ଲଣ୍ଡନ ରନୱେରେ ଓଡ଼ିଶାର ଜାୟାଙ୍କ ଜଲୱା! ସପ୍ତମ ଶ୍ରେଣୀର କୁନି ପ୍ରତିଭା ଦେଖାଇଲେ ଫ୍ୟାଶନ ଦକ୍ଷତା

Sep 18, 2026 - 14:36
ଲଣ୍ଡନ ରନୱେରେ ଓଡ଼ିଶାର ଜାୟାଙ୍କ ଜଲୱା! ସପ୍ତମ ଶ୍ରେଣୀର କୁନି ପ୍ରତିଭା ଦେଖାଇଲେ ଫ୍ୟାଶନ ଦକ୍ଷତା

ସପ୍ତମ ଶ୍ରେଣୀର ଜାୟା ଯୋଶୀ ଲଣ୍ଡନର ଗ୍ଲୋବାଲ ଫ୍ୟାଶନ ୱିକ୍‌ରେ ରନୱେ ୱାକ୍ କରି ଓଡ଼ିଶାର ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କ ଆତ୍ମବିଶ୍ୱାସ ଓ ରନୱେ ୱାକ୍‌କୁ ମିଳିଛି ପ୍ରଶଂସା। 

 ଓଡ଼ିଶାରୁ ଲଣ୍ଡନ... ଆଉ ଲଣ୍ଡନର ଅନ୍ତର୍ଜାତୀୟ ରନୱେରେ ଚମକିଲେ ଓଡ଼ିଶାର କୁନି ପ୍ରତିଭା । ଗ୍ଲୋବାଲ ଫ୍ୟାଶନ ୱିକ୍‌ରେ ନଜର ଆସିଲେ ଜାୟା ଯୋଶୀ । ମାତ୍ର ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜାୟା ଅନ୍ତର୍ଜାତୀୟ ଫ୍ୟାଶନ ମଞ୍ଚରେ ଦେଖାଇଛନ୍ତି ନିଜ ଦକ୍ଷତା । ଲଣ୍ଡନର ସେଣ୍ଟ ଜନ୍‌ସ ହାଇଡ୍‌ ପାର୍କରେ ଆୟୋଜିତ ଗ୍ଲୋବାଲ ଫ୍ୟାଶନ ୱିକ୍‌ର ଉଦ୍‌ଘାଟନୀ ରନୱେରେ ସାମିଲ ହୋଇଥିଲେ ଜାୟା । ବିଶ୍ୱର ବିଭିନ୍ନ ଦେଶରୁ ପ୍ରାୟ ୧୨୦ ଜଣ ମଡେଲ ଓ ୨୦ ଜଣ ଡିଜାଇନର ଏହି ଅନ୍ତର୍ଜାତୀୟ ଫ୍ୟାଶନ ମଞ୍ଚରେ ଭାଗ ନେଇଥିଲେ ।

ପ୍ରତିଷ୍ଠିତ ଡିଜାଇନର ଫ୍ୟାଶନ ସ୍ୟାଣ୍ଡିଙ୍କ ପାଇଁ ରନୱେରେ ଚାଲି ଜାୟା ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶାର ଯୁବ ପ୍ରତିଭାର ପରିଚୟ ଦେଇଛନ୍ତି । ତାଙ୍କ ଆତ୍ମବିଶ୍ୱାସ ଓ ରନୱେ ୱାକ୍‌କୁ ମଧ୍ୟ ମିଳିଛି ଅନେକ ପ୍ରଶଂସା । ଆଉ ଜାୟାଙ୍କ ପରିଚୟ ମଧ୍ୟ ବେଶ୍‌ ଖାସ୍‌। ସେ ହେଉଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ସୁଚରିତା ରଥଙ୍କ ଝିଅ । ନୃତ୍ୟ ଓ କଳାର ପରିବେଶରେ ବଢ଼ିଥିବା ଜାୟା ଏବେ ଫ୍ୟାଶନ ମଞ୍ଚରେ ମଧ୍ୟ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି ।

ଲଣ୍ଡନର ଏହି ଅନ୍ତର୍ଜାତୀୟ ମଞ୍ଚରେ ଜାୟାଙ୍କୁ ସୁଯୋଗ ଦେଇଥିବାରୁ ‘ଓଡ଼ିଶା ସୋସାଇଟି ଅଫ୍ ୟୁକେ’କୁ କୃତଜ୍ଞତା ଜଣାଇଛନ୍ତି ଶାଶ୍ୱତ ଯୋଶୀ । ଓଡ଼ିଶାର ମାଟିରୁ ଲଣ୍ଡନର ରନୱେ... ଜାୟାଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ଓଡ଼ିଶାର ଅନେକ କୁନି ପ୍ରତିଭାଙ୍କ ପାଇଁ ମଧ୍ୟ ଏକ ନୂଆ ପ୍ରେରଣା ।

What's Your Reaction?

like

dislike

love

funny

angry

sad

wow