ଲଗାଣ ବର୍ଷା ପରେ ଜଣ୍ଡିସ ଆତଙ୍କ ! ୫ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍

Sep 3, 2026 - 12:33
 0  0
ଲଗାଣ ବର୍ଷା ପରେ ଜଣ୍ଡିସ ଆତଙ୍କ ! ୫ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍

ନୀଳଗିରି ବ୍ଲକ ଗରଡିହୀ ଗାଁ ଲୋକେ ପାଣି ପାଇଁ ସେମାନେ ନିକଟ ବସୁଧା ଟାଙ୍କି ଓ ନଳକୂପ ଉପରେ ଭରଷା କରିଥାଆନ୍ତି। ହେଲେ ଅନେକ ସ୍ଥାନରେ ବସୁଧା ପାଇପ ଫାଟି ଥିବା ବେଳେ ବର୍ଷାର ଗୋଳିଆ ପାଣି ପାଇପ ଦେଇ ଭିତରେ ପ୍ରବେଶ କରୁଛି। 

ଲଗାଣ ବର୍ଷା ପରେ ଏବେ ଲୋକଙ୍କୁ ଡରାଉଛି ଜଣ୍ଡିସ ରୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଗରଡିହୀ ଗାଁରେ ଜଣ୍ଡିସ ଆତଙ୍କ ସୃଷ୍ଟି ହୋଇଛି। ଗାଁରେ ୫ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଥିବାବେଳେ ଆହୁରି ଅନେକ ଲୋକ ଜ୍ୱର ଓ ଅସୁସ୍ଥତାରେ ପୀଡ଼ିତ ଥିବା ସୂଚନା ମିଳିଛି। ଘଟଣାକୁ ନେଇ ଗାଁଲୋକଙ୍କ ମଧ୍ୟରେ ଏବେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।ସ୍ଥିତିର ଗମ୍ଭୀରତାକୁ ଦେଖି ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ୍। ଆକ୍ରାନ୍ତ ଓ ଅସୁସ୍ଥ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଜଣ୍ଡିସ ବ୍ୟାପିବାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି। ଆବଶ୍ୟକ ସ୍ଥଳେ ରକ୍ତ ଓ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

ତେବେ ଦୂଷିତ ପାଣି ଯୋଗୁଁ ଗାଁରେ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଗରଡିହୀ ଗାଁର ଅଧିକାଂଶ ଲୋକ ପାନୀୟ ଜଳ ପାଇଁ ନିକଟସ୍ଥ ବସୁଧା ଟାଙ୍କି ଓ ନଳକୂପ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଅନେକ ସ୍ଥାନରେ ପାଣି ପାଇପ ଫାଟି ଯାଇଥିବାରୁ ଲଗାଣ ବର୍ଷା ସମୟରେ ଗୋଳିଆ ଓ ଦୂଷିତ ପାଣି ପାଇପ ଭିତରକୁ ପ୍ରବେଶ କରୁଥିବା ଗାଁଲୋକେ ଅଭିଯୋଗ କରିଛନ୍ତି।ସେହିପରି ପାଣି ପାଇପର ଚାବି ଓ ଭାଲ୍ଭ ଲାଗିଥିବା ସ୍ଥାନଗୁଡ଼ିକ ଦୀର୍ଘଦିନ ଧରି ସଫା କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ଫଳରେ ପାଣି ଦୂଷିତ ହେବା ସହ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି। ଅନ୍ୟପଟେ ବର୍ଷା ପରେ ଅଞ୍ଚଳରେ ସ୍ୱଚ୍ଛତା ବ୍ୟବସ୍ଥା ଓ ନିରାପଦ ପାନୀୟ ଜଳ ଯୋଗାଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଗାଁରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କାରେ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରଶାସନ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥାର ଯାଞ୍ଚ କରି ଫାଟିଥିବା ପାଇପ ମରାମତି କରିବା ସହ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।

ଏବେ ସବୁଠୁ ବଡ଼ ପ୍ରଶ୍ନ—ଗରଡିହୀ ଗାଁରେ ଜଣ୍ଡିସ ବ୍ୟାପିବାର ପ୍ରକୃତ କାରଣ କ’ଣ? ଦୂଷିତ ପାଣି ହିଁ କି ଏହି ରୋଗର ମୁଖ୍ୟ କାରଣ? ଡାକ୍ତରୀ ଟିମର ଯାଞ୍ଚ ଓ ପାଣି ପରୀକ୍ଷା ରିପୋର୍ଟ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ।

What's Your Reaction?

like

dislike

love

funny

angry

sad

wow