ବ୍ୟାଙ୍କ ଧର୍ମଘଟ ସ୍ଥଗିତ! ଆଜି ଖୋଲା ରହିବ ସବୁ ବ୍ୟାଙ୍କ, ୫ ଦିନିଆ ବ୍ୟାଙ୍କିଂ ନେଇ ହେବ ବଡ଼ ଆଲୋଚନା
ତିନିଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି। IBA ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବି ଉପରେ ହାଇ-ଲେଭଲ୍ କମିଟି ଗଠନ କରିବ। ତେଣୁ ଆଜି ବ୍ୟାଙ୍କ ଶାଖାଗୁଡ଼ିକ ସାଧାରଣ ଭାବେ ଖୋଲା ରହିବ।
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର । ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ତିନିଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ କରାଯାଇଛି । ରବିବାର ରାତିରେ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ବା IBA ସହ ବୈଠକ ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ବା UFBU ଧର୍ମଘଟକୁ ସ୍ଥଗିତ ରଖିଛି । ଏହାର ଅର୍ଥ ଆଜି ସମସ୍ତ ବ୍ୟାଙ୍କ ଶାଖା ସାଧାରଣ ଭାବେ ଖୋଲା ରହିବ । ବିଶେଷକରି ଅର୍ଦ୍ଧବାର୍ଷିକ ଆକାଉଣ୍ଟ କ୍ଲୋଜିଂ ସମୟରେ ତିନିଦିନିଆ ଧର୍ମଘଟ ହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିଲା
କାହିଁକି ସ୍ଥଗିତ ହେଲା ଧର୍ମଘଟ?
ବ୍ୟାଙ୍କ ୟୁନିଅନ୍ଗୁଡ଼ିକର ମୁଖ୍ୟ ଦାବି ହେଉଛି ସପ୍ତାହରେ ୫ ଦିନ ବ୍ୟାଙ୍କିଂ ବ୍ୟବସ୍ଥା । ଅର୍ଥାତ୍ ସମସ୍ତ ଶନିବାର ବ୍ୟାଙ୍କ ଛୁଟି ରହୁ ବୋଲି ୟୁନିଅନ୍ଗୁଡ଼ିକ ଦାବି କରୁଛନ୍ତି । ଏବେ ବ୍ୟାଙ୍କରେ କେବଳ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ରହୁଛି । ଅନ୍ୟ ଶନିବାର ବ୍ୟାଙ୍କ ଖୋଲା ରହେ । ରବିବାରର ବୈଠକ ପରେ IBA ଏହି ଦାବି ଉପରେ ତୁରନ୍ତ ଏକ ହାଇ-ଲେଭଲ୍ କମିଟି ଗଠନ କରିବାକୁ ରାଜି ହୋଇଛି । ଏହି କମିଟି ଅବଶିଷ୍ଟ ଶନିବାରଗୁଡ଼ିକୁ ବ୍ୟାଙ୍କ ଛୁଟି କରାଯାଇପାରିବ କି ନାହିଁ, ସେନେଇ ବିଚାର କରିବ ।
ଏହାସହ ଗ୍ରାହକଙ୍କ ସମେତ ବିଭିନ୍ନ ଷ୍ଟେକ୍ହୋଲ୍ଡରଙ୍କ ମତାମତ ମଧ୍ୟ ନିଆଯିବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି—ଏବେଠାରୁ ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ ହୋଇନାହିଁ। କମିଟି କେବେ ସୁଦ୍ଧା ନିଷ୍ପତ୍ତି ଦେବ, ସେନେଇ ମଧ୍ୟ କୌଣସି ସମୟସୀମା ଧାର୍ଯ୍ୟ ହୋଇନାହିଁ ।
ଆଉ କ’ଣ ନିଷ୍ପତ୍ତି ହେଲା?
ବ୍ୟାଙ୍କ ଅଧିକାରୀଙ୍କ ପାଇଁ Performance-Linked Incentive Scheme ନେଇ ମଧ୍ୟ ଆଲୋଚନା ହେ ବ। ବିଶେଷକରି Scale-IV ଓ ତା’ଠାରୁ ଉପର ପାହ୍ୟାର ଅଧିକାରୀଙ୍କୁ ନେଇ ଥିବା ଏହି ଯୋଜନାରେ ପରିବର୍ତ୍ତନ ପାଇଁ IBA ସରକାରଙ୍କୁ ପ୍ରସ୍ତାବ ଦେବ । ସେପଟେ ୟୁନିଅନ୍ଗୁଡ଼ିକ କହିଛନ୍ତି, ଅଧିକ କାମ ଓ ଦୀର୍ଘ କାର୍ଯ୍ୟ ସମୟକୁ ଦୃଷ୍ଟିରେ ରଖି ସମସ୍ତ ଶନିବାର ଛୁଟି ଦାବି କରାଯାଉଛି । ଏହି ଦାବି ଉପରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଆଲୋଚନା ଚାଲିଥିବା ୟୁନିଅନ୍ଗୁଡ଼ିକ କହିଛନ୍ତି ।
ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ?
ଧର୍ମଘଟ ସ୍ଥଗିତ ହୋଇଥିବାରୁ ବର୍ତ୍ତମାନ ବ୍ୟାଙ୍କ ଶାଖାଗୁଡ଼ିକରେ ସାଧାରଣ ସେବା ଜାରି ରହିବ । ତେବେ ୫ ଦିନିଆ ବ୍ୟାଙ୍କିଂ ସପ୍ତାହ ହେବ କି ନାହିଁ, ତାହା ଆଗାମୀ ଆଲୋଚନା ଓ କମିଟିର ବିଚାର ଉପରେ ନିର୍ଭର କରିବ । ଅର୍ଥାତ୍, ଏବେ ଧର୍ମଘଟ ନାହିଁ, ବ୍ୟାଙ୍କ ଖୋଲା ରହିବ; କିନ୍ତୁ ସମସ୍ତ ଶନିବାର ଛୁଟି ଦାବି ଉପରେ ଲଢ଼େଇ ଏବେ ବି ଜାରି ରହିଛି ।
What's Your Reaction?