି ଲୋକ ବ୍ୟବହାର କରୁଥିବାରୁ ଏହି ପ୍ଲାଟଫର୍ମଗୁଡ଼ିକର ଦାୟିତ୍ୱ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମେଟା ପୂର୍ବରୁ ଏଆଇ ପ୍ରଯୁକ୍ତି ମାଧ୍ୟମରେ ଏଭଳି ସାମଗ୍ରୀଗୁଡ଼ିକୁ ହଟାଉଥିଲା, କିନ୍ତୁ କେବଳ ଆକାଉଣ୍ଟ କିମ୍ବା ପୋଷ୍ଟ ଡିଲିଟ୍ କରିଦେବା ଦ୍ୱାରା ଅପରାଧ ଶେଷ ହୁଏ ନାହିଁ। ଏହି ଅପରାଧ ପଛରେ ଥିବା ପ୍ରକୃତ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ତଦନ୍ତ ସଂସ୍ଥା ନିକଟରେ ପ୍ରମାଣ ପହଞ୍ଚିବା ନିହାତି ଆବଶ୍ୟକ।

ଭାରତରେ ଶିଶୁ ଯୌନ ଅପରାଧ ବିରୋଧରେ କଠୋର ‘ପୋକ୍ସୋ’ ଆଇନ ଲାଗୁ ରହିଛି। ମେଟା ତଥ୍ୟ ସେୟାର କରିବା ଦ୍ୱାରା ଭାରତୀୟ ଏଜେନ୍ସିଗୁଡ଼ିକୁ ଘଟଣାର ତ୍ୱରିତ ତଦନ୍ତ କରିବା ଏବଂ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାରେ ବଡ଼ ସହାୟତା ମିଳିବ। ଡିଜିଟାଲ ଯୁଗରେ ଶିଶୁମାନଙ୍କୁ ଅନଲାଇନ୍ ଶୋଷଣରୁ ସୁରକ୍ଷିତ ରଖିବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

What's Your Reaction?

like

dislike

love

funny

angry

sad

wow