୬ ଦିନରେ ୧୦୦ ରେସ୍କ୍ୟୁ! ନେପାଳର ‘ଉଡନ୍ତା ଦେବୀ’ ପ୍ରିୟା

Sep 1, 2026 - 16:27
 0  1
୬ ଦିନରେ ୧୦୦ ରେସ୍କ୍ୟୁ! ନେପାଳର ‘ଉଡନ୍ତା ଦେବୀ’ ପ୍ରିୟା

ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ପରେ ଚାଲିଛି ବଡ଼ ଧରଣର ଉଦ୍ଧାର କାର୍ଯ୍ୟ । ଆଉ ଏହି ଉଦ୍ଧାର ଅଭିଯାନରେ ଏବେ ସାହସ ଓ ଦକ୍ଷତାର ଅନ୍ୟ ଏକ ନାଁ ପାଲଟିଛନ୍ତି ପ୍ରିୟା ଅଧିକାରୀ । 

  ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ପରେ ଚାଲିଛି ବଡ଼ ଧରଣର ଉଦ୍ଧାର କାର୍ଯ୍ୟ । ଆଉ ଏହି ଉଦ୍ଧାର ଅଭିଯାନରେ ଏବେ ସାହସ ଓ ଦକ୍ଷତାର ଅନ୍ୟ ଏକ ନାଁ ପାଲଟିଛନ୍ତି ପ୍ରିୟା ଅଧିକାରୀ । ନେପାଳର ପ୍ରଥମ ମହିଳା ହେଲିକପ୍ଟର କ୍ୟାପଟେନ୍ ପ୍ରିୟା ମାତ୍ର ୬ ଦିନରେ ପ୍ରାୟ ୧୦୦ଟି ରେସ୍କ୍ୟୁ ମିଶନ୍ ଉଡ଼ାଣ କରିଛନ୍ତି । ନେପାଳ-ତିବ୍ବତ ସୀମା ନିକଟରେ ବନ୍ୟା ଓ ଭୂସ୍ଖଳନରେ ଅନେକ ଅଞ୍ଚଳ ଛିନ୍ନଛତ୍ର ହୋଇପଡ଼ିଛି। ବିଶେଷକରି ରାସୁୱା ଜିଲ୍ଲାର ଟିମୁରେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଛି। ଗୋଟିଏ ସମୟରେ ୫ରୁ ୬ଟି ହେଲିକପ୍ଟର ଏକାଠି ଲ୍ୟାଣ୍ଡ କରୁଛି, ଆଉ ଆକାଶରୁ ପାଇଲଟ୍‌ମାନେ ପରସ୍ପର ସହ ରେଡିଓ ଯୋଗେ ନିରନ୍ତର ଯୋଗାଯୋଗ ରଖୁଛନ୍ତି ।

କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଉଛି ତଳେ ଜମିଥିବା ମୋଟା କାଦୁଅ। ଏତେ ଅଧିକ କାଦୁଅ ଯେ କିଛି ସ୍ଥାନରେ ହେଲିକପ୍ଟରକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ମଧ୍ୟ ସମ୍ଭବ ହେଉନାହିଁ । ଫଳରେ ପାଇଲଟ୍‌ମାନଙ୍କୁ ହେଲିକପ୍ଟରର ଇଞ୍ଜିନ୍‌କୁ ପାୱାରରେ ରଖି ହିଁ ଉଦ୍ଧାର କରିବାକୁ ପଡ଼ୁଛି । ପ୍ରିୟାଙ୍କ କହିବା ଅନୁସାରେ, ଏହି ବିପର୍ଯ୍ୟୟର ପରିମାଣ ସେ ଦେଖିଥିବା ଅନ୍ୟ ସମସ୍ତ ବିପର୍ଯ୍ୟୟଠାରୁ ଭୟଙ୍କର । ଆକାଶରୁ ଟିମୁରେ ଅଞ୍ଚଳକୁ ଦେଖିଲେ ଚାରିଆଡ଼େ ବିନାଶର ଚିତ୍ର । ବନ୍ୟାରେ ଅନେକ ଲୋକଙ୍କ ଜୀବନ ଯାଇଛି, ଅନେକ ଲୋକ ନିଖୋଜ ଅଛନ୍ତି । 

ପ୍ରଥମ ଦୁଇ ଦିନରେ ହିଁ ୨୦୦ରୁ ଅଧିକ ଲୋକଙ୍କୁ ଟିମୁରେରୁ ଉଦ୍ଧାର କରାଯାଇଥିଲା। ଏଥିରେ ନେପାଳ ସେନାର ହେଲିକପ୍ଟର ସହ ୫ରୁ ୬ଟି ଚପର୍ ନିରନ୍ତର ଭାବେ ନିୟୋଜିତ ଥିଲେ। ପ୍ରିୟା କହିଛନ୍ତି, “ସବୁକିଛି ଶେଷ ହୋଇଯାଇଛି । ୫ଟି ହାଇଡ୍ରୋପାୱାର ପ୍ରକଳ୍ପ ନଷ୍ଟ ହୋଇଯାଇଛି, ଜୀବନ ଚାଲିଯାଇଛି ।” ତଥାପି ଏତେ ଭୟଙ୍କର ଦୃଶ୍ୟ ମଧ୍ୟରେ ପ୍ରିୟାଙ୍କୁ ଆଶ୍ୱସ୍ତ କରୁଛି ଉଦ୍ଧାର ହେଉଥିବା ଲୋକଙ୍କ ହସ । ହେଲିକପ୍ଟର ଲ୍ୟାଣ୍ଡ କରିବା ସମୟରେ ଲୋକମାନେ ହାତ ହଲାଇଥିବା ଦେଖି ସେ କହୁଛନ୍ତି “ଆପଣ ବଞ୍ଚିଯାଇଛନ୍ତି।”

କିଏ ଏହି ପ୍ରିୟା ଅଧିକାରୀ?

ପ୍ରିୟା ଅଧିକାରୀଙ୍କ ଯାତ୍ରା ମଧ୍ୟ ଖୁବ୍ ରୋଚକ । ଆଭିଏସନ୍‌କୁ କ୍ୟାରିୟର କରିବା ପୂର୍ବରୁ ସେ Environmental Science ପଢ଼ିଥିଲେ ଏବଂ କ୍ୟାବିନ୍ କ୍ରୁ ଭାବେ ମଧ୍ୟ କାମ କରିଥିଲେ । ପରେ ଗୋଟିଏ ହେଲିକପ୍ଟର ରାଇଡ୍ ତାଙ୍କ ଜୀବନର ଦିଗ ବଦଳାଇଦେଲା । ହେଲିକପ୍ଟର ଉଡ଼ାଇବା ପାଇଁ ସେ ଫିଲିପାଇନ୍ସ ଯାଇ ଟ୍ରେନିଂ ନେଇଥିଲେ । ଆବଶ୍ୟକ ଫ୍ଲାଇଂ ଆୱାର୍ ପୂରଣ କରିବା ପରେ ୨୦୧୭ରେ ସେ ଫୁଲ୍-ଟାଇମ୍ ହେଲିକପ୍ଟର ପାଇଲଟ୍ ହୋଇଥିଲେ ।
ପରେ ସେ ହାଇ-ଆଲ୍ଟିଚ୍ୟୁଡ୍ ରେସ୍କ୍ୟୁ ଅପରେସନ୍‌ରେ ବିଶେଷଜ୍ଞତା ହାସଲ କରିଥିଲେ । 

ହିମାଳୟରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍‌ଠାରୁ ଆରମ୍ଭ କରି ମାଉଣ୍ଟ ଏଭରେଷ୍ଟରେ ଆହତ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପର୍ଯ୍ୟନ୍ତ ଅନେକ ଅପରେସନ୍‌ରେ ସେ ସାମିଲ ହୋଇଛନ୍ତି । ପ୍ରାୟ ୬,୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ସେ ରେସ୍କ୍ୟୁ ମିଶନ୍ ଉଡ଼ାଇଛନ୍ତି । ଆରମ୍ଭରେ ଜଣେ ମହିଳା ହେଲିକପ୍ଟର କ୍ୟାପଟେନ୍ ହୋଇପାରିବେ କି ନାହିଁ, ତାଙ୍କୁ ନେଇ ଅନେକେ ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ସେ ସବୁ ପ୍ରତିବନ୍ଧକକୁ ପଛରେ ପକାଇ ନେପାଳର ପ୍ରଥମ ମହିଳା ହେଲିକପ୍ଟର କ୍ୟାପଟେନ୍ ହେବାର ଗୌରବ ହାସଲ କରିଥିଲେ । ଆଜି ନେପାଳରେ ଯେତେବେଳେ ପ୍ରକୃତିର ପ୍ରଳୟ ତାଣ୍ଡବ ରଚିଛି, ସେତେବେଳେ ପ୍ରିୟାଙ୍କ ଅଭିଜ୍ଞତା ହିଁ ପାଲଟିଛି ଶହ ଶହ ଜୀବନ ପାଇଁ ଆଶାର କିରଣ ।

What's Your Reaction?

like

dislike

love

funny

angry

sad

wow