୭ଦିନ ପାଇଁ ବର୍ଷା ନେଇ ସତର୍କତା ଜାରି : ଆସନ୍ତାକାଲି ପାଇଁ ୨୦ଜିଲ୍ଲାକୁ ସତର୍କତା

Aug 22, 2026 - 13:07
୭ଦିନ ପାଇଁ ବର୍ଷା ନେଇ ସତର୍କତା ଜାରି : ଆସନ୍ତାକାଲି ପାଇଁ ୨୦ଜିଲ୍ଲାକୁ ସତର୍କତା

୭ଦିନ ପାଇଁ ବର୍ଷା ନେଇ ସତର୍କତା ଜାରି : ଆସନ୍ତାକାଲି ପାଇଁ ୨୦ଜିଲ୍ଲାକୁ ସତର୍କତା

ସିଷ୍ଟମ୍‌ଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ପ୍ରଭାବରେ ଅଗଷ୍ଟ ୨୫ରୁ ୨୮ ପର୍ଯ୍ୟନ୍ତ ବ୍ୟାପକ ବର୍ଷା ଆରମ୍ଭ ହେବ, ଯାହାଦ୍ୱାରା ଉତ୍ତର ଉପକୂଳ ଓ ନଦୀ ଅବବାହିକା ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ୭୦ରୁ ୧୫୦ ମିମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଅଗଷ୍ଟ ୨୪ ପର୍ଯ୍ୟନ୍ତ ମୌସୁମୀ ପ୍ରଭାବ କମ୍ ରହିବ। ପ୍ରଚଣ୍ଡ ଖରା ଓ ଆର୍ଦ୍ରତା ଯୋଗୁଁ ଅପରାହ୍ନ ଓ ସନ୍ଧ୍ୟା ସମୟରେ କେତେକ ସ୍ଥାନରେ କାଳବୈଶାଖୀ ସୃଷ୍ଟି ହୋଇ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଅଗଷ୍ଟ ୨୨ରୁ ୨୪ ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବଡ଼ ବର୍ଷାର ବିପଦ ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରି ଅଧିକ ରହିବ, ଯାହାକି ରାଜ୍ୟର ତାପମାତ୍ରାକୁ ୩୩ରୁ ୩୬ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚାଇବ। ୨୫ରୁ ୨୮ ମଧ୍ୟରେ ମେଘୁଆ ପାଗ ଓ ବର୍ଷା ଯୋଗୁଁ ଦିନର ତାପମାତ୍ରା ୩ରୁ ୫ ଡିଗ୍ରି ହ୍ରାସ ପାଇ ୨୮ରୁ ୩୧ ଡିଗ୍ରି ମଧ୍ୟରେ ରହିବ। ରାତିର ତାପମାତ୍ରା ୨୪ରୁ ୨୬ ଡିଗ୍ରି ମଧ୍ୟରେ ସ୍ଥିର ରହିବ ବୋଲି ସେ କହିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ଓଡ଼ିଶା ନିକଟରେ ଦୁଇଟି ଘୂର୍ଣ୍ଣିବଳୟ ରହିଛି। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଥିବା ବେଳେ ଅନ୍ୟଟି ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ପ୍ରଭାବରେ ଶନିବାର ସକାଳ ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ୨୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

୨୩ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ରେକର୍ଡ କରାଯାଇଛି। ନୟାଗଡ଼ରେ ସର୍ବାଧିକ ୩୫ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଦେଶର ଅନେକ ଅଞ୍ଚଳରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ୨୧ ଅଗଷ୍ଟ ପାଇଁ ପାଣିପାଗ ବିଭାଗ ଦେଇଛି ବଡ଼ ସତର୍କ ସୂଚନା । ଉତ୍ତର, ମଧ୍ୟ ଏବଂ ଉତ୍ତର-ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । 

ଦେଶର ଅନେକ ଅଞ୍ଚଳରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ୨୧ ଅଗଷ୍ଟ ପାଇଁ ପାଣିପାଗ ବିଭାଗ ଦେଇଛି ବଡ଼ ସତର୍କ ସୂଚନା । ଉତ୍ତର, ମଧ୍ୟ ଏବଂ ଉତ୍ତର-ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବିଶେଷକରି ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିପାରେ । ଜମ୍ମୁ-କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଆସନ୍ତା କିଛି ଦିନ ଧରି ବ୍ୟାପକ ବର୍ଷା ଜାରି ରହିବାର ପୂର୍ବାନୁମାନ ରହିଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ମଧ୍ୟ ରହିଛି । ମଧ୍ୟ ଭାରତରେ ମଧ୍ୟ ବର୍ଷାର ପ୍ରଭାବ ରହିବ । ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଭାରିରୁ ଅତି ଭାରି ବର୍ଷା ହେବାର ଚେତାବନୀ ରହିଛି । ଏହାଦ୍ୱାରା ତଳିଆ ଅଞ୍ଚଳରେ ଜଳଜମା, ରାସ୍ତାଘାଟରେ ପାଣି ଜମିବା ଏବଂ ଦୈନନ୍ଦିନ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି । 

ଉତ୍ତର-ପୂର୍ବ ଭାରତରେ ମଧ୍ୟ ବର୍ଷାର ପ୍ରଭାବ କମିବାର ନାହିଁ । ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ସମେତ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବ୍ୟାପକ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ପୂର୍ବ ଭାରତରେ ମଧ୍ୟ ମୌସୁମୀ ସକ୍ରିୟ ରହିଛି । ପଶ୍ଚିମବଙ୍ଗ ଏବଂ ସିକ୍କିମରେ ଆସନ୍ତା କିଛି ଦିନ ବ୍ୟାପକ ବର୍ଷାର ପୂର୍ବାନୁମାନ ରହିଛି । ଅନେକ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ । ଦିଲ୍ଲୀ-ଏନସିଆରରେ ମଧ୍ୟ ମେଘୁଆ ପାଗ ସହ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଏବଂ ଗାଜିଆବାଦରେ ଗୁରୁବାର ମଧ୍ୟ ବର୍ଷା ହୋଇଥିଲା ଏବଂ ଆଗକୁ ମଧ୍ୟ ବର୍ଷା ଓ ବଜ୍ରପାତ ହୋଇପାରେ । ତେଣୁ ଭାରି ବର୍ଷାପ୍ରବଣ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ନିୟମିତ ଅପଡେଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ପାହାଡ଼ିଆ ଓ ତଳିଆ ଅଞ୍ଚଳରେ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଜରୁରୀ । ସାରା ଦେଶରେ ମୌସୁମୀ ବର୍ଷାର ଏହି ପ୍ରଭାବ ଆହୁରି କିଛି ଦିନ ରହିପାରେ । ତେଣୁ ବର୍ଷା, ବନ୍ୟା ଓ ଭୂସ୍ଖଳନ ଭଳି ସମ୍ଭାବ୍ୟ ବିପଦକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ମଧ୍ୟ ସଜାଗ ରହିଛି ।  

What's Your Reaction?

like

dislike

love

funny

angry

sad

wow