ଅରବିନ୍ଦ ନିଲମ୍ବନ ଛୋଟ ପ୍ରସଙ୍ଗ, ଏବେ ବିଜେଡି ପାଇଁ ଚେତନା ବଡ଼!
ସାଧାରଣ ଭାବରେ ଯେତିକି ତଥ୍ୟ ହାତରେ ଅଛି, ସେଥିରୁ ଜଣା ପଡୁଛି ଯେ ବିଜୟ ମହାପାତ୍ରଙ୍କର କୌଣସି ଭୂମିକା ଆଦୌ ନବୀନ-ପ୍ରେମୀ ହୋଇ ପାରିବ ନାହିଁ I ପଚିଶ ବର୍ଷ ତଳର ରାଗ ରୋଷ ଏବେବି ବିଜୟଙ୍କ ହୃଦୟକୁ ଯେ ଜାଳି ପୋଡ଼ି ଯନ୍ତ୍ରଣା ଦେଇ ଚାଲିଛି, ସେଥିରେ ସନ୍ଦେହର ଅବକାଶ ନାହିଁ I ନାଟକୀୟ ଭାବରେ ବିଜୟ ବିଜେଡିରୁ ନିଷ୍କାସିତ ହୋଇଥିଲେ l ଅତି ଚତୁରତାର ସହିତ ଦଳର ସହ-ପ୍ରତିଷ୍ଠାତା ବିଜୟଙ୍କୁ ଚେର ସହ ଉପାଡ଼ି ଫୋପାଡ଼ି ଦେଇଥିଲେ ନବୀନଙ୍କର ମୂଳ ଉପଦେଷ୍ଟା ତଥା ମାର୍ଗଦର୍ଶକ ପ୍ୟାରୀ ମହାପାତ୍ର I ବିଜୁ ବାବୁ ବିଜୟଙ୍କୁ ଭାରି ପାରିବାର ବୋଲି ଭାବିବା ସହ ମୁଣ୍ଡରେ ବସାଇ ରଖିବାର ପ୍ରତ୍ୟେକ ଓଡ଼ିଆ ଜାଣନ୍ତି l କିନ୍ତୁ ବିଜୟଙ୍କର କ୍ରମଶଃ ଅହଂକାର ବୃଦ୍ଧି ଓ ଏକଚାଟିଆ ମୁରବିପଣିଆ ଏତେ ବଢ଼ି ଯାଇଥିଲା ଯେ ସେକାଳରେ ଉଭୟ ରାଜନେତା ଓ ପ୍ରଶାସକ ଗଣ ତାହାଙ୍କୁ ଭୟ କରିବା ସହ ତାଙ୍କର ଦୋଷ ତ୍ରୁଟି ଦର୍ଶାଇବାକୁ ସାହସ କରୁ ନଥିଲେ l ୧୯୯୫ ମସିହା ନିର୍ବାଚନ ପରିଚାଳନା ସହିତ ଟିକଟ ବଣ୍ଟନ କାମ ବି ତୁଲାଇ ଥିଲେ ବିଜୟ l ନିଜ ଇଛା ମୁତାବକ b ବାଣ୍ଟିଥିଲେ ଟିକଟ l ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ କାଟି ଟିକେଟ ଦେଇଥିଲେ ଅଯୋଗ୍ୟ ପାଦଚଟା, ବତୀପେଲା ଖୁସାମତିଆ ଅଯୋଗ୍ୟ ବ୍ୟକ୍ତିଙ୍କୁ l ଫଳତଃ ଜୀବନର ନିଶ୍ଚିତ ଜିତିବା ଶେଷ ଯୁଦ୍ଧରେ ହାରି ଯାଇଥିଲେ ଅଭେଦ୍ୟ, ଅଜେୟ, ଅଜାତଶତ୍ରୁ ବିଜୁ ପଟ୍ଟନାୟକ l ବାକି ଇତିହାସ ସଭିଙ୍କୁ ଜଣା l ଅତି ଦୁର୍ନୀତିଗସ୍ତ ବିବେଚିତ ଜାନକୀ ପଟ୍ଟନାୟକ, ସେତେବେଳର ସବୁଠାରୁ ଟାଣୁଆ ଲୋକପ୍ରିୟ କଂଗ୍ରେସ ନେତା ବସନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହେଉହେଉ ଜାନକୀଙ୍କର ମନମୋହକ ଗଦ ଶୁଙ୍ଘି ଶତ୍ରୁ ହୋଇଥିବା ଗୁରୁଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ନିଜେ ହୋଇଗଲେ ଉପମୁଖ୍ୟ ଯେଉଁ ପଦବୀର ନାହିଁ ସାମ୍ବିଧାନିକ ସ୍ୱୀକୃତି l ବିଜୁ ବାବୁ ଗଲେ, ଦୁଇ ବର୍ଷ ପରେ ଭଙ୍ଗା ହୃଦୟରେ ବିଦାୟ ନେଇଗଲେ ସଂସାରରୁ l ୧୯୯୭ ମସିହାରେ ଜନ୍ମ ନେଲା ବିଜୁ ଜନତା ଦଳ l ବିଜୁ ବାବୁଙ୍କର ପୁଅ ହିସାବରେ ଧରା ହୋଇ ଆସିଲେ ନବୀନ ପଟ୍ଟନାୟକ l ଆସିକା ଉପନିର୍ବାଚନ ଲଢ଼ି ସାଂସଦ ହେଲେ ଲୋକସଭାରେ l ଜାନକୀ ସରକାର ୧୯୯୯ ମସିହା ବେଳକୁ ସପୂର୍ଣ୍ଣ ବଦନାମ ହୋଇ ମହାବାତ୍ୟା ପୂର୍ବରୁ ଉଡିଗଲେ ଧୂଳି ହୋଇ l ୨000 ମସିହା ବେଳକୁ ବିଜୟ ମହାପାତ୍ର ହୋଇ ଯାଇଥାନ୍ତି ବିଜେଡି ର ସର୍ବେସର୍ବା I ତେବେ ଯେହେତୁ ତାଙ୍କ ଚରିତ୍ରକୁ ବହୁ ପୂର୍ବରୁ ପ୍ୟାରୀ ବାବୁ ସଠିକ ଭାବରେ ଚିହ୍ନି ସାରିଥିଲେ, ପ୍ରଥମ ପ୍ରହାରରେବିଜୟ ଏଭଳି ଧୂଳିସାତ ହୋଇଗଲେ ଯେ ଆଉ ବାକି ଜୀବନଟି ବିତିଗଲା ରାଜନୈତିକ ସଂଘର୍ଷ ଭିତରେ l ବହୁ ଦଳ ସହିତ ମିଶିବା ସହିତ ନିଜେ ମଧ୍ୟ ଗଢ଼ିଥିଲେ ଦଳଟିଏ l କିନ୍ତୁ କିଛି ଲାଭ ମିଳିଲା ନାହିଁ l ପ୍ୟାରୀଙ୍କ ପ୍ରସ୍ଥାନ ପରେ ନବୀନ ଵି ବିଜୟଙ୍କୁ ନିଷ୍କ୍ରିୟ କରି ରଖିଲେ ପ୍ରତ୍ୟେକ ନିର୍ବାଚନରେ l ବିଜୟଙ୍କର ବିଧାନସଭା ପ୍ରବେଶ ଆଉ ନୋହିଲା l୨ ମସିହା ନିର୍ବାଚନ ପୂର୍ବରୁ ନବୀନ ଲୋକ ତଥା ରାଜନେତାଙ୍କ ଠାରୁ ଦୁରେଇ ଗଲେ କାରଣ କୋଭିଡ ପରେ ସୁସ୍ଥ ରଖିବାକୁ ତାଙ୍କୁ ଆଉ ବାହାରକୁ ଛାଡିଲେ ନାହିଁ ନିଜର ଅତି ବିଶ୍ୱସ୍ତ କାର୍ତ୍ତିକେୟନ ପାଣ୍ଡିଆନ l ନିଜେ ସରକାରୀ ଅଧିକାରୀ ହୋଇ ବୁଲିଲେ, ଜନ ଅସନ୍ତୋଷ ବଢ଼ିଲା ଏବଂ ଶେଷରେ ରାଜନେତା ହୋଇ ଯାଇ ବସ୍ତୁତଃ ବିଜେଡି ମୁଖିଆ ଭାବରେ ଏକୁଟିଆ ପ୍ରଚାରକଲେ କୌଣସି ଆଗଧାଡ଼ିର ନେତା ବା ବିଧାୟକଙ୍କୁ ସାଥିରେ ନନେଇ l ଏହି ଘଡ଼ିସନ୍ଧି ବେଳରେ ଯେତେବେଳେ କି ବିଜେଡି ଲୋକପ୍ରିୟତା ହରାଇ ଚାଲିଥାଏ ଅନିୟନ୍ତ୍ରିତ ଗତିରେ, ବିଜେପି ବିନା ପରିଶ୍ରମରେ ସାଉଁଟି ଚାଲିଲା ଜନ ସମର୍ଥନ l ଶେଷରେ, ଅହଙ୍କାରୀ, ବିଜୟ ଅତି-ନିଶ୍ଚିତ ମାନସିକତାରେ ଜର୍ଜରିତ ବିଜେଡିକୁ ଶିକ୍ଷା ଦେବା ଉଦ୍ଦେଶ୍ୟର ହରାଇବା ପାଇଁ ଲୋକେ ବିଜେପି ସପକ୍ଷରେ ଦେଲେ ଭୋଟ l ଧରାଶାୟୀ ହେଲା ବିଜେଡିl ଚେତନା ଆସିବା ବେଳକୁ ଗୋଡ଼ତଳୁ ଖସି ଯାଇଥିଲା ମାଟି l ଅତନୁ ସବ୍ୟସାଚୀ, ସଞ୍ଜୟ ଦାସ ବର୍ମା ଏବଂ ଅରୁଣ ସାହୁଙ୍କ ଭଳି କେତେକ ଯୁବକଙ୍କୁ ଅଳିଆ ଗଦାରୁ ଉଠାଇ ଆଣି ନେତା କରିଥିଲେ ପ୍ୟାରୀ ମହାପାତ୍ର l ସେଇମାନେ ଶେଷରେ ପ୍ୟାରୀ ବାବୁଙ୍କୁ ବଦନାମ କରି ଅତି ଅପମାନଜନକ ଅବସ୍ଥାରେ ବିତାଡ଼ିତ କରାଇଥିଲେ ପ୍ୟାରୀଙ୍କୁ l ଏକାକୀ ମୃତ୍ୟୁ ସହିତ ଲଢ଼ୁଥିବା ବେଳେ ପ୍ୟାରୀ ବିମାନ ବନ୍ଦରରେ ଦେବାଶିଷ ନାୟକଙ୍କୁ କହି ଦେଇଥିଲେ ଯେ ଦଳର ପାଖାପାଖି ଦୁଇ ଶହ ବା ତଦୁର୍ଦ୍ଧ୍ୱ ଟଙ୍କା ଜଣକ ପାଖରେ ରହି ଯାଇଛି l ସେତକ ଯେମିତି ହେଲେ ଉଦ୍ଧାର କରି ନବୀନ ବାବୁଙ୍କ ପାଖରେ ପହଞ୍ଚାଇ ଦେବାକୁ l ଗୁଜବ ଉଠିଲା ଯେ ସେହି ଟଙ୍କା ମାଡ଼ି ବସିଥିବା ବ୍ୟକ୍ତି ଜଣକ ମହାକାଳପଡ଼ାରେ ଲୋକପ୍ରିୟ ଥିଲେ ଯଦିବା ଆଜି ନାହାନ୍ତି l ଇତିମଧ୍ୟରେ ଅତନୁ ସବ୍ୟସାଚୀ ଠଉରାଇ ନେଇ ଥାଆନ୍ତି ଯେ ୨୦୨୪ ନିର୍ବାଚନରେ ସିଏ ହାରିଯିବେ କାରଣ ସ୍ଥାନୀୟ ଲୋକେ ତାଙ୍କୁ ଦେଖିଲେ କ୍ରୋଧରେ ହେତୁ ହରାଉ ଥାଆନ୍ତି l ସେହି ଗୋଟିଏ ବଡ଼ କାରଣରୁ ବାବୁ ଅତନୁ ବିଜେଡି ମୁଖିଆ ମାନଙ୍କୁ ବୁଝାଇ ଦେଲେ ଯେ ଏଇଟି ପ୍ରକୃଷ୍ଟ ସମୟ ବିଜୟ ମହାପାତ୍ରଙ୍କ ଭଳି ଜଣେ ଅତି ଚତୁର ରାଜନେତlଙ୍କୁ ବିଜେଡି ଘରକୁ ଫେରାଇ ଆଣିବାକୁ l ଅତନୁଙ୍କର ଲୋଭ ଥିଲା ଯେ ଆଦୌ ହ୍ରାସ ପାଇନଥିବା ବିଜୟଙ୍କର ଲୋକପ୍ରିୟତା ବଳରେ ସିଏ ଵି ମହାକାଳପଡ଼ାରେ ଜିତିଯିବେ l ଏହି ଅନନ୍ୟ ଅତନୁ-ଯୋଜନାରୁ ବିଜେଡି ମୁଖିଆ ମାନେ ବିଜୟଙ୍କ ରାଜନୀତିରେ ଅପରିପଜ୍ଵ ସୁପୁତ୍ର ଅରବିନ୍ଦଙ୍କୁ ଟିକେଟ ଦେଇ ବିଜୟଙ୍କୁ ତେଲ ମାରିବା କାମଟି ସମ୍ପନ୍ନ କରି ନିଜେ ନିଜର ମଣ୍ଡଳୀରେ ଜିତିଯିବେ ବୋଲି ନିଶ୍ଚିତ ହୋଇଗଲେ l ତେବେ ବିଜେଡି ମୁଖିଆଙ୍କର କେତୋଟି ଅତି ସମ୍ବେଦନଶୀଳ ନିଷ୍ପତି ଭୁଲ ହେବାଯୋଗୁ ବିଜେଡିର ଭାଗ୍ୟ ସମ୍ପୂର୍ଣ୍ଣ ବାମ ହୋଇଗଲା l ଅତି ଆପଣାର ତଥା ବିଶ୍ୱସ୍ତ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ପାଣ୍ଡିଆନଙ୍କୁ ଆବଶ୍ୟକ ଠାରୁ ଅଧିକ ଦାୟିତ୍ୱ ତଥା କ୍ଷମତାରେ ପୋତି ପକାଇ ନବୀନ ରାଜନୈତିକ ଜୀବନର ସବୁଠାରୁ ବଡ଼ ଭୁଲଟି କରି ବସିଲେ l ତେଲିଆ, ପାଦଚଟା ତଥାକଥିତ ଅନୁଗାମୀ ମାନେ ନବୀନଙ୍କୁ ଭୂତେଇ ଚାଲିଲେ ଯେ ସାରା ଓଡ଼ିଶାର ସମସ୍ତ ମତଦାତା ନବୀନ-ପାଗଳ ଏବଂ ନବୀନଙ୍କର ଜୀବକାଳ ଭିତରେ ପରାଜୟ ଯୋଗ ଆଦୌ ନାହିଁ l ରୁଦ୍ଧ କୋଠରୀରେ ସମୟ କାଟୁଥିବା ନବୀନ ଏସବୁ ଶସ୍ତା, ଭିତ୍ତିହୀନ କଥାକୁ ବିଶ୍ୱାସ କରି ପାଣ୍ଡିଆନଙ୍କୁ ଉତ୍ତରାଧିକାରୀ ଭାବରେ ଉପସ୍ଥାପିତ କଲାଭଳି ଏକାଧିକ ନିଷ୍ପତି ନେବା ସହ କାମ ମଧ୍ୟ କରି ଚାଲିଲେ l ଲୋକେ ପାଣ୍ଡିଆନଙ୍କର ଅସଂଖ୍ୟ ଲୋକାଭିମୁଖୀ କୀର୍ତ୍ତିକୁ ଅତ୍ୟନ୍ତ ପ୍ରଶଂସା କରୁଥିଲେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ଅବତାରରେ ଗ୍ରହଣ କରିବାକୁ ରାଜି ନଥିଲେ l ବିଜେଡି ପ୍ରତି ବିମୁଖ ହେଲେ ଏବଂ କେବଳ ବିଜେଡିକୁ ହରାଇବା ପାଇଁ ବିଜେପି ସପକ୍ଷରେମତ ଅଜାଡ଼ି ଦେଲେ l ଅରବିନ୍ଦ ମହାପାତ୍ର ଯୁବନେତା ହିସାବରେ ଗ୍ରହଣୀୟ ହେଲେ ଏବଂ ଲୋକେ ବିଜୟ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧା ମଧ୍ୟ ପ୍ରଦର୍ଶନ କରିବା ଆରମ୍ଭ କଲେ l ଇତି ମଧ୍ୟରେ କେତେକ ସ୍ୱାର୍ଥବାଦୀ ନେତା ବିଜେଡି ଛାଡ଼ି ପଦ୍ମ ପୋଖରୀକୁ ଲମ୍ପ ଦେଇ ସାରିଛନ୍ତି l ପାଣ୍ଡିଆନ ଦଳର ନିୟନ୍ତ୍ରଣ କରୁ ନାହାନ୍ତି କିମ୍ବା ଆଗ ଭଳି ନବୀନଙ୍କ ପାଖରେ ରହୁ ନାହାନ୍ତି, ଯଦିବା ଗୁଜବ ଚାଲିଛି ଯେ ସିଏ ପରଦା ପଛରେ ଲୁଚି ରହି ଏବେବି ସବୁ ସିଦ୍ଧାନ୍ତ ନେଉଛନ୍ତି l ଅରବିନ୍ଦ ଇତି ମଧ୍ୟରେ କୁଆଡ଼େ ବିଜେଡି ଭାଙ୍ଗି ନୂଆ ଦଳ ଗଢ଼ିବାକୁ ଇଛୁକ ଥିବା ବିଦ୍ରୋହୀ ନେତା ମାନଙ୍କ ସହିତ ହାତ ମିଳାଇ ବିଭିନ୍ନ ନବୀନ-ହଟାଓ କାର୍ଯ୍ୟକ୍ରମରେ ସକ୍ରିୟ ହୋଇ ଉଠିଛନ୍ତି ବୋଲି ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ଗୁଇନ୍ଦା ମାନେ ସୂଚନା ଦେବା ପରେ ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ବୋଲି ସର୍ବତ୍ର ଚର୍ଚ୍ଚିତ ହେଉଛି l ସନାତନ ମହାକୁଡ଼ ମଧ୍ୟ ନିଲମ୍ବିତ ହୋଇଥିଲେ ଵି ତାଙ୍କର ପ୍ରସଙ୍ଗ ସପୂର୍ଣ୍ଣ ଭିନ୍ନ l ସନାତନ ଜଣେ ଅତି ବିତ୍ତଶାଳୀ ବ୍ୟକ୍ତି ଯିଏକି ନିଜ ଅଞ୍ଚଳରେ ରବିନହୁଡ ଭଳି ଗରୀବ-ପ୍ରେମୀ ଓ ଦାନୀ I ସିଏ ମନ୍ତବ୍ୟ ଦେଲେ ଯେ ନବୀନ ସରକାର କେନ୍ଦୁଝର ଜିଲ୍ଲା ପାଇଁ କିଛି ଆଖିଦୃଶିଆ ଲୋକାଭିମୁଖୀ କାମ କରି ନାହାନ୍ତି l ଏବଂ ପରେ ପରେ ମୋହନ ମାଝିଙ୍କର ନେତୃତ୍ୱକୁ ପ୍ରଶଂସା କରି କହିଛନ୍ତି ଯେ ମାଝୀ ଜିଲ୍ଲା ପାଇଁ ଶୁଭଙ୍କର l ଶେଷକୁ ଗୋଟିଏ ଗୁରୁତ୍ୱପୂର୍ଣ କଥାଟିଏ ଉଲ୍ଲେଖ ନକରି ଏହି ଅନୁଶୀଳନ ଆଲେଖ୍ୟକୁ ସପୂର୍ଣ୍ଣ କରିବା କଷ୍ଟକର ହେବ l ଠିକ ଇହଲୀଳା ସମ୍ବରଣ କରିବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ା ନବୀନଙ୍କୁ ଚେତାଇ ଦେଇଥିଲେ ଯେ ବିଜୟ ମହାପାତ୍ର କସ୍ମିନ କାଳେ ନବୀନଙ୍କୁ ବନ୍ଧୁ ବିବେଚିତ କରିବେ ନାହିଁ କାରଣ ନବୀନ ଯେଉଁଭଳି ତାଙ୍କର ରାଜନୈତିକ ଜୀବନକୁ ଧ୍ବଂସ କରି ଦେଇଛନ୍ତି, ତାହାର ପ୍ରତିଶୋଧ ନନେଲେ ଜୀବନ ବୃଥା ବୋଲି ଭାବି ନେଇଛନ୍ତି ବିଜୟ l ଏବେ ଚକ୍ର ବୁଲିଛି, ପରିସ୍ଥିତି ଓଲଟିଛି ଏବଂ ବିରାଟ ସୁଯୋଗ ହାତକୁ ଆସିଛି l ସ୍ୱାଭାବିକ ଭାବରେ ବହୁ ବିଦ୍ରୋହୀ ବିଜେଡି ନେତା ମୂଳ ଦଳରୁ ଅଲଗା ହୋଇ ନବୀନକୁ ବାଦ ଦେଇ ବିଜେଡିକୁ ହାତକୁ ନେବାର ଯୋଜନା କରିବାରେ ବ୍ୟସ୍ତ ରହିଛନ୍ତି l ଦିଲ୍ଲୀପ ରାଏ, ଅମର ଶତପଥୀ, ପ୍ରଭାତ ଶତପଥୀ, ରାଜା ସ୍ୱାଇଁଙ୍କ ଭଳି ଟାଣୁଆ, ପୁରୁଖା ନେତା ମାନେ ଏବେ ମେଳି କରିଛନ୍ତି ମହାରାଷ୍ଟ୍ରରେ ଶିନ୍ଦେଙ୍କ ଭଳି ଯାଦୁଗରୀ ଦେଖାଇ ମୂଳ ବିଜେଡିକୁ ଦଳୀୟ ଚିହ୍ନ ସହ ଉଠାଇ ନେବେ l ଏସବୁ ଗୁଜବର କିଛି ଅର୍ଥ ନାହିଁ କାରଣ ଯେତେ ଯାହା କଲେ ଵି ନବୀନଙ୍କ ଭଳି ତାରକା ସେମାନଙ୍କ ଭିତରେ ଜଣେ କେହି ନାହାନ୍ତି ଯାହା ମୁହଁ ଦେଖି ଲୋକେ ମତଦାନ କରି ଏମାନଙ୍କୁ ଜିତାଇ ସିଂହାସନରେ ବସାଇ ଦେବେ l ବିଶେଷ କରି ଏଭଳି ସମୟରେ ଯେତେବେଳେ ବିଜେପି ଲୋକପ୍ରିୟତା କ୍ଷିପ୍ର ଗତିରେ ହରାଇ ଚାଲିଛି l ପଦ୍ମ ଦଳ ଏପର୍ଯ୍ୟନ୍ତ କେବଳ ପ୍ରତିଶୋଧପରାୟଣତା ତଥା ଅସହିଷ୍ଣୁତା ବ୍ୟତୀତ କିଛି ପ୍ରମାଣିତ କରି ପାରି ନାହିଁ l କୌଣସି ଗୋଟିଏ ନିର୍ବାଚନୀ ପ୍ରତିଶୃତି ରକ୍ଷା କରି ପାରିନାହିଁ l ମାଗଣା ବିଜୁଳୀ, ଚାଷୀ ସହାୟତା, ମହିଳା ଉଦ୍ୟୋଗ ସହାୟତା, ସ୍ୱାସ୍ଥ୍ୟବୀମା ଭଳି ପ୍ରତ୍ୟେକ ପ୍ରତିଶୃତି ମିଥ୍ୟା ପ୍ରମାଣିତ l ଏସବୁ ବ୍ୟତୀତ, ବିଧାୟକ ମନ୍ତ୍ରୀ ମାନଙ୍କ ବିରୋଧରେ ଦୁର୍ନୀତି ଛିଟା, କୋଟିପତି ବାଲି ଚୋରଙ୍କ ସହିତ ମୁଖିଆଙ୍କର ମଧୁର ସମ୍ପର୍କ ଏବଂ ଅନ୍ୟ କେତେକ ଭୟଙ୍କର ଅଭିଯୋଗ ଗଣମାଧ୍ୟମରେ ଦେଖିବାକୁ ଶୁଣିବାକୁ ମିଳୁଛି l ସେଥିପାଇଁ, କେତେକ ବଡ଼ ବଡ଼ ତ୍ରୁଟି, ଔଦ୍ଧତ୍ୟକୁ ଭୁଲି ଲୋକେ ବିଜେଡିକୁ ଝୁରିବା ଆରମ୍ଭ କଲେଣି l ଆଜି ଦିନରେ ନବୀନ ବାବୁଙ୍କ ପାଇଁ ସଭିଙ୍କୁ ବାନ୍ଧି ରଖିବାଟି ହିଁ ସବୁଠାରୁ ବଡ଼ କୃତିତ୍ୱ ବୋଲି ଧରି ନେବାକୁ ହେବ l ଯଦି ବା କେହି କାମ ବା ବାକ୍ୟରେ ଦଳବିରୋଧୀ ବୋଲି ପ୍ରମାଣିତ ହେଲା, ସେମାନଙ୍କୁ ଵି ସଜାଡ଼ି, ସିଧାକରି ଦଳରେ ରଖନ୍ତୁ, ନଚେତ ସମସ୍ତଙ୍କର କ୍ଷତି ହେବ, ଏବଂ ବିନା ପରିଶ୍ରମରେ ବିଜେପି ପୁଣି ଆନୁପାତିକ ହାରରେ କମ ବଦନାମ ହୋଇ ସିଂହାସନରେ ବସି ରହିବ l
What's Your Reaction?