ଘରେ ପଡ଼ିଥିଲା ବାପାଙ୍କ ମୃତଦେହ, ମୈଦାନରେ ବ୍ୟାଟିଂ କରୁଥିଲେ ବିରାଟ
କଥା ହେଉଛି ୨୦୦୬ ମସିହା ଡିସେମ୍ବର ମାସର। ସେତେବେଳେ ବିରାଟଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମରେ ଦିଲ୍ଲୀ ଓ କର୍ଣ୍ଣାଟକ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ଚାଲିଥିଲା। ଦିଲ୍ଲୀ ଦଳ ସଙ୍କଟରେ ପଡ଼ିଥିବା ବେଳେ ବିରାଟ ୪୦ ରନ୍ କରି ଅପରାଜିତ ଥିଲେ।
ଗୋଟିଏ ପଟେ ଘରେ ପଡ଼ିଥିଲା ବାପାଙ୍କ ମୃତଦେହ... ଆଉ ଅନ୍ୟପଟେ କ୍ରିକେଟ୍ ମୈଦାନରେ ବ୍ୟାଟ୍ ଧରି ଛିଡ଼ା ହୋଇଥିଲା ପୁଅ। ଆଖିରେ ଲୁହ, ଛାତିରେ ଅସହ୍ୟ ଯନ୍ତ୍ରଣା... ତଥାପି ହାର୍ ମାନିନଥିଲା ସେହି ୧୮ ବର୍ଷର ଖେଳାଳି । ଜୀବନର ସବୁଠୁ ବଡ଼ ଦୁଃଖ ଭିତରେ ସେଦିନ ନେଇଥିଲେ ଏମିତି ଏକ ନିଷ୍ପତ୍ତି, ଯାହା ଶୁଣିଲେ ଆଜି ବି ଆଖିରେ ଲୁହ ଆସିଯାଏ।
ଭାରତୀୟ କ୍ରିକେଟ୍ର ମହାନ ତାରକା ବିରାଟ କୋହଲି। ନାଁ ଶୁଣିଲେ ଆଖି ଆଗରେ ନାଚିଉଠେ ତାଙ୍କର ଦମଦାର ବ୍ୟାଟିଂ ଓ ଆକ୍ରମଣାତ୍ମକ ଅନ୍ଦାଜ। ବିଶ୍ୱର ବଡ଼ ବଡ଼ ବୋଲରଙ୍କ ନିଦ ହଜାଇ ଦେଇଥିବା ଏହି ବ୍ୟାଟରଙ୍କୁ ଆଜି ସମସ୍ତେ କିଙ୍ଗ୍ କୋହଲି ନାଁରେ ଜାଣନ୍ତି। ନଭେମ୍ବର ୫ ତାରିଖରେ ବିରାଟ ନିଜର ୩୮ତମ ଜନ୍ମଦିନ ପାଳନ କରିବେ। ହେଲେ ତାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା, ଯାହା ଆଜି ବି କ୍ରିକେଟ୍ ପ୍ରେମୀଙ୍କ ଆଖିରେ ଲୁହ ଆଣିଦିଏ।
କଥା ହେଉଛି ୨୦୦୬ ମସିହା ଡିସେମ୍ବର ମାସର। ସେତେବେଳେ ବିରାଟଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମରେ ଦିଲ୍ଲୀ ଓ କର୍ଣ୍ଣାଟକ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ଚାଲିଥିଲା। ଦିଲ୍ଲୀ ଦଳ ସଙ୍କଟରେ ପଡ଼ିଥିବା ବେଳେ ବିରାଟ ୪୦ ରନ୍ କରି ଅପରାଜିତ ଥିଲେ। କିନ୍ତୁ ସେହି ରାତିରେ ତାଙ୍କ ଜୀବନରେ ମାଡ଼ି ଆସିଥିଲା ଦୁଃଖର ପାହାଡ଼। ଡିସେମ୍ବର ୧୯ ତାରିଖ ଭୋର ସମୟରେ ବିରାଟଙ୍କ ବାପା ପ୍ରେମ କୋହଲିଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। ଯେଉଁ ବାପା ପୁଅକୁ ବଡ଼ କ୍ରିକେଟର କରିବାର ସ୍ୱପ୍ନ ଦେଖିଥିଲେ, ସେହି ବାପା ହଠାତ୍ ଦୁନିଆ ଛାଡ଼ି ଚାଲିଗଲେ। ମାତ୍ର ୧୮ ବର୍ଷ ବୟସରେ ବିରାଟଙ୍କ ମୁଣ୍ଡ ଉପରୁ ଉଠିଗଲା ବାପାଙ୍କ ହାତ। ପୂରା ପରିବାର ଶୋକରେ ଭାଙ୍ଗିପଡ଼ିଥିଲା।
ହେଲେ ଏଭଳି ଦୁଃଖଦ ସମୟରେ ବିରାଟ ନେଇଥିଲେ ଏକ ଅବିଶ୍ୱସନୀୟ ନିଷ୍ପତ୍ତି। ବାପାଙ୍କ ମୃତ୍ୟୁର ଦୁଃଖକୁ ଛାତିରେ ଚାପି ସେ ପୁଣିଥରେ କ୍ରିକେଟ୍ ମୈଦାନକୁ ଓହ୍ଲାଇଥିଲେ। ଘରେ ବାପାଙ୍କ ମୃତଦେହ ଥିବା ବେଳେ ପୁଅ ଦଳ ପାଇଁ ବ୍ୟାଟିଂ କରୁଥିଲେ। ସାଥୀ ଖେଳାଳିମାନେ ମଧ୍ୟ ବିରାଟଙ୍କ ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଦିନ କର୍ଣ୍ଣାଟକ ବିପକ୍ଷରେ ବିରାଟ ୯୦ ରନ୍ର ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ଲଢ଼ୁଆ ବ୍ୟାଟିଂ ଦିଲ୍ଲୀକୁ ଫଲୋଅନ୍ରୁ ବଞ୍ଚାଇବାରେ ସହାୟକ ହୋଇଥିଲା। ବ୍ୟାଟିଂ ଶେଷ କରିବା ପରେ ସେ ବାପାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଏହି ଘଟଣା ବିରାଟଙ୍କ ମାନସିକ ଦୃଢ଼ତା ଓ କ୍ରିକେଟ୍ ପ୍ରତି ସମର୍ପଣର ଏକ ଅଭୁଲା ଉଦାହରଣ ହୋଇ ରହିଗଲା।
ବିରାଟ ପରବର୍ତ୍ତୀ ସମୟରେ ମଧ୍ୟ ନିଜ ବାପାଙ୍କ କଥା ମନେ ପକାଇ ଭାବପ୍ରବଣ ହୋଇଛନ୍ତି। ବାପାଙ୍କ ମୃତ୍ୟୁ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଏହାପରେ ସେ ନିଜର ସମସ୍ତ ଧ୍ୟାନ କ୍ରିକେଟ୍ ଉପରେ ଦେଇଥିଲେ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଥିଲା। ୨୦୦୮ ମସିହାରେ ବିରାଟଙ୍କ ନେତୃତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଜିତିଥିଲା। ସେହି ବର୍ଷ ଅଗଷ୍ଟ ୧୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ସେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ଏହାପରେ ଆଉ ପଛକୁ ଫେରି ଚାହିଁନଥିଲେ ବିରାଟ। ୨୦୧୧ ଦିନିକିଆ ବିଶ୍ୱକପ୍ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜୟୀ ଭାରତୀୟ ଦଳର ସେ ଅଂଶ ଥିଲେ।
ଆଜି ବିରାଟଙ୍କ ନାଁରେ ରହିଛି ଅନେକ ବିଶ୍ୱରେକର୍ଡ। କିନ୍ତୁ ଶତକ, ରନ୍ ଓ ଟ୍ରଫିଠାରୁ ତାଙ୍କ ଜୀବନର ସେହି ୯୦ ରନ୍ର ଇନିଂସ ଥିଲା ସମ୍ପୂର୍ଣ୍ଣ ନିଆରା। କାରଣ ସେଦିନ ବିରାଟ କେବଳ କ୍ରିକେଟ୍ ଖେଳିନଥିଲେ, ବରଂ ଜଣେ ପୁଅ ଭାବେ ବାପାଙ୍କ ସ୍ୱପ୍ନକୁ ବଞ୍ଚାଇ ରଖିବା ପାଇଁ ଲଢ଼ିଥିଲେ। ସେହି ସଂଘର୍ଷ ହିଁ ଆଜିର ବିରାଟଙ୍କୁ କରିଛି କିଙ୍ଗ୍ କୋହଲି।
What's Your Reaction?