ବାଂଲାଦେଶରେ ସାଂଘାତିକ ସ୍ଥିତି; ଗଲାଣି ୩୯ ଜୀବନ

Jul 19, 2024 - 13:18
 0  2
ବାଂଲାଦେଶରେ ସାଂଘାତିକ ସ୍ଥିତି; ଗଲାଣି ୩୯ ଜୀବନ

ବାଂଲାଦେଶରେ ଉଗ୍ର ହେଲା ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ତଥା ସଂରକ୍ଷଣ ବିରୋଧୀ ପ୍ରତିବାଦ । ହିଂସାକାଣ୍ଡରେ ଏଯାବତ ୩୯  ଜଣଙ୍କ ଜୀବନ ଯାଇଥିବାବେଳେ  ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ପ୍ରାୟ ୨୫୦୦ରୁ ଅଧିକ ଲୋକ।  ହାତରେ ଠେଙ୍ଗା ବାଡ଼ି, ପଥର ଧରି ବୁଲୁଥିବା ବିକ୍ଷୋଭ ପ୍ରଦର୍ଶନକାରୀ ରାସ୍ତା ଉପରେ ଥିବା ବସ୍‌ ସମେତ ବିଭିନ୍ନ ଗାଡ଼ିରେ ନିଆଁ ଲଗାଇ ଦେଇଥିବାରୁ ଏହାକୁ ଦୃଷ୍ଠିରେ ରଖି ବନ୍ଦ କରି ଦିଆଯାଇଛି ବସ୍‌, ରେଳ ଓ ମେଟ୍ରୋ ସେବା।ସେହିପରି ହିଂସାତ୍ମକ ଘଟଣା ଯେପରି ଅଧିକ ନ ବ୍ୟାପେ ସେଥିନିମନ୍ତେ ସମଗ୍ର ଦେଶରେ ବନ୍ଦ କରି ଦିଆଯାଇଛି ମୋବାଇଲ, ଇଣ୍ଟରନେଟ ସେବା। ଦେଶରେ ଥିବା ସମସ୍ତ ସରକାରୀ, ବେସରକାରୀ, ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଥିବାବେଳେ ଏପରି ସମୟରେ ବହୁ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତକାଲି ଜାତୀୟ ଟେଲିଭିଜନରେ ଦେଶବାସୀଙ୍କୁ କରିଥିଲେ ଅପିଲ୍‌।ମାତ୍ର ଏହା ଦେଖି ଜାତୀୟ ଟେଲିଭିଜନ କୋଠାରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ। ଆନ୍ଦୋଳନକୁ ନିୟନ୍ତ୍ରଣକୁ ଆଣିବାକୁ ରବର ଗୁଳି ଓ ଲୁହବୁହା ଗ୍ୟାସ ପ୍ରୟୋଗ କରୁଛି ପୁଲିସ୍‌ ।ଏପରି ସ୍ଥିତିରେ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜାରୀ ଜାରି କରାଯାଇ ଯାତ୍ରା କରିବାକୁ କରାଯାଇଛି ବାରଣ । ଏଥିସହ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ହେଲପଲାଇନ୍‌କୁ ଯୋଗାଯୋଗ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।

What's Your Reaction?

like

dislike

love

funny

angry

sad

wow