ଶଙ୍ଖ ଭବନରେ ଚାଲିଛି ହୋଟେଲ, ବିଜେପିର ସାଂଘାତିକ ଅଭିଯୋଗ

Jan 13, 2025 - 18:46
 0  4
ଶଙ୍ଖ ଭବନରେ ଚାଲିଛି ହୋଟେଲ, ବିଜେପିର ସାଂଘାତିକ ଅଭିଯୋଗ

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି।  ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ ଭୋଜନାଳୟରେ ପରିଣତ ହୋଇଛି ଶଙ୍ଖ ଭବନ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ କରାଯାଇଥିଲା ବିଜେଡି କାର୍ଯ୍ୟାଳୟ। କିନ୍ତୁ ଗଣମାଧ୍ୟମ ଖବରରୁ ଜଣାପଡ଼ିଲା ଯେ, ବିଜେଡି କାର୍ଯ୍ୟାଳୟ ଏବେ ପରିଣତ ହୋଇଛି ଭୋଜନାଳୟରେ। ଏଭଳି ଅପୂର୍ବ ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନି। ସତରେ କ’ଣ ବିଜେଡି ନିଶ୍ଚିନ୍ନ ହେବାକୁ ଯାଉଛି କି? ଲୋକେ ଆଉ ଆସୁନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରଧାନ। ସେ ଆହୁରି କହିଛନ୍ତି ଯେ, ସରକାରଙ୍କ ପାଖରୁ ଜାଗା ନେଇ ବିଜେଡି ଠିଆ କରିଥିଲା ରାଜ ମହଲ ପରି କାର୍ଯ୍ୟାଳୟଟିଏ ଯାହା ସମ୍ଭବ ହୋଇଥିଲା କେବଳ କର୍ପୋରେଟ ହାଉସ୍‌ଙ୍କର ଚାନ୍ଦାରେ । ଯେହେତୁ ଏବେ ଆଉ କର୍ପୋରେଟ ହାଉସ୍‌ଗୁଡ଼ିକରୁ ଟଙ୍କା ଆସୁନାହିଁ, ସେଥିପାଇଁ କାର୍ଯ୍ୟାଳୟ ଚଳାଇବାକୁ ଆବଶ୍ୟକ ହେଉଛି ଭୋଜନ ବ୍ୟବସାୟ । ଯଦି ଏବେଠାରୁ ରାଜ୍ୟ ସରକାର ଏହାକୁ ବିଚାରକୁ ନନେବେ, ତାହାହେଲେ ଆଗାମୀ ଦିନରେ ତାରକା ହୋଟେଲ୍‌ରେ ପରିଣତ ହୋଇ ଯାଇପାରେ ବିଜେଡି କାର୍ଯ୍ୟାଳୟ। ଏବଂ ବିଜେଡି କାର୍ଯ୍ୟାଳୟ ଚାଲିପାରେ ଆଉ କାହା ବ୍ୟକ୍ତିଗତ ଘରେ  । ଏଠି ବିଜେଡି ସ୍ପଷ୍ଟ କରୁ ଯେ ଭବ୍ୟ ଅଟ୍ଟାଳିକାଟିକୁ  ଭୋଜନାଳୟ କରିବେ ନା କାର୍ଯ୍ୟାଳୟ। ଯଦି ଖାଇବା ବ୍ୟବସାୟ ଚଳାଇବେ, ତେବେ କାର୍ଯ୍ୟାଳୟ ପାଇଁ ମିଳିଥିବା ସେ ଜାଗାର ଅନୁମତି କରାଯାଉ ବାତିଲ । ବେଳ ଥାଉଥାଉ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ମନ୍ତବ୍ୟର ଜବାବ ରଖିଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ସେ କହିଛନ୍ତି ଯେ, ରେଲୱେର କ୍ୟାଣ୍ଟିନ୍‌ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍‌ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ଗଣମାଧ୍ୟମରେ ଦେଖାଯାଉଛି। ମୁଁ ବିଜେପି ନେତାଙ୍କୁ ନିମନ୍ତ୍ରଣ କରୁଛି, ତାଙ୍କର ଯେତେବେଳେ ଖାଇବାକୁ ଇଚ୍ଛା ସେତେବେଳେ ଶଙ୍ଖ ଭବନ କ୍ୟାଣ୍ଟିନକୁ ଆସି ଶୁଦ୍ଧ ଶାକାହାରି ଖାଦ୍ୟର ମଜା ନିଅନ୍ତୁ। ବିଜେପିର ଏବେ କିଛି ବଡ଼ କାମ ନାହିଁ ବୋଧହୁଏ। ଶଙ୍ଖ ଭବନ ଯେଉଁଦିନ ତିଆରି ହୋଇଥିଲା, ସେଦିନ କୁହାଯାଇଥିଲା ଏହା ଲୋକଙ୍କ କାର୍ୟ୍ୟାଳୟ। ପ୍ରତିଦିନ ବୈଠକ ବସୁଛି। କର୍ମୀଙ୍କ ସହିତ ନେତା ଓ ସାଧାରଣ ଲୋକ ଆସି ଖାଉଛନ୍ତି। କ୍ୟାଣ୍ଟିନ୍‌ରେ ଖାଇବାରେ କଣ ଅସୁବିଧା ଅଛି ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ସାହୁ।

What's Your Reaction?

like

dislike

love

funny

angry

sad

wow