ଦୁର୍ଘଟଣାଗ୍ରସ୍ତ ହେଲା ସେନା ଗାଡ଼ି : ପ୍ରାଣ ହରାଇଲେ ଚାରି ଭାରତୀୟ ସୈନିକ
ସିକ୍କିମର ପାକିଓଙ୍ଗରେ ଦୁର୍ଘଟଣାଗ୍ରସ୍ତ ହେଲା ସେନା ଗାଡ଼ି । ଯେଉଁଥିରେ ପ୍ରାଣ ହରାଇଛନ୍ତି ଚାରିଜଣ ଭାରତୀୟ ସେନାର ସୈନିକ। ସୈନିକମାନେ ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିକ୍କିମର ଜୁଲୁକ୍ ରେଶମ ମାର୍ଗ ଦେଇ ଯାଉଥିଲେ ପାକୋଙ୍ଗକୁ । ଗାଡି ରାସ୍ତାରୁ ୭୦୦ ରୁ ୮୦୦ ଫୁଟ ଖାଲରେ ଖସିପଡିଥିଲା। କୁହାଯାଉଛି ଯେ ଏହି ଦୁର୍ଘଟଣା ଘଟିଛି ଡାଲୋପଚାନ୍ଦ ଦାରା ନିକଟ ଭର୍ଟିକାଲ୍ ଭେରରେ। ଭାରତୀୟ ସେନା ଦେଇଥିବା ସୂଚନା ଅନୁଯାୟୀ ପ୍ରାଣ ହରାଇଥିବା ସୈନିକମାନଙ୍କ ମଧ୍ୟରୁ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କାରିଗର ଡବ୍ଲ୍ୟୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ. ଥାଙ୍ଗାପଣ୍ଡି ଅଛନ୍ତି ସାମିଲ। ରିପୋର୍ଟ ଅନୁଯାୟୀ, ଡ୍ରାଇଭର ସମେତ ସମସ୍ତ ପ୍ରାଣ ହରାଇଥିବା ସେନା କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁଡିରେ ଥିବା ଏକ ୟୁନିଟର । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରମ୍ଭ କରିଥିଲା ଉଦ୍ଧାର କାର୍ଯ୍ୟ। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଅଧିକାରୀ।
What's Your Reaction?