ଶ୍ରେଣୀଗୃହରେ ଛାତ୍ରୀଙ୍କୁ ନୃଶଂସ ଆକ୍ରମଣ; ଗଛକଟା କରତରେ ହାଣିଲା ଦୁର୍ବୃତ୍ତ
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ରାପ୍ତାଡୁ ସ୍ଥିତ ଜିଲ୍ଲା ପରିଷଦ ହାଇସ୍କୁଲରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଏହି ଆକ୍ରମଣରେ ଛାତ୍ରୀଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ ଉଭୟ ଛାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଥିଲା ।
:ବିଦ୍ୟାଳୟ ଭିତରେ ଛାତ୍ରୀଙ୍କୁ ନୃଶଂସ ଆକ୍ରମଣ । ପାଠପଢ଼ା ଚାଲିଥିବା ବେଳେ ଶ୍ରେଣୀଗୃହରେ ପଶି ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଗଛକଟା କରତରେ ଆକ୍ରମଣ କଲା ଦୁର୍ବୃତ୍ତ । ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ରାପ୍ତାଡୁ ସ୍ଥିତ ଜିଲ୍ଲା ପରିଷଦ ହାଇସ୍କୁଲରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଏହି ଆକ୍ରମଣରେ ଛାତ୍ରୀଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ ଉଭୟ ଛାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଥିଲା । ଗୁରୁତର ଛାତ୍ରୀଙ୍କୁ ଅନନ୍ତପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଜରୁରୀକାଳୀନ ଚିକିତ୍ସା ଚାଲିଛି । ଅନ୍ୟପଟେ ଘଟଣାର ଖବର ପାଇ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।
ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡ଼ୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆହତ ଛାତ୍ରୀଙ୍କ ଚିକିତ୍ସା ଉପରେ ସେ ନିଜେ ନଜର ରଖିବା ସହ ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତରୀ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଛାତ୍ରୀଙ୍କ ମା'ଙ୍କ ସହ ଫୋନ୍ରେ କଥା ହୋଇ ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସେହିପରି ସ୍ଥାନୀୟ ବିଧାୟିକା ପରିତାଲା ସୁନୀତାଙ୍କ ସହ ମଧ୍ୟ ଆଲୋଚନା କରି ଉଭୟ ଆହତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଦ୍ୟାଳୟ ଭଳି ପବିତ୍ର ସ୍ଥାନରେ ଛାତ୍ରୀଙ୍କ ଉପରେ ଏଭଳି ବର୍ବର ଆକ୍ରମଣ କରୁଥିବା ଅପରାଧୀଙ୍କ ପାଇଁ ସମାଜରେ କୌଣସି ସ୍ଥାନ ନାହିଁ । ଅଭିଯୁକ୍ତ ବିରୋଧରେ କଠୋରରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ୟପଟେ ରାଜ୍ୟ ମନ୍ତ୍ରୀ ନାରା ଲୋକେଶ ମଧ୍ୟ ଏହି ଘଟଣାକୁ ଅମାନବୀୟ ବୋଲି କହିଛନ୍ତି। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଦିନଦ୍ୱିପ୍ରହରରେ ବିଦ୍ୟାଳୟ ଶ୍ରେଣୀଗୃହ ଭିତରେ ଏଭଳି ଆକ୍ରମଣ ଘଟଣା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି । ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।
What's Your Reaction?