ବିମାନ ଉଡ଼ାଣରେ ଅଟୋପାଇଲଟ୍ ଗଡ଼ବଡ଼! ୯୬ MAX ବିମାନ ଉପରେ ପ୍ରଭାବ

Sep 28, 2026 - 12:46
ବିମାନ ଉଡ଼ାଣରେ ଅଟୋପାଇଲଟ୍ ଗଡ଼ବଡ଼! ୯୬ MAX ବିମାନ ଉପରେ ପ୍ରଭାବ

Boeing 737 MAX ବିମାନରେ ସଫ୍ଟୱେର୍ ଗ୍ଲିଚ୍ ଚିହ୍ନଟ ହୋଇଛି। ଭାରତର Air India Express ଓ Akasa Airର ପ୍ରାୟ ୯୬ଟି ବିମାନ ପ୍ରଭାବିତ ହୋଇପାରେ। ବୋଇଂ ସ୍ଥାୟୀ ସମାଧାନ ପାଇଁ ସଫ୍ଟୱେର୍ ଅପଡେଟ୍‌ରେ କାମ କରୁଛି। 

 ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର। Boeing 737 MAX ବିମାନର ଅଟୋପାଇଲଟ୍ ସିଷ୍ଟମ୍‌ରେ ସଫ୍ଟୱେର୍ ସମସ୍ୟା ଚିହ୍ନଟ କରିଛି ବୋଇଂ । ଏହି ଗ୍ଲିଚ୍‌ର ପ୍ରଭାବ ଭାରତରେ ଚଳାଚଳ କରୁଥିବା ପ୍ରାୟ ୯୬ଟି 737 MAX ବିମାନ ଉପରେ ପଡ଼ିପାରେ। ଭାରତରେ Air India Express ପାଖରେ ପ୍ରାୟ ୫୩ଟି ଏବଂ Akasa Air ପାଖରେ ୪୩ଟି Boeing 737 MAX ବିମାନ ରହିଛି । ଅର୍ଥାତ୍ ଦୁଇଟି ଏୟାରଲାଇନ୍ସର ପ୍ରାୟ ୯୬ଟି ବିମାନ ଏହି ସମସ୍ୟାର ସମ୍ଭାବ୍ୟ ପ୍ରଭାବ ମଧ୍ୟରେ ରହିଛି ।

କ’ଣ ହେଉଛି ଗ୍ଲିଚ୍?

ରିପୋର୍ଟ ଅନୁସାରେ, ଏହି ସମସ୍ୟା ଲ୍ୟାଣ୍ଡିଂ ସମୟର ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଦେଖାଦେଇପାରେ । ବିଶେଷକରି ଯଦି ବିମାନର ଲ୍ୟାଣ୍ଡିଂ ବାତିଲ ହୋଇ ପୁଣିଥରେ ଅନ୍ୟ ରୁଟ୍‌ରେ ଯିବାକୁ ପଡ଼େ, ସେତେବେଳେ କକପିଟ୍ ସଫ୍ଟୱେର୍‌ ସମ୍ବନ୍ଧୀୟ ଗ୍ଲିଚ୍ ଯୋଗୁଁ ଅଟୋମେସନ୍ କମିଯାଇପାରେ । ତେବେ ଏହାର ଅର୍ଥ ବିମାନ ଉଡ଼ାଇବା ଅସମ୍ଭବ ହୋଇଯିବ ନାହିଁ । ପାଇଲଟ୍‌ମାନେ ମାନୁଆଲ୍ ଭାବେ ବିମାନ ନିୟନ୍ତ୍ରଣ କରିପାରିବେ । ଏହି ପରିସ୍ଥିତି ପାଇଁ ପୂର୍ବରୁ ସୁରକ୍ଷିତ ପ୍ରକ୍ରିୟା ରହିଥିବା କହିଛି ବୋଇଂ। ବୋଇଂ ପକ୍ଷରୁ କୁହାଯାଇଛି, ଗତ ମାସରେ ସମସ୍ତ ୭୩୭ ଅପରେଟରଙ୍କୁ ଏହି ସଫ୍ଟୱେର୍ ସମସ୍ୟା ବିଷୟରେ ଜଣାଇ ଦିଆଯାଇଛି । ଏହାର ସ୍ଥାୟୀ ସମାଧାନ ପାଇଁ ଏକ ସଫ୍ଟୱେର୍ ଅପଡେଟ୍ ଉପରେ କାମ ଚାଲିଛି ।

Akasa Air କ’ଣ କହିଲା?

ସେପଟେ Akasa Air କହିଛି, ଏହି ସମସ୍ୟା ଯୋଗୁଁ ତାଙ୍କ ବିମାନ ଚଳାଚଳର ସୁରକ୍ଷା ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଏୟାରଲାଇନ୍ସ ବୋଇଂ ସହ ନିରନ୍ତର ସମନ୍ୱୟ ରଖିଛି ଏବଂ ସ୍ଥାପିତ ପ୍ରକ୍ରିୟା ଓ ନିୟମ ଅନୁସାରେ ବିମାନ ଚଳାଚଳ କରୁଥିବା କହିଛି । ତେବେ ଏହି ସମସ୍ୟା ତାଙ୍କ ୪୩ଟି MAX ବିମାନ ମଧ୍ୟରୁ କୌଣସିଟିରେ ବାସ୍ତବରେ ଘଟିଛି କି ନାହିଁ, ସେନେଇ Akasa Air ସ୍ପଷ୍ଟ କରିନାହିଁ ।

Air India Express ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହାସହ DGCA ଏହି ମାମଲାରେ କୌଣସି ଯାଞ୍ଚ କରୁଛି କିମ୍ବା ଭାରତୀୟ ଏୟାରଲାଇନ୍ସଗୁଡ଼ିକୁ କୌଣସି ନୂଆ ନିର୍ଦ୍ଦେଶ ଦେଇଛି କି ନାହିଁ, ସେନେଇ ମଧ୍ୟ ତୁରନ୍ତ ସ୍ପଷ୍ଟତା ମିଳିନାହିଁ । ବର୍ତ୍ତମାନ ବୋଇଂ ସଫ୍ଟୱେର୍ ଅପଡେଟ୍‌ ମାଧ୍ୟମରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଆଣିବାକୁ କାମ କରୁଛି । ଗ୍ଲୋବାଲି ବୋଇଂ ୨,୪୦୦ରୁ ଅଧିକ ୭୩୭ MAX ବିମାନ ଏୟାରଲାଇନ୍ସଗୁଡ଼ିକୁ ଡେଲିଭର କରିସାରିଛି । 

What's Your Reaction?

like

dislike

love

funny

angry

sad

wow