ଜେନ୍-ଜି ହିରୋରୁ ବିବାଦୀୟ PM, ୧୫୦ ଦିନରେ ବଦଳିଲା ବାଲେନଙ୍କ ଭାଗ୍ୟ!

Aug 24, 2026 - 11:40
 0  0
ଜେନ୍-ଜି ହିରୋରୁ ବିବାଦୀୟ PM, ୧୫୦ ଦିନରେ ବଦଳିଲା ବାଲେନଙ୍କ ଭାଗ୍ୟ!

ନେପାଳର ରାଜନୀତିରେ ଏବେ ଚର୍ଚ୍ଚାରେ ରହିଛି ଗୋଟିଏ ନାଁ ବାଲେନ ଶାହ । ମାତ୍ର ୧୫୦ ଦିନ ତଳେ ଯେଉଁ ଯୁବ ନେତାଙ୍କୁ ନେଇ ନେପାଳର ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଥିଲା, ଏବେ ସେହି ବାଲେନଙ୍କୁ ନେଇ ଉଠୁଛି ବଡ଼ ବଡ଼ ପ୍ରଶ୍ନ ।

ନେପାଳର ରାଜନୀତିରେ ଏବେ ଚର୍ଚ୍ଚାରେ ରହିଛି ଗୋଟିଏ ନାଁ ବାଲେନ ଶାହ । ମାତ୍ର ୧୫୦ ଦିନ ତଳେ ଯେଉଁ ଯୁବ ନେତାଙ୍କୁ ନେଇ ନେପାଳର ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଥିଲା, ଏବେ ସେହି ବାଲେନଙ୍କୁ ନେଇ ଉଠୁଛି ବଡ଼ ବଡ଼ ପ୍ରଶ୍ନ । ଜେନ୍-ଜି ଆନ୍ଦୋଳନର ଲହରୀ ଉପରେ ଚଢ଼ି ପ୍ରଧାନମନ୍ତ୍ରୀ ହୋଇଥିବା ବାଲେନ ଶାହଙ୍କ ଲୋକପ୍ରିୟତା ମାତ୍ର ୫ ମାସ ଭିତରେ କାହିଁକି କମିଗଲା? କେଉଁ ଭୁଲ୍‌ ତାଙ୍କ ପାଇଁ ମହଙ୍ଗା ପଡ଼ିଲା? ଆଉ ନିଜ ଦଳ ଓ ସଂସଦଠାରୁ ଦୂରତା ତାଙ୍କ ରାଜନୈତିକ ଭବିଷ୍ୟତକୁ କେତେ ପ୍ରଭାବିତ କରୁଛି ।  ବାଲେନ ଶାହ କେବଳ ଜଣେ ରାଜନେତା ନୁହନ୍ତି । ସେ ଜଣେ ରାପର, ସିଭିଲ୍ ଇଞ୍ଜିନିୟର ଏବଂ କାଠମାଣ୍ଡୁର ପୂର୍ବତନ ମେୟର । ପୁରୁଣା ରାଜନୈତିକ ବ୍ୟବସ୍ଥା ବିରୋଧରେ ତାଙ୍କ ଛବି ତାଙ୍କୁ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲା । ମାର୍ଚ୍ଚର ନିର୍ବାଚନରେ ସେ ଚାରିଥର ପ୍ରଧାନମନ୍ତ୍ରୀ ହୋଇଥିବା କେପି ଶର୍ମା ଓଲିଙ୍କୁ ତାଙ୍କ ନିଜ ଅଞ୍ଚଳରେ ପରାସ୍ତ କରିଥିଲେ । ତାଙ୍କ ଦଳ RSP ମଧ୍ୟ ବହୁମତ ହାସଲ କରିଥିଲା । ଯୁବପିଢ଼ି ଭାବିଥିଲା ଏଥର ନେପାଳର ରାଜନୀତିରେ କିଛି ବଡ଼ ପରିବର୍ତ୍ତନ ହେବ । କିନ୍ତୁ ପ୍ରଧାନମନ୍ତ୍ରୀ ହେବାର ୧୫୦ ଦିନ ମଧ୍ୟରେ ସେହି ଆଶା ଧୀରେ ଧୀରେ ମଳିନ ହେବାକୁ ଲାଗିଲା । ପ୍ରଥମ ଝଟକା ଭାରତରୁ ସାମଗ୍ରୀ ଆଣିବା ଉପରେ କଟକଣା:

ଏପ୍ରିଲ୍‌ରେ ଭାରତୀୟ ବଜାରରୁ ନେପାଳକୁ ସାମଗ୍ରୀ ଆଣିବା ଉପରେ କଷ୍ଟମ୍ସ ନିୟମ କଡ଼ାକଡ଼ି କରାଗଲା । ସୀମା ଅଞ୍ଚଳରେ ଭାରତୀୟ ବଜାର ଉପରେ ନିର୍ଭର କରୁଥିବା ସାଧାରଣ ଲୋକ ଏଥିରେ ଅସନ୍ତୋଷ ପ୍ରକାଶ କଲେ । ବିରୋଧ ବଢ଼ିବା ପରେ ସରକାରକୁ ନିଷ୍ପତ୍ତିରୁ ପଛକୁ ହଟିବାକୁ ପଡ଼ିଲା ।

ଭାରତ-ନେପାଳ ସୀମା ବିବାଦରେ ବାଲେନଙ୍କ ବୟାନ:

ତା'ପରେ ଆସିଲା ସବୁଠାରୁ ବଡ଼ କୂଟନୈତିକ ବିବାଦ । କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ପ୍ରସଙ୍ଗରେ ବାଲେନ ଏଭଳି ମତ ଦେଇଥିଲେ, ଯାହାକୁ ନେଇ ଭାରତ ସହ ନେପାଳର ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଥିଲା ।
ସେ ଏହି ବିବାଦର ସମାଧାନ ପାଇଁ ଇତିହାସବିତ୍‌, ସର୍ଭେୟର ଏବଂ ଏପରିକି ବ୍ରିଟେନର ସହାୟତା ନେବା କଥା କହିଥିଲେ । ଭାରତ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଅସ୍ୱୀକାର କରିଥିଲା । ନେପାଳରେ ମଧ୍ୟ ବିରୋଧୀ ଦଳ ଓ ଛାତ୍ର ସଂଗଠନ ଏହାକୁ ନେଇ ତୀବ୍ର ପ୍ରତିବାଦ କରିଥିଲେ ।

ଆଉ ଏପଟେ ରବି ଲାମିଛାନେଙ୍କ ଭାରତ ଗସ୍ତ:

ଏହି ସମୟରେ ବାଲେନଙ୍କ ଦଳର ଅଧ୍ୟକ୍ଷ ରବି ଲାମିଛାନେ ଭାରତ ଗସ୍ତ କରିଥିଲେ । ଭାରତରେ ତାଙ୍କୁ ମିଳିଥିଲା ବଡ଼ ସ୍ୱାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା ।
ଏହାର ରାଜନୈତିକ ସମୟକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । କାରଣ, ବାଲେନ ନିଜେ ଭାରତୀୟ ଅଧିକାରୀଙ୍କ ସହ ଭେଟିବାରେ ଅନିଚ୍ଛା ଦେଖାଇଥିବା ବେଳେ ତାଙ୍କ ଦଳର ଅଧ୍ୟକ୍ଷ ଭାରତରେ ଗୁରୁତ୍ୱପୂର୍ଣ୍ଣ ନେତାଙ୍କ ସହ ଭେଟୁଥିଲେ ।

ଜେନ୍-ଜି ହିରୋଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଯୁବପିଢ଼ି:

ଜୁଲାଇରେ ଘଟିଥିବା ଏକ ଘଟଣା ବାଲେନଙ୍କ ଛବିକୁ ଆହୁରି କ୍ଷତି ପହଞ୍ଚାଇଲା । ରାଇଡ୍-ଶେୟାର ଡ୍ରାଇଭର ଗଣେଶ ନେପାଳୀ କାଠମାଣ୍ଡୁ ମହାନଗର ପୁଲିସ ସହ ବିବାଦ ପରେ ନିଜକୁ ନିଆଁ ଲଗାଇଦେଇଥିଲେ । ପରେ ତାଙ୍କ ମୃତ୍ୟୁ ହୋଇଥିଲା ।
ଏହି ଘଟଣା ପରେ ଯୁବପିଢ଼ି ପୁଣି ରାସ୍ତାକୁ ଓହ୍ଲାଇଥିଲା । ଯେଉଁ ଯୁବକମାନେ ଦିନେ ବାଲେନଙ୍କୁ ପରିବର୍ତ୍ତନର ଚେହେରା ବୋଲି ଦେଖୁଥିଲେ, ସେମାନେ ଏବେ ସରକାର ବିରୋଧରେ ସ୍ଲୋଗାନ ଦେଉଥିଲେ ।

ସଂସଦଠାରୁ ଦୂରତା ବି ବଢ଼ିଲା:

ବାଲେନଙ୍କ ବିରୋଧରେ ଆଉ ଏକ ବଡ଼ ଅଭିଯୋଗ ହେଉଛି ସେ ସଂସଦରେ ନିୟମିତ ଉପସ୍ଥିତ ରହୁନାହାନ୍ତି । ପ୍ରଧାନମନ୍ତ୍ରୀ ହେବା ପରଠାରୁ ୩୯ଟି ସଂସଦୀୟ ବୈଠକ ମଧ୍ୟରୁ ସେ ମାତ୍ର ୫ଟିରେ ଯୋଗ ଦେଇଥିବା କୁହାଯାଇଛି ।
ଏହାକୁ ନେଇ ବିରୋଧୀ ଦଳ ଲଗାତାର ପ୍ରଶ୍ନ ଉଠାଇବା ପରେ ସ୍ପିକର ଡିପି ଆର୍ଯ୍ୟାଲ୍‌ ତାଙ୍କୁ ଅଗଷ୍ଟ ୨୬ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ହାଜର ହେବାକୁ କହିଛନ୍ତି ।

ନିଜ ଦଳଠାରୁ ବି ଦୂରେଇଲେ କି ବାଲେନ?

କେବଳ ସଂସଦ ନୁହେଁ, ନିଜ ଦଳ RSP ସହ ମଧ୍ୟ ବାଲେନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠୁଛି । ଅଗଷ୍ଟ ୨୧ରେ ଦଳର ଗୁରୁତ୍ୱପୂର୍ଣ୍ଣ ସେଣ୍ଟ୍ରାଲ କମିଟି ବୈଠକରେ ସେ ଯୋଗ ଦେଇନଥିଲେ । ଏହା ବଦଳରେ ସେ କାଠମାଣ୍ଡୁରୁ ପୋଖରା ଏବଂ ପରେ ମୁସ୍ତାଙ୍ଗ ଯାଇଥିଲେ । ଫଳରେ ଦଳ ଭିତରେ ବାଲେନଙ୍କ ଭୂମିକା ଏବଂ ରବି ଲାମିଛାନେଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି ।

ସୀମାରେ ହିନ୍ଦୁ-ମୁସଲିମ୍ ହିଂସା:

ଜୁଲାଇ ଶେଷ ସପ୍ତାହରେ ନେପାଳର ଦକ୍ଷିଣ ଅଞ୍ଚଳରେ ହିନ୍ଦୁ-ମୁସଲିମ୍ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ପରିସ୍ଥିତିକୁ ଆହୁରି ଜଟିଳ କରିଦେଲା । ଏହି ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ବାଲେନ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଏକ ବଡ଼ ଟେଲିଭିଜନ୍ ବାର୍ତ୍ତା ଦେଇ ଶାନ୍ତି ଓ ଜାତୀୟ ଏକତା ପାଇଁ ଆହ୍ୱାନ କରିଥିଲେ ।

ଗୋର୍ଖାଙ୍କ ଦାବି ବି ବାଲେନଙ୍କ ପାଇଁ ଚ୍ୟାଲେଞ୍ଜ:

ଏପଟେ ନେପାଳୀ ଗୋର୍ଖା ଯୁବକଙ୍କୁ ଭାରତୀୟ ସେନାର ଅଗ୍ନିପଥ ଯୋଜନାରେ ନିଯୁକ୍ତି ଦେବା ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି । ୨୦୨୦ରୁ ଏହି ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି । ଗୋର୍ଖା ପୂର୍ବତନ ସୈନିକ ଓ ସମର୍ଥକମାନେ ଏହାକୁ ପୁଣି ଆରମ୍ଭ କରିବାକୁ ଦାବି କରୁଛନ୍ତି ।

What's Your Reaction?

like

dislike

love

funny

angry

sad

wow