ଭୋଗରାଇର ଓରାଙ୍ଗଓଟାନ୍କୁ ନେଇ ବଡ଼ ରହସ୍ୟ! ମାଆଠାରୁ କେମିତି ହେଲେ ଅଲଗା?
ଭୋଗରାଇରୁ ଧରାପଡ଼ିଥିବା ଓରାଙ୍ଗଓଟାନ୍ ଶାବକମାନେ ପ୍ରାୟ ବର୍ଷକର ବୋଲି ଜଣାପଡ଼ିଛି । ଏହି ବୟସରେ ସେମାନେ ନିଜେ ନିଜର ଜୀବନ ଚଳାଇବାକୁ ସମ୍ପୂର୍ଣ୍ଣ ସକ୍ଷମ ହୋଇନଥାନ୍ତି ।
ଓରାଙ୍ଗଓଟାନ୍ ଶାବକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଆଙ୍କ ଉପରେ ନିର୍ଭର କରିଥାନ୍ତି ।
ଭୋଗରାଇରୁ ଧରାପଡ଼ିଥିବା ଓରାଙ୍ଗଓଟାନ୍ ଶାବକମାନେ ପ୍ରାୟ ବର୍ଷକର ବୋଲି ଜଣାପଡ଼ିଛି । ଏହି ବୟସରେ ସେମାନେ ନିଜେ ନିଜର ଜୀବନ ଚଳାଇବାକୁ ସମ୍ପୂର୍ଣ୍ଣ ସକ୍ଷମ ହୋଇନଥାନ୍ତି । ଓରାଙ୍ଗଓଟାନ୍ ଶାବକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଆଙ୍କ ଉପରେ ନିର୍ଭର କରିଥାନ୍ତି । ପ୍ରାୟ ୬ରୁ ୮ ବର୍ଷ ପର୍ଯ୍ୟନ୍ତ ମାଆ ସହିତ ରହିବା ସମୟରେ ଶାବକମାନେ ଜୀବନର ଅନେକ ଜରୁରୀ କୌଶଳ ଶିଖିଥାନ୍ତି । କେଉଁ ଫଳ ଖାଇବା ଉଚିତ, କେଉଁଠାରେ ଖାଦ୍ୟ ଖୋଜିବାକୁ ହେବ, କେଉଁ ଗଛରେ ରହିବା ସୁରକ୍ଷିତ ଏସବୁ ମାଆ ସେମାନଙ୍କୁ ଶିଖାଇଥାନ୍ତି । ତେଣୁ ଏତେ କମ୍ ବୟସରେ ମାଆଠାରୁ ଅଲଗା ହୋଇଯିବା ଶାବକଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ ।
ଆଉ ଏକ ବଡ଼ ପ୍ରଶ୍ନ ହେଉଛି ଓରାଙ୍ଗଓଟାନ୍ର ପ୍ରାକୃତିକ ବାସସ୍ଥାନ । ଓରାଙ୍ଗଓଟାନ୍ ମୁଖ୍ୟତଃ ଇଣ୍ଡୋନେସିଆର ବୋର୍ନିଓ ଓ ସୁମାତ୍ରା ଦ୍ୱୀପର ଉଷ୍ଣମଣ୍ଡଳୀୟ ବର୍ଷା ଜଙ୍ଗଲରେ ବାସ କରନ୍ତି । ଭାରତ ଓ ଏହି ଦ୍ୱୀପପୁଞ୍ଜ ମଧ୍ୟରେ ଓରାଙ୍ଗଓଟାନ୍ଙ୍କ ପାଇଁ କୌଣସି ଅବିଚ୍ଛିନ୍ନ ପ୍ରାକୃତିକ ଜଙ୍ଗଲ ଅଞ୍ଚଳ ନାହିଁ । ତେଣୁ ଭାରତର କୌଣସି ଜଙ୍ଗଲରେ ସ୍ୱାଭାବିକ ଭାବେ ଏମାନେ ପହଞ୍ଚିଥିବା ସମ୍ଭାବନାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।
ବନ୍ୟଜୀବ ଚୋରାଚାଲାଣର ଘଟଣାରେ ଅନେକ ସମୟରେ ମାଆ ପ୍ରାଣୀକୁ ହତ୍ୟା କରି ଶାବକକୁ ଅଲଗା କରିଦିଆଯାଏ । ଏହା ପରେ ଶାବକକୁ ବେଆଇନ ଭାବେ ଚୋରାଚାଲାଣ କରାଯାଇଥିବା ନଜିର ମଧ୍ୟ ରହିଛି । ସେପଟେ ଉଷ୍ଣମଣ୍ଡଳୀୟ ବର୍ଷା ଜଙ୍ଗଲରେ ବିକଶିତ ହୋଇଥିବା ଓରାଙ୍ଗଓଟାନ୍ଙ୍କ ପାଇଁ ଶୁଷ୍କ ପତ୍ରଝଡ଼ା ଜଙ୍ଗଲ ପ୍ରାକୃତିକ ବାସସ୍ଥାନ ନୁହେଁ । ତେଣୁ ଭୋଗରାଇରୁ ମିଳିଥିବା ଏହି ଶାବକମାନେ କେଉଁଠାରୁ ଆସିଲେ, କିଏ ସେମାନଙ୍କୁ ଏଠାକୁ ଆଣିଲା ଏବଂ ମାଆଠାରୁ କିପରି ଅଲଗା ହେଲେ ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
What's Your Reaction?