ବର୍ଷା ଦିନରେ ବି ଜଳକଷ୍ଟ ; ଗରା-ବାଲ୍ଟି ଧରି ଜନଶୁଣାଣିରେ ମହିଳା

Sep 1, 2026 - 11:45
 0  1
ବର୍ଷା ଦିନରେ ବି ଜଳକଷ୍ଟ ; ଗରା-ବାଲ୍ଟି ଧରି ଜନଶୁଣାଣିରେ ମହିଳା

ପାନୀୟ ଜଳ ସମସ୍ୟା ନେଇ ଜନଶୁଣାଣୀ କାର୍ଯ୍ୟକ୍ରମରେ ଗରା, ବାଲଟି ଧରି ପହଞ୍ଚିଲେ ଗାଁ ମହିଳା। କେନ୍ଦ୍ରାପଡ଼ା ରାଜକନିକା ବ୍ଲକ୍ ସିକୋ ପଞ୍ଚାୟତ ପୋଇଝାରିଆ ଗାଁରୁ ଆସିଲା ଅଭିଯୋଗ । ଗାଁରେ ପଚାଶ ପରିବାର ପାଇଁ ରହିଛି ୩ଟି ନଳକୂପ । 

ବର୍ଷା ଦିନରେ ବି ଉତ୍କଟ ପାନୀୟ ଜଳ ସମସ୍ୟା। ଚାରିଆଡ଼େ ବର୍ଷା ପାଣି, ହେଲେ ପିଇବା ପାଇଁ ମିଳୁନି ଶୁଦ୍ଧ ପାଣି। ଆଉ ପାଣି ମୁନ୍ଦେ ପାଇଁ ଗରା ଓ ବାଲଟି ଧରି ଜନଶୁଣାଣୀ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି ଗାଁର ମହିଳା।କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ସିକୋ ପଞ୍ଚାୟତର ପୋଇଝାରିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ପ୍ରାୟ ୫୦ଟି ପରିବାରର ପାନୀୟ ଜଳ ଆବଶ୍ୟକତା ପୂରଣ ପାଇଁ ଗାଁରେ ରହିଛି ମାତ୍ର ୩ଟି ନଳକୂପ। କିନ୍ତୁ ସେଥିମଧ୍ୟରୁ ଦୁଇଟି ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିରହିଛି।

ଫଳରେ ପୂରା ଗାଁ ଏବେ ମାତ୍ର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ। ହେଲେ ସେହି ନଳକୂପରୁ ମଧ୍ୟ ଠିକ୍ ଭାବରେ ପାଣି ବାହାରୁନି। ଯେଉଁ ଅଳ୍ପ ପାଣି ମିଳୁଛି, ତାହା ଆଇରନଯୁକ୍ତ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଗୋଟିଏ ପାଣିର ଉତ୍ସ, ଆଉ ସେହି ଉତ୍ସ ଉପରେ ନିର୍ଭର କରୁଛନ୍ତି ପ୍ରାୟ ୫୦ଟି ପରିବାର। ପାଣି ମୁନ୍ଦେ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି। ଦୈନନ୍ଦିନ କାମ ହେଉ କି ପିଇବା ପାଣି, ପ୍ରତ୍ୟେକ ଆବଶ୍ୟକତା ପାଇଁ ଏବେ ଗାଁବାସୀଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି।

ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗାଁବାସୀ। ଶେଷରେ ନିଜ ସମସ୍ୟାର କଥା ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ଗରା ଓ ବାଲଟି ଧରି ଜନଶୁଣାଣୀ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି ମହିଳାମାନେ।ଏବେ ପ୍ରଶ୍ନ—ବର୍ଷା ଦିନରେ ଯଦି ଗାଁବାସୀଙ୍କୁ ପାଣି ମୁନ୍ଦେ ପାଇଁ ଏଭଳି ସଂଘର୍ଷ କରିବାକୁ ପଡ଼ୁଛି, ତେବେ ଖରାଦିନରେ ସ୍ଥିତି କେତେ ଭୟଙ୍କର ହେବ? କେବେ ସୁଧୁରିବ ପୋଇଝାରିଆ ଗାଁର ପାନୀୟ ଜଳ ସମସ୍ୟା? କେବେ ଗାଁବାସୀଙ୍କ ଘରେ ପହଞ୍ଚିବ ଶୁଦ୍ଧ ପାନୀୟ ଜଳ? ଏବେ ସେହି ଉତ୍ତରକୁ ଅପେକ୍ଷା କରିଛନ୍ତି ଗାଁବାସୀ।

ସେପଟେ ଗାଁ କୁ ଚାରିମାସ ହେବ ଆସୁନି ପାଇପ ପାଣି । ନଳକୂଅରୁ ବାହାରୁଥିବା ଲୁଣା ପାଣି ପିଇ ରୋଗରେ ପଡୁଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି । ଶେଷରେ ଗାଁର ମହିଳାମାନେ ରାଜକନିକା ବ୍ଲକ ପରିସରରେ ଗତକାଲି ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ତେବେ ବିଭାଗୀୟ ତଦନ୍ତ କରି ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । 

What's Your Reaction?

like

dislike

love

funny

angry

sad

wow