ଆଫଗାନ ସିରିଜ୍‌ ମଝିରେ ଟିମ୍ ଇଣ୍ଡିଆକୁ ଝଟକା, ବାଦ୍ ପଡ଼ିଲେ ଷ୍ଟାର୍ ଖେଳାଳି!

Sep 15, 2026 - 13:40
 0  0
ଆଫଗାନ ସିରିଜ୍‌ ମଝିରେ ଟିମ୍ ଇଣ୍ଡିଆକୁ ଝଟକା, ବାଦ୍ ପଡ଼ିଲେ ଷ୍ଟାର୍ ଖେଳାଳି!

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବରୁଣ ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ମାତ୍ର ୧୬ ରନ୍‌ ଦେଇ ଗୋଟିଏ ୱିକେଟ୍‌ ନେଇଥିଲେ। 

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଆସିଛି ଖରାପ ଖବର। ଆହତ କାରଣରୁ ସେ ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ବାକି ଦୁଇଟି ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଦୀର୍ଘ ସମୟ ପରେ ତାଙ୍କୁ ମଇଦାନରେ ଦେଖିବାକୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ଏହା ନିଶ୍ଚିତ ଭାବେ ନିରାଶାଜନକ ଖବର।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବରୁଣ ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ମାତ୍ର ୧୬ ରନ୍‌ ଦେଇ ଗୋଟିଏ ୱିକେଟ୍‌ ନେଇଥିଲେ। ଭାରତ ୭ ୱିକେଟ୍‌ରେ ମ୍ୟାଚ୍‌ ଜିତିଥିବା ବେଳେ ଏହି ବିଜୟରେ ବରୁଣଙ୍କ ବୋଲିଂର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ତେବେ ମ୍ୟାଚ୍‌ ଶେଷ ହେବା ପରେ ତାଙ୍କ ଆହତ ହେବା ଖବର ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ପୂରା ସିରିଜରୁ ବାଦ ଦିଆଯାଇଛି। ବରୁଣଙ୍କ ଅନୁପସ୍ଥିତି ଅଧିନାୟକ ଶ୍ରେୟସ ଆୟରଙ୍କ ଚିନ୍ତା ବଢ଼ାଇଛି।

 ବରୁଣଙ୍କ ପାଇଁ ୨୦୨୬ ବର୍ଷଟି ଆହତ ସମସ୍ୟା ଦୃଷ୍ଟିରୁ ନିରାଶାଜନକ ରହିଛି। ଆଇପିଏଲ୍‌ ୨୦୨୬ ସମୟରେ ତାଙ୍କ ପାଦର ବୁଢ଼ା ଆଙ୍ଗୁଠିରେ ଫ୍ରାକ୍ଚର ହୋଇଥିଲା। ଏହି କାରଣରୁ ସେ ଆୟରଲ୍ୟାଣ୍ଡ ଗସ୍ତରେ ଯାଇପାରିନଥିଲେ। ପରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଫେରିଥିଲେ। କିନ୍ତୁ ତୃତୀୟ ମ୍ୟାଚ୍‌ ପରେ ହାମଷ୍ଟ୍ରିଙ୍ଗ୍‌ ସମସ୍ୟା ଯୋଗୁଁ ପୁଣି ଦଳରୁ ବାଦ ପଡ଼ିଥିଲେ।

ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଦୀର୍ଘ ରିହାବ ପ୍ରକ୍ରିୟା ପରେ ଘରୋଇ କ୍ରିକେଟ୍‌ରେ ନିଜ ଫିଟନେସ୍‌ ପ୍ରମାଣ କରି ସେ ଆଫଗାନିସ୍ତାନ ସିରିଜ୍‌ ପାଇଁ ଦଳକୁ ଫେରିଥିଲେ। ହେଲେ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ପରେ ପୁଣି ଆହତ ହେବା ତାଙ୍କ ପାଇଁ ବଡ଼ ଝଟକା।
ଚଳିତ ମାସ ୧୯ ତାରିଖରୁ ଏସିଆନ୍ ଗେମ୍ସ ଆରମ୍ଭ ହେବାକୁ ଥିବାରୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ବରୁଣଙ୍କ ଶୀଘ୍ର ସୁସ୍ଥତା ଆଶା କରୁଛି। ତାଙ୍କ ଫିଟନେସ୍‌ ଆଗାମୀ ମ୍ୟାଚ୍‌ ଓ ଟୁର୍ଣ୍ଣାମେଣ୍ଟ ପାଇଁ ଗୁରୁତ୍ୱ ବହନ କରିବ। 

What's Your Reaction?

like

dislike

love

funny

angry

sad

wow