ଛାତ୍ରଛାତ୍ରୀଙ୍କ ସମପୋଷାକରେ ହେବନାହିଁ କୌଣସି ପରିବର୍ତ୍ତନ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ଜଣକ ପିଛା ୫୦୦ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ପ୍ରଦାନ କରାଯିବ। ଚଳିତ ବର୍ଷ ପୋଷାକର ରଙ୍ଗ ଓ ପରିପାଟୀରେ ହେବନାହିଁ କୌଣସି ପରିବର୍ତ୍ତନ । ଆସନ୍ତା ବର୍ଷଠାରୁ ସ୍କୁଲ ୟୁନିଫର୍ମ ପରିବର୍ତ୍ତନ କରାଯିବ ବୋଲି ଦିଆଯାଇଛି ସୂଚନା । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ୍ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀମାନଙ୍କୁ ଏକ ହଳ କମିଜ, ଶାଲୱାର ଓ ଓଢ଼ଣୀ ଯୋଗାଇ ଦିଆଯିବ। ତେବେ ସମସ୍ତ ଶ୍ରେଣୀର ପୋଷାକ ବଣ୍ଟନ ପ୍ରକ୍ରିୟା ଜୁଲାଇ ୩୦ ସୁଦ୍ଧା ଶେଷ କରାଯିବ। ଜିଲା ଶିକ୍ଷାଧିକାରୀ, ଜିଲା ପ୍ରକଳ୍ପ, ଗୋଷ୍ଠୀ ଶିକ୍ଷାଧିକାରୀ ଏହି ପୋଷାକ ବିତରଣ ପ୍ରକ୍ରିୟାକୁ ତଦାରଖ କରିବା ସହ ଏହାର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ଅଧିକ ଗୁରୁତ୍ତ୍ୱ ଦେବାକୁ କୁହାଯାଇଛି। ତେବେ ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମମାନର ପୋଷାକ ପାଇଛନ୍ତି ବୋଲି ଏକ ପ୍ରମାଣପତ୍ର ଦେବେ। ପ୍ରତି ୭ ଦିନ ଅନ୍ତରରେ ପୋଷାକ ବିତରଣ ସମ୍ବନ୍ଧୀୟ ସୂଚନା ସରକାରଙ୍କ ନିକଟରେ ଦାଖଲ ହେବ। ଏନେଇ ଜିଲା ସ୍ତରରେ ଜିଲା ଶିକ୍ଷାଧିକାରୀ ତଥ୍ୟ ସଂଗ୍ରହ କରିବେ।
What's Your Reaction?