ଏସ୍‌ସିବି ଆର୍ଥିକ ଦୁର୍ନୀତିର ଚାଲିଛି ଖୋଳତାଡ଼ ; ୨୦୭ଟି ବିଲ୍‌ରେ ହେରଫେର ହୋଇଥିବା ବର୍ତ୍ତମାନ ସୁଦ୍ଧା ଠାବ !

Sep 1, 2026 - 11:41
 0  0
ଏସ୍‌ସିବି ଆର୍ଥିକ ଦୁର୍ନୀତିର ଚାଲିଛି ଖୋଳତାଡ଼ ; ୨୦୭ଟି ବିଲ୍‌ରେ ହେରଫେର ହୋଇଥିବା ବର୍ତ୍ତମାନ ସୁଦ୍ଧା ଠାବ !

ଏସ୍‌ସିବିରେ କର୍ମଚାରୀଙ୍କ ଟଙ୍କା ହଡ଼ପ ଘଟଣାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଡାଟା ଏଣ୍ଟ୍ରି ଅପରେଟର୍ (ଡିଇଓ) ଦୀନେଶ ରାଉତକୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ମାମଲାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି । 

କଟକ ଏସ୍‌ସିବି ବଡ଼ ମେଡିକାଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ଘଟଣାରେ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଦିନେଶ କୁମାର ରାଉତଙ୍କୁ ନେଇ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଗତ କିଛି ବର୍ଷରେ ଅନେକ ବିଲ୍‌ରେ ହେରଫେର୍‌ ନେଇ ତଥ୍ୟ ପୁଲିସ ହାତରେ ଲାଗିଛି । ସେପଟେ ଆର୍ଥିକ ହେରଫେର୍ ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏକ ଟିମ୍ ଏସ୍‌ସିବିରେ ପହଞ୍ଚି ଅଡିଟ୍ ଆରମ୍ଭ କରିବେ । ୨୦୧୬-୧୭ରୁ ୨୦୨୫-୨୬ ଯାଏଁ ଏହି ଅଡିଟ୍ କରାଯିବ । ଅଡିଟ୍ କରାଯିବା ପରେ ଏହାର ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ । ପରେ ପରବର୍ତ୍ତୀ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବା ନେଇ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି । 

ଏସ୍‌ସିବିରେ କର୍ମଚାରୀଙ୍କ ଟଙ୍କା ହଡ଼ପ ଘଟଣାରେ ତଦନ୍ତ ଯେତେ ଆଗକୁ ବଢୁଛି, ସେତେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଡାଟା ଏଣ୍ଟ୍ରି ଅପରେଟର ବା ଡିଇଓ ଦୀନେଶ ରାଉତଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପରେ ଏବେ ଏହି ଅର୍ଥ ହଡ଼ପ କାରବାରର ଚେର ଖୋଜିବାରେ ଲାଗିଛି ପୁଲିସ।

ତଦନ୍ତରୁ ଜଣାପଡ଼ିଛି, ୨୦୧୬ରୁ ୨୦୨୬ ମଧ୍ୟରେ ଗତ ୧୦ ବର୍ଷରେ ପ୍ରାୟ ୨ ଲକ୍ଷ ୪୦ ହଜାର ଦରମା ବିଲ୍ ପ୍ରସ୍ତୁତ ହୋଇଥିଲା। ଏହି ବିପୁଳ ସଂଖ୍ୟକ ବିଲ୍ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୦୭ଟି ବିଲ୍‌ରେ ହେରଫେର ହୋଇଥିବା ଠାବ ହୋଇଛି। ଅର୍ଥାତ୍, ହାରାହାରି ପ୍ରତିବର୍ଷ ପ୍ରାୟ ୨୦ଟି ବିଲ୍‌ରେ କାରଚୁପି ହୋଇଥିବା ତଦନ୍ତ ସମୟରେ ସାମ୍ନାକୁ ଆସିଛି। ତେବେ ପ୍ରଶ୍ନ ଉଠୁଛି—ଏତେ ବର୍ଷ ଧରି ଏହି କାରବାର କିପରି ଚାଲିଥିଲା? ବିଲ୍‌ରେ ହୋଇଥିବା ହେରଫେର କିପରି କାହାର ନଜରକୁ ଆସିନଥିଲା?

ଏହି ଘଟଣାରେ ଦୀନେଶ ରାଉତ ଏକାକୀ ସାମିଲ ଥିଲେ, ନା ଏହା ପଛରେ ରହିଛି ଏକ ବଡ଼ ଚକ୍ର? ବିଲ୍ ପ୍ରସ୍ତୁତି ଓ ଅର୍ଥ ପ୍ରଦାନ ପ୍ରକ୍ରିୟାରେ ଆଉ କେହି ସହଯୋଗ କରୁଥିଲେ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପୁଲିସ ଏବେ ଘନଘନ ଖୋଳତାଡ଼ ଆରମ୍ଭ କରିଛି।

ବର୍ତ୍ତମାନ ୨୦୭ଟି ବିଲ୍‌ରେ ହେରଫେର ଧରାପଡ଼ିଥିଲେ ମଧ୍ୟ, ତଦନ୍ତ ଆଗକୁ ବଢ଼ିଲେ ଆହୁରି ବଡ଼ ତଥ୍ୟ ସାମ୍ନାକୁ ଆସିପାରେ। ଗତ ୧୦ ବର୍ଷର ଦରମା ବିଲ୍ ଓ ଅର୍ଥ କାରବାରର ଖୁଟିନାଟି ତଦନ୍ତ କରାଯାଉଥିବାରୁ ଏହି ମାମଲାରେ ଆଉ କେଉଁମାନଙ୍କ ନାଁ ସାମ୍ନାକୁ ଆସୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।

What's Your Reaction?

like

dislike

love

funny

angry

sad

wow