ଜିଲ୍ଲାପାଳଙ୍କ ସହ ବିଭିନ୍ନ ଯୋଜନାର ସମୀକ୍ଷା କଲେ ମୁଖ୍ୟସଚିବ
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଛି, ବୃହତ ପ୍ରକଳ୍ପର ଅଗ୍ରଗତି, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟା, ଅନୁମୋଦନ, କାର୍ଯ୍ୟାନ୍ୱୟନରେ ରହୁଥିବା ସମସ୍ୟା
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଛି, ବୃହତ ପ୍ରକଳ୍ପର ଅଗ୍ରଗତି, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟା, ଅନୁମୋଦନ, କାର୍ଯ୍ୟାନ୍ୱୟନରେ ରହୁଥିବା ସମସ୍ୟା ଏବଂ ଆବଶ୍ୟକ ଜିଲ୍ଲାସ୍ତରୀୟ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ସଚିବ ଅନୁ ଗର୍ଗ ଆଜି ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ନେଇଛନ୍ତି। କେଉଁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମଗୁଡ଼ିକର ସ୍ଥିତି କ’ଣ ଅଛି, ତା’ର ସମୀକ୍ଷା କରିଛନ୍ତି।
ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୃହ ଓ ନଗର ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଏମ୍ଏସ୍ଏମ୍ଇ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଳଯୋଗାଣ ଓ ବିଭିନ୍ନ ପ୍ରକଳ୍ପଗୁଡ଼ିକରେ ଜମି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ଉପରେ ଆଲୋଚନା ହୋଇଥିଲା।
ଖୋର୍ଦ୍ଧା, ସମ୍ବଲପୁର ଓ କଟକ ଜିଲ୍ଲାର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଜମି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳମାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରମ ଓ ଇଏସ୍ଆଇ ବିଭାଗ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ୍ ପାଇଁ ଜମିର ସୁବ୍ୟବସ୍ଥା, ଶିଶୁ ଶ୍ରମ ନିରାକରଣ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଓ ମକ୍ ଡ୍ରିଲ୍ ଉପରେ ଆଲୋଚନା ହୋଇଥିଲା।
ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପ, ବାୟୋମେଡିକାଲ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ବ
ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉପରେ ଫୋକସ୍
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷଣ ମାସ-୨୦୨୬, ‘ସୁପୋଷିତ ଓଡ଼ିଶା’ ମିସନ, ଡିଜିଟାଲ୍ ନିରୀକ୍ଷଣ ଫର୍ମ ଆଦି ବିଭିନ୍ନ ପ୍ରସଙ୍ଗ ସମୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବାୟୋମେଡିକାଲ୍ ବର୍ଜ୍ୟ ପରିଚାଳନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜମି, ଆୟୁଷ ମେଡିକାଲ୍ କଲେଜ୍, ‘ଆମ ହସ୍ପିଟାଲ୍’ କାର୍ଯ୍ୟ ଏବଂ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାଭିତ୍ତିକ ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ସମୀକ୍ଷା କରାଯାଇଥିଲା।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏଗ୍ରିଷ୍ଟାକ୍ ଅଧୀନରେ କୃଷକ ପଞ୍ଜୀକରଣ ଏବଂ ଖରିଫ-୨୦୨୬ ଡିଜିଟାଲ୍ କ୍ରପ୍ ସର୍ଭେର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହେବା, ଏମ୍ଏସ୍ଏମ୍ଇ ପାର୍କ, ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ କ୍ରେଡିଟ୍ ସୁବିଧା ସମ୍ପର୍କରେ ଅଗ୍ରଗତି ସମୀକ୍ଷା ହୋଇଥିଲା। ରାଜ୍ୟରେ ୩୦ଟି ଜିଲ୍ଲାରେ ୩୦ଟି ଏମ୍ଏସ୍ଏମ୍ଇ ପାର୍କ ବିକଶିତ କରିବାର ଯୋଜନା ସଂପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଜିଲ୍ଲାରେ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ଜମି ଅଧିଗ୍ରହଣ, ପ୍ରକଳ୍ପ ଅନୁମୋଦନ, ନିର୍ମାଣ ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ସମସ୍ୟାଗୁଡ଼ିକର ସମୟ ସୀମା ମଧ୍ୟରେ ସମାଧାନ କରିବା ସହ ନିୟମିତ ଭାବେ ସମୀକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।
What's Your Reaction?