ଉଜବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ, ୧ ବିଲିୟନ୍ ଡଲାର ପାର୍ କଲା ଦ୍ବିପାକ୍ଷିକ ବାଣିଜ୍ୟ
ଏହି ଅବସରରେ ଉଜବେକିସ୍ତାନର ୩୫ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ମିର୍ଜିୟୋୟେବ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦୀ । ସର୍ବୋଚ୍ଚ ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଉତ୍ସର୍ଗ କରିଛନ୍ତି ।
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ବର୍ତ୍ତମାନ ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଓଲି ଦାରାଜଲି ଦୋସ୍ତଲିକ୍’ ଅର୍ଡରରେ ସମ୍ମାନିତ କରାଯାଇଛି । ଉଜବେକିସ୍ତାନ ରାଷ୍ଟ୍ରପତି ଶାବକତ ମିର୍ଜିୟୋୟେବ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ରବିବାର ପ୍ରଧାନମନ୍ତ୍ରୀ ମୋଦୀ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ । ଏହି ଅବସରରେ ଉଜବେକିସ୍ତାନର ୩୫ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ମିର୍ଜିୟୋୟେବ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦୀ । ସର୍ବୋଚ୍ଚ ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଉତ୍ସର୍ଗ କରିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ସମ୍ମାନ ଏକ ନୂଆ ଅଧ୍ୟାୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଭାରତ-ଉଜବେକିସ୍ତାନ ସମ୍ପର୍କରେ ନୂଆ ଅଧ୍ୟାୟ
ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ରଣନୈତିକ ଚୁକ୍ତିକୁ ୧୫ ବର୍ଷ ପୂରଣ ହେବାକୁ ଯାଉଛି । ଏହି ସମୟରେ ଦୁଇ ଦେଶ ନିଜ ସମ୍ପର୍କକୁ ବ୍ୟାପକ ରଣନୈତିକ ସହଭାଗୀତା ଦିଗରେ ଆହୁରି ଆଗକୁ ନେବାକୁ ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଉଜବେକିସ୍ତାନ ସହ ଦ୍ବିପାକ୍ଷିକ ସହଯୋଗକୁ ମଜବୁତ କରିବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଓ ପ୍ରକଳ୍ପ ଚିହ୍ନଟ କରାଯାଇଛି । ଏହି ପ୍ରୟାସ ଦୁଇ ଦେଶର ସମ୍ପର୍କକୁ ନୂଆ ଉଚ୍ଚତାକୁ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ବିଦେଶ ମନ୍ତ୍ରୀସ୍ତରରେ ଗଠନ ହେବ ସମନ୍ବୟ ପରିଷଦ
ରାତ୍ରିଭୋଜନ ସମୟରେ ରାଷ୍ଟ୍ରପତି ମିର୍ଜିୟୋୟେବଙ୍କ ସହ ହୋଇଥିବା ଆଲୋଚନାକୁ ଅତ୍ୟନ୍ତ ସାର୍ଥକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଆଲୋଚନା ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି ।
ଦୁଇ ଦେଶ ମଧ୍ୟରେ ବିଦେଶ ମନ୍ତ୍ରୀସ୍ତରରେ ଏକ ସମନ୍ବୟ ପରିଷଦ ଗଠନ କରାଯିବ । ଏହା ଦ୍ବିପାକ୍ଷିକ ସହଯୋଗ ଓ ସମନ୍ବୟକୁ ଆହୁରି ବଢାଇବାରେ ସହାୟକ ହେବ ।
ଏହା ସହ ଦୁଇ ଦେଶର ବ୍ୟବସାୟୀ ନେତାଙ୍କୁ ନେଇ ଏକ ବିଜନେସ୍ ସମିଟ୍ ଆୟୋଜନ କରାଯିବ । ୟୁରାନିୟମ୍ ଯୋଗାଣ ପାଇଁ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦୀର୍ଘମିଆଦୀ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।
୩ଟି ସିଷ୍ଟର-ସିଟି ଓ ସିଷ୍ଟର-ଷ୍ଟେଟ୍ ଚୁକ୍ତି
ଦୁଇ ଦେଶ ମଧ୍ୟରେ ୩ଟି ‘ସିଷ୍ଟର-ସିଟି’ ଏବଂ ‘ସିଷ୍ଟର-ଷ୍ଟେଟ୍’ ଚୁକ୍ତି କରାଯାଉଛି । ଏହି ଚୁକ୍ତିଗୁଡ଼ିକର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।
ଉଜବେକିସ୍ତାନର ‘ନ୍ୟୁ ତାଶକେଣ୍ଟ’ ଏବଂ ଭାରତର ଗୁଜରାଟର ‘ଗିଫ୍ଟ ସିଟି’କୁ ଉଦାହରଣ ଭାବେ ଉଲ୍ଲେଖ କରି ଦୁଇ ଦେଶ ମଧ୍ୟରେ ବିକାଶ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବଢାଇବା ଉପରେ ଗୁରୁତ୍ବ ଦେଇଛନ୍ତି ମୋଦୀ । ଅନ୍ୟପଟେ ଉଜବେକିସ୍ତାନ ରାଷ୍ଟ୍ରପତି ଶାବକତ ମିର୍ଜିୟୋୟେବ କହିଛନ୍ତି, ଭାରତ ହେଉଛି ଉଜବେକିସ୍ତାନର ଏକ ରଣନୈତିକ ସହଯୋଗୀ । ଗତବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରଥମ ଥର ପାଇଁ ୧ ବିଲିୟନ୍ ଡଲାର ଅତିକ୍ରମ କରିଛି । ଏହା ସହ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁଗ୍ମ ଉଦ୍ୟୋଗ ବା ଜଏଣ୍ଟ ଭେଞ୍ଚରର ସଂଖ୍ୟା ମଧ୍ୟ ଅନେକ ଗୁଣ ବୃଦ୍ଧି ପାଇଛି ।
What's Your Reaction?