ସରକାରୀ ରାଜସ୍ବରେ ଟ୍ରମ୍ପଙ୍କ ପୁରୁଣା ନିର୍ବାଚନୀ ପ୍ରଚାର ବିଜ୍ଞାପନର ପୁନଃପ୍ରସାରଣ : ଆମେରିକାରେ ବିବାଦ ସୃଷ୍ଟି

Sep 28, 2026 - 12:39
ସରକାରୀ ରାଜସ୍ବରେ ଟ୍ରମ୍ପଙ୍କ ପୁରୁଣା ନିର୍ବାଚନୀ ପ୍ରଚାର ବିଜ୍ଞାପନର ପୁନଃପ୍ରସାରଣ : ଆମେରିକାରେ ବିବାଦ ସୃଷ୍ଟି

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ସରକାରୀ ବିଜ୍ଞାପନକୁ ନେଇ ଆମେରିକାରେ ଏକ ବିବାଦ ଦେଖାଦେଇଛି। ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ଅଭିଯାନରେ ବ୍ୟବହୃତ ଏକ ବିଜ୍ଞାପନ ଆମେରିକୀୟ 

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ସରକାରୀ ବିଜ୍ଞାପନକୁ ନେଇ ଆମେରିକାରେ ଏକ ବିବାଦ ଦେଖାଦେଇଛି। ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ଅଭିଯାନରେ ବ୍ୟବହୃତ ଏକ ବିଜ୍ଞାପନ ଆମେରିକୀୟ ସରକାରଙ୍କ ରାଜସ୍ବରେ ଟେଲିଭିଜନରେ ପ୍ରସାରିତ ହେଉଥିବା ଜଣାପଡ଼ିଛି । ଏନେଇ ଅନେକ ସାଂସଦ ସରକାରୀ ପାଣ୍ଠିର ଅପବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି।

୩୦ ସେକେଣ୍ଡର ଏହି ବିଜ୍ଞାପନରେ, ଟ୍ରମ୍ପ ଏକ କରିଡରରେ ଚାଲୁଥିବାର ଦେଖାଯାଉଛି । ପୃଷ୍ଠଭୂମିରେ ତାଙ୍କ ସ୍ୱର ଶୁଣାଯାଉଛି। ସେ ଗ୍ଲୋବାଲିଷ୍ଟ ଏବଂ ଯୁଦ୍ଧକୁ ଉସୁକାଉଥିବା ବ୍ୟକ୍ତିଙ୍କ ବିରୋଧରେ ଲଢ଼ିବା ବିଷୟରେ କହୁଛନ୍ତି। ବିଜ୍ଞାପନର ଶେଷରେ ଲେଖାଥିବାର ଦେଖାଯାଉଛି ‘ ପେଡ୍ ଫର୍ ବାଏ ଦି ୟୁଏସ୍ ଗଭର୍ଣ୍ଣମେଣ୍ଯ’, ଅର୍ଥାତ୍ ଏହି ବିଜ୍ଞାପନ ପାଇଁ ଆମେରିକୀୟ ସରକାର ଦେୟ ଦେଇଛନ୍ତି ।

ବିଜ୍ଞାପନ ଖର୍ଚ୍ଚ ଉପରେ ନଜର ରଖୁଥିବା ଏକ କମ୍ପାନି ଆଡ୍ ଇମ୍ପାକ୍ଟର ତଥ୍ୟ ଅନୁଯାୟୀ, ବିଜ୍ଞାପନରେ ଏପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ୧୯ ହଜାର ଡଲାର ଖର୍ଚ୍ଚ ହୋଇଛି। ଏହି ନୂତନ ବିଜ୍ଞାପନର ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପ୍ରଚାର ସମୟରେ ଚାଲିଥିବା ବିଜ୍ଞାପନ ସହିତ ବହୁ ସମାନତା ରହିଛି। ଯେଉଁଥିରେ ଲୋକମାନଙ୍କୁ ଟ୍ରମ୍ପଙ୍କ ଆମେରିକା ପାଇଁ ଲଢ଼େଇରେ ଯୋଗଦେବାକୁ ଅନୁରୋଧ କରାଯାଇଥିଲା। ଏହା କେବଳ ଗୋଟିଏ ବିଜ୍ଞାପନ ନୁହେଁ।

ଟ୍ରମ୍ପ ପ୍ରଶାସନ ସମ୍ପ୍ରତି ଅନେକ ଟିଭି ବିଜ୍ଞାପନ ଚଲାଇଛି। ଅନ୍ୟ ଏକ ବିଜ୍ଞାପନରେ ମାଉଣ୍ଟ ରଶମୋରର ରାତିର ଭିଡିଓ ଦେଖାଯାଇଛି, ଯେଉଁଥିରେ ଟ୍ରମ୍ପଙ୍କ ଜୁଲାଇ ୪ର ଭାଷଣର କିଛି ଅଂଶ ଅନ୍ତର୍ଭୁକ୍ତ ରହିଛି। ସେହିପରି ଏକ ଅନ୍ୟ ବିଜ୍ଞାପନରେ ଟିକସ ହ୍ରାସ, ଆମେରିକାରେ ଅଧିକ ସାମଗ୍ରୀ ଉତ୍ପାଦନ ଏବଂ ପୁଲିସ ତଥା ଆଇନ ଶୃଙ୍ଖଳା ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ଟ୍ରମ୍ପଙ୍କ ବିବୃତି ରହିଛି।

ହ୍ୱାଇଟ୍ ହାଉସ୍ ବିଜ୍ଞାପନଗୁଡ଼ିକୁ ସମର୍ଥନ କରି ଟ୍ରମ୍ପଙ୍କୁ ସୁରକ୍ଷା ଦେଇ କହିଛି ଯେ, ଏହା ସାର୍ବଜନୀନ ସେବା ଘୋଷଣା ନିର୍ବାଚନ ବିଜ୍ଞାପନ ନୁହେଁ। ହ୍ୱାଇଟ୍ ହାଉସ୍ ଅନୁଯାୟୀ, ଟ୍ରମ୍ପ ବର୍ତ୍ତମାନ କୌଣସି ନିର୍ବାଚନରେ ପ୍ରାର୍ଥୀ ନୁହଁନ୍ତି ଏବଂ ବିଜ୍ଞାପନଗୁଡ଼ିକରେ ଲୋକଙ୍କୁ ଭୋଟ୍ ଦେବାକୁ କିମ୍ବା କୌଣସି ଅଭିଯାନରେ ଯୋଗଦେବାକୁ ଅନୁରୋଧ କରାଯାଉନାହିଁ।
ବିଜ୍ଞାପନଗୁଡ଼ିକର ପ୍ରସାର ନେଇ ସମାଲୋଚକମାନେ କହିଛନ୍ତି ଯେ, ଟେଲିଭିଜନରେ ରାଷ୍ଟ୍ରପତି ଏବଂ ତାଙ୍କ ରାଜନୈତିକ ବାର୍ତ୍ତା ପ୍ରଦର୍ଶନ କରିବା ପାଇଁ ସରକାରୀ ଟଙ୍କାର ବ୍ୟବହାର କରିବା ଉଚିତ୍ ନୁହେଁ।

ହ୍ୱାଇଟ୍ ହାଉସ୍ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ. ବୁଶ ଏବଂ ଜୋ ବାଇଡେନଙ୍କ ପ୍ରଶାସନର ବିଜ୍ଞାପନକୁ ଉଦ୍ଧୃତ କରି ପ୍ରତିକ୍ରିୟା ଦେଇଛି ଯେ, ପୂର୍ବର ସରକାରମାନେ ନୀତି ଏବଂ ସରକାରୀ କାର୍ଯ୍ୟକ୍ରମ ସହିତ ଜଡିତ ବିଜ୍ଞାପନ ମଧ୍ୟ ଟିଭିରେ ପ୍ରସାରଣ କରିଥିଲେ। 

What's Your Reaction?

like

dislike

love

funny

angry

sad

wow