ବାଣ କାରଖାନାରେ ବିସ୍ଫୋରଣ: ୭ ମୃତ, ବହୁ ଆହତ
ଉତ୍ତରପ୍ରଦେଶର କୌଶାମ୍ବିର ପିପରି ଥାନା ଅଞ୍ଚଳର ମହମୁଦପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି !
ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲାରେ ଘଟିଛି ଏକ ଭୟଙ୍କର ବିସ୍ଫୋରଣ। ପିପରି ଥାନା ଅଞ୍ଚଳର ମହମୁଦପୁର ଗାଁରେ ଥିବା ଏକ ବାଣ କାରଖାନାରେ ହଠାତ୍ ସିରିଜ୍ ବିସ୍ଫୋରଣ ଘଟିଛି। ଏହି ଭୟାବହ ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କାରଖାନା ଭିତରେ ହଠାତ୍ ଏକ ପରେ ଏକ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନା ପାଖରେ ଥିବା ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। କୌଶାମ୍ବି ସର୍କଲ ଅଫିସର ଶିବାଙ୍କ ସିଂହଙ୍କ ସୂଚନା ଅନୁସାରେ, କାରଖାନା ନିକଟରେ ଥିବା ପ୍ରାୟ ୫ଟି ଘର ଭାଙ୍ଗିରୁଜି ଯାଇଛି। ବିସ୍ଫୋରଣ ପରେ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଲୋକମାନେ ଭୟରେ ଘରୁ ବାହାରି ଆସିଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରୟାଗରାଜର ଏସଆରଏନ ହସ୍ପିଟାଲର ଟ୍ରମା ସେଣ୍ଟରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଦିଆଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ, ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିସ୍ଫୋରଣ ପରେ କାରଖାନାରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଜୋରଦାର ଉଦ୍ୟମ କରିଥିଲେ। ସେହିସହିତ ଧ୍ୱଂସସ୍ତୂପ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ଉଦ୍ଧାରକାର୍ଯ୍ୟ ମଧ୍ୟ ଚାଲିଥିଲା। ଏକ ମୁହୂର୍ତ୍ତରେ ଉତ୍ସବର ସାମଗ୍ରୀ ତିଆରି ହେଉଥିବା କାରଖାନା ପାଲଟିଗଲା ମୃତ୍ୟୁର ମଞ୍ଚ। ବିସ୍ଫୋରଣର ତୀବ୍ରତାରେ ଚାରିଆଡ଼େ ଧୂଆଁ ଓ ଧ୍ୱଂସସ୍ତୂପ ଦେଖିବାକୁ ମିଳିଥିଲା। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। ବିସ୍ଫୋରଣ କେମିତି ଘଟିଲା ଏବଂ କାରଖାନାରେ ସୁରକ୍ଷା ନିୟମ ସଠିକ୍ ଭାବେ ପାଳନ କରାଯାଉଥିଲା କି ନାହିଁ, ସେନେଇ ତଦନ୍ତ ଆରମ୍ଭ ହୋଇଛି।
ପ୍ରଶ୍ନ ଉଠୁଛି—ଏତେ ବଡ଼ ପରିମାଣର ବିସ୍ଫୋରକ ସାମଗ୍ରୀ କାରଖାନାରେ କିପରି ରଖାଯାଇଥିଲା? ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି? ନା ଅବହେଳା ଯୋଗୁଁ ଘଟିଲା ଏହି ଭୟଙ୍କର ଦୁର୍ଘଟଣା? ପୁଲିସ ଓ ପ୍ରଶାସନ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛନ୍ତି। ମୃତକଙ୍କ ପରିଚୟ ଓ ବିସ୍ଫୋରଣର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଗୋଟିଏ ପରେ ଗୋଟିଏ ବିସ୍ଫୋରଣ… ଚାରିଆଡ଼େ ଧୂଆଁ ଓ ଚିତ୍କାର… ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ମହମୁଦପୁରରେ ସୃଷ୍ଟି ହେଲା ଏକ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ।
What's Your Reaction?