ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇର ବଡ଼ ପଦକ୍ଷେପ: ଆଦିତ୍ୟ ଠାକରେ, ଉଦ୍ଧବ ଓ ରିଆ ଚକ୍ରବର୍ତ୍ତୀଙ୍କ ସମେତ ବହୁ ବଡ଼ ନାଁ ବିରୋଧରେ ଏତଲା
ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ନୂଆ ଏତଲା ରୁଜୁ କରିଛି।
ଏତଲାରେ ରାଜନୀତି, ବଲିଉଡ୍ ଓ ପୁଲିସ ପ୍ରଶାସନ ସହ ଜଡ଼ିତ ଏକାଧିକ ବ୍ୟକ୍ତିଙ୍କ ନାମ ତଦନ୍ତ ପରିସରରେ ରହିଛି। ତଥ୍ୟ ଲୁଚାଇବା, ରେକର୍ଡ ନଷ୍ଟ କରିବା ଓ ପ୍ରମାଣ ନଷ୍ଟ କରିବା ଭଳି ଅଭିଯୋଗ ଉପରେ ତଦନ୍ତ କରିବ ସିବିଆଇ।
ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ରହସ୍ୟ ଏବେ ଏକ ନୂଆ ମୋଡ଼ ନେଇଛି । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଏହି ଘଟଣାରେ ଏକ ନୂତନ ଏତଲା (FIR) ରୁଜୁ କରିଛି । ଏହି ଏତଲାରେ ରାଜନୀତି, ବଲିଉଡ୍ ଏବଂ ପୁଲିସ ପ୍ରଶାସନର ଏକାଧିକ ହେଭିୱେଟ୍ଙ୍କ ନାମ ସାମିଲ ହେବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ, ତାଙ୍କ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାମ ରହିଛି । ଏହା ବ୍ୟତୀତ ଅଭିନେତା ଡିନୋ ମୋରିଆ, ସୂରଜ ପାଞ୍ଚୋଲି, ରୋହନ ରୟ, ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ, ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମ ବୀର ସିଂହ, ପୂର୍ବତନ ପୁଲିସ ଅଧିକାରୀ ସଚିନ ଭାଜେ ଓ ଡିସିପି ବିଶାଲ ଠାକୁରଙ୍କ ସମେତ ଅନେକ ବ୍ୟକ୍ତିଙ୍କ ନାମ ତଦନ୍ତ ପରିସରଭୁକ୍ତ କରାଯାଇଛି ।
ଏତଲାରେ ଉଲ୍ଲେଖ କରାଯାଇଛି ଯେ ତତ୍କାଳୀନ ସରକାରୀ ବ୍ୟବସ୍ଥାରେ ଥିବା ପ୍ରଭାବଶାଳୀ ବ୍ୟକ୍ତିମାନେ ଷଡ଼ଯନ୍ତ୍ର କରି ତଥ୍ୟ ଓ ପ୍ରମାଣ ଲୁଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମାମଲା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ୍ ତଥା ସରକାରୀ ରେକର୍ଡ ନଷ୍ଟ କରିବା, ମିଥ୍ୟା ଦସ୍ତାବିଜ୍ ପ୍ରସ୍ତୁତ କରିବା ଏବଂ ଅପରାଧୀମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସରକାରୀ ପାଣ୍ଠି, ମାନବଶକ୍ତି ଓ ପୁଲିସ ବ୍ୟବସ୍ଥାର ଅପବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ଦିଗ ଉପରେ ସିବିଆଇ ତଦନ୍ତ କରିବ ।
ସୂଚନାଯୋଗ୍ୟ, ୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇର ଏକ ବହୁତଳ କୋଠାର ୧୨ ମହଲାରୁ ପଡ଼ି ଦିଶା ସାଲିଆନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଏହାର ମାତ୍ର କିଛି ଦିନ ପରେ, ଜୁନ୍ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା । ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶରେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଦର୍ଶାଇ କ୍ଲୋଜର ରିପୋର୍ଟ ଦେଇଥିଲେ ହେଁ ଦିଶାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ହଟିପାରିନଥିଲା । ଏବେ ବମ୍ବେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପୁନର୍ବାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବାରୁ ସତ୍ୟ ସାମ୍ନାକୁ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।
What's Your Reaction?