ଜୟ ଜଗନ୍ନାଥରୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ପହଞ୍ଚିବା ପରେ ବିମାନ ବନ୍ଦର ନକଟରେ ଏକ ଜନସଭାକୁ କରିଛନ୍ତି ସମ୍ୱୋଧନ । ଜୟ ଜଗନ୍ନାଥରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଭାଷଣ ଆରମ୍ଭ କରି କହିଛନ୍ତି ଯେ, 'ପାଞ୍ଚ ଦିନ ପୂର୍ବେ ଦିଲ୍ଲୀରେ ଓଡ଼ିଶା ପର୍ବରେ ସାମିଲ ହେବାର ସୌଭାଗ୍ୟ ମିଳିଥିଲା । ଓଡ଼ିଶା ପର୍ବରେ ଓଡିଆ ଐତିହ୍ୟ ଏବଂ ସଂସ୍କୃତିର ଭବ୍ୟ ଦର୍ଶନ, ଓଡ଼ିଶାବାସୀଙ୍କ ଭଲପାଇବା ମୋ ପାଇଁ ସବୁବେଳେ ସ୍ମରଣୀୟ ମୁହୂର୍ତ୍ତ ହୋଇରହିବ ।'ସେ ଆହୁରି କହିଛନ୍ତି ଯେ, 'ବିମାନ ବନ୍ଦର ନିକଟରେ ଲୋକଙ୍କ ଏହି ବିଶାଳ ସମାଗମ, ଆପଣଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞ । ଆଜି ଆପଣମାନଙ୍କ ମଧ୍ୟରେ ଏକ ଚମକ ଦେଖିୁଛି, ମହାରାଷ୍ଟ୍ର, ହରିୟାଣା ଏବଂ ଉପନିର୍ବାଚନ ଫଳାଫଳ ସାରା ଦେଶରେ କିପରି ବିଶ୍ୱାସ ଭରିଛି ତାହା ଆପଣମାନଙ୍କ ଆଖିରେ ଦେଖୁଛି । ଓଡ଼ିଶା ଆରମ୍ଭ କରିବା ପରେ ମହାରାଷ୍ଟ୍ର ଏବଂ ହରିୟାଣା ବି ତାହା କରି ଦେଖାଇଲା । ବିରୋଧୀ ଦଳଗୁଡ଼ିକ ବିଜେପି ବିରୋଧରେ ଅପପ୍ରଚାର କରୁଛନ୍ତି । କିନ୍ତୁ ଜନତା ବିଜେପି ସରକାରଙ୍କ କାମକୁ ଦେଖି ଆଶୀର୍ବାଦ ଦେବା ପାଇଁ ଆଗକୁ ଆସନ୍ତି ।' 'ନିର୍ବାଚନ ପୂର୍ବରୁ ବଡ଼ ବଡ଼ ରାଜନୀତି ପଣ୍ଡିତ ଓଡ଼ିଶାରେ ବିଜେପି ଆସିବ ବୋଲି ମନା କରୁଥିଲେ । ବିଜେପି ଏକାକୀ ନିଜ ବଳରେ ସରକାର ଗଢିବା ସମ୍ଭବ ନୁହେଁ ବୋଲି କହୁଥିଲେ । କିନ୍ତୁ ନିର୍ବାଚନ ପରିଣାମ ଆସିବା ପରେ ସେମାନେ ଚକିତ ହୋଇଥିଲେ। ଓଡ଼ିଶାବାସୀ କେନ୍ଦ୍ରର ବିଜେପି ସରକାରର ୧୦ ବର୍ଷର କାମକୁ ଦେଖିଥିଲେ । କେନ୍ଦ୍ର ସରକାରଙ୍କ କାମ ଓଡ଼ିଶାର ସବୁ ଘରେ ପହଞ୍ଚିଥିଲା । ରାଜ୍ୟରେ ଆମ ସରକାର ନଥିବା ସତ୍ତ୍ୱେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସବୁଠୁ ଅଧିକ ଯୋଗଦାନ କରୁଥିଲେ । ଓଡ଼ିଶାକୁ ମିଳୁଥିବା ବଜେଟ୍କୁ ତିନି ଗୁଣା କରାଗଲା । ବିଜେପିର କାର୍ଯ୍ୟଶୈଳୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ବଢିଛି ।'ମୋଦୀ ଆହୁରି କହିଛନ୍ତି ଯେ, 'ଓଡ଼ିଶାରେ ହିନ୍ଦୀ ଭାଷାରେ ମୋ କଥା କେମିତି ପହଞ୍ଚାଇବି ବୋଲି ଭାବୁଥିଲି, କିନ୍ତୁ ଓଡ଼ିଶାରେ ଭାଷା କେବେ ବି ବାଧକ ହୋଇନି ।' 'ସିଏମ୍-ପିଏମ୍ ଭାବେ କାର୍ଯ୍ୟ କରିବା ବେଳେ ରାଜନୀତିର ଅନେକ ରଙ୍ଗ ଦେଖିଛି । ରାଜନୀତିରେ ନୀତିରେ ବିରୋଧ ଏକ ସ୍ୱାଭାବିକ ବୋଲି ମୁଁ ବିଶ୍ୱାସ କରେ । କୌଣସି ନିଷ୍ପତ୍ତିକୁ ନେଇ ଭିନ୍ନ ମତ ହୋଇପାରେ । ରାଜନୈତିକ ଦଳ ଜନତାଙ୍କ ପାଖରେ ନିଜ କଥା ପହଞ୍ଚାଇଥାନ୍ତି । ଏଥିପାଇଁ ଅନେକ ମାର୍ଗ ଆପଣାଇଥାନ୍ତି । କିନ୍ତୁ ଗତ କିଛି ମାସରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଭାରତର ସମ୍ୱିଧାନର ଭାଗନାକୁ ଦଳିଚକଟି ଦିଆଯାଉଛି, ଗଣତନ୍ତ୍ରର ସବୁ ମର୍ଯ୍ୟାଦାକୁ ଅସ୍ୱୀକାର କରାଯାଉଛି । ଯେଉଁମାନେ କ୍ଷମତାକୁ ନିଜର ଜନ୍ମସିଦ୍ଧ ଅଧିକାର ଭାବୁଛନ୍ତି, ସେମାନେ ୧୦ ବର୍ଷ ହେଲା କେନ୍ଦ୍ରର କ୍ଷମତା ହରାଇ ବସିଛନ୍ତି । ଦେଶର ଜନତା ଅନ୍ୟ କାହାକୁ ଆଶୀର୍ବାଦ ଦେଲେ ସହିପାରୁ ନାହାନ୍ତି । ସେଥିପାଇଁ ଜନତାଙ୍କ ଉପରେ ରାଗ ସୁଝାଇବାରେ ଲାଗିଛନ୍ତି । ଲୋକଙ୍କୁ ଭ୍ରମିତ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ତେଣୁ ଦେଶବାସୀ ପ୍ରତି ମୁହୂର୍ତ୍ତରେ ସତର୍କ ରହିବା ଦରକାର । ସବୁ ମିଛ ଉପରୁ ପରଦା ଉଠାଇବାର ଅଛି । କ୍ଷମତା ପାଇଁ ଭୋକିଲା ଥିବା ଲୋକମାନେ ଜନତାଙ୍କୁ କେବଳ ମିଛ କହୁଛନ୍ତି । ଗୋଟିଏ ମିଛ କାମ ନକଲେ ଆଉ ଗୋଟିଏ ବଡ଼ ମିଛ କହୁନ୍ତି । ସେମାନଙ୍କ ଉଦ୍ଦେଶ୍ୟ କେବଳ କ୍ଷମତା ହାସଲ କରିବା।'
What's Your Reaction?