ଆୟୁଷ୍ମାନ କାର୍ଡରେ ହେବ ସବୁ ପରୀକ୍ଷା
ଏଣିକି ଆଡମିଟ୍ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ପରୀକ୍ଷା । ଆଉ ଏହି ନିୟମ ଭାଙ୍ଗିଲେ ଘରୋଇ ହସ୍ପିଟାଲ ବିରୋଧରେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । ଆୟୁଷ୍ମାନ ସେବାକୁ ନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ରହିବ । ଯେଉଁ ହସ୍ପିଟାଲ ନକରିବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ । ଏହି ନିର୍ଦ୍ଦେଶକୁ ସମସ୍ତ ଘରୋଇ ହସ୍ପିଟାଲ ପାଳନ ପାଇଁ କଡାକଡି ନିର୍ଦ୍ଦେଶ ରହିଛି । ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତାଗିଦ କରାଯାଇଛି । ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏହାକୁ ଅନ୍ତର୍ଭୁକ୍ତ କରୁନଥିଲେ କିଛି ହସ୍ପିଟାଲ । ଗଣମାଧ୍ୟମ ଓ ସୋସିଆଲ ମିଡିଆରୁ ଏଭଳି ଅଭିଯୋଗ ପାଇଥିବା ମନ୍ତ୍ରୀ କହିଥିଲେ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଏକ ବୈଠକ କରି ବିଭାଗୀୟ ଅଧିକାରୀ ଏବଂ ଘରୋଇ ହସ୍ପିଟାଲ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହାସହ ହସ୍ପିଟାଲ କର୍ମଚାରୀ ମାନେ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଉତ୍ତମ ବ୍ୟବହାର, ଉତ୍ତମ ଚିକିତ୍ସା ସହ କୌଣସି ଅଭିଯୋଗ ଯେମିତି ଆସିବ ନାହିଁ, ତା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଇଛି।
What's Your Reaction?