ସାର କଳାବଜାରୀଙ୍କ ଉପରେ ସରକାରଙ୍କ କଡ଼ା ଆକ୍ସନ , ୯୬ ଲାଇସେନ୍ସ ବାତିଲ
ଏହା ସହିତ ୯୬ଟି ଡିଲରସିପ୍ ଲାଇସେନ୍ସ ବାତିଲ କରାଯାଇଛି , ୧୭୦ଟି ଲାଇସେନ୍ସ ସ୍ଥଗିତ ରଖାଯାଇଛି । ଅନିୟମିତତା ଅଭିଯୋଗରେ ୩୨୧ ଜଣ ବ୍ୟବସାୟୀଙ୍କ ବିକ୍ରୟ ସାମୟିକ ଭାବରେ ବନ୍ଦ କରାଯାଇଛି ।
ସାର କଳାବଜାର ଓ ହୋର୍ଡିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ଓଡ଼ିଶା ସରକାର ଚଳିତ ବର୍ଷ ୧୨ ଜଣ ବ୍ୟବସାୟୀଙ୍କ ସାର ଷ୍ଟକ୍ ଜବତ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଦାଖଲ କରିଛନ୍ତି । ଏହା ସହିତ ୯୬ଟି ଡିଲରସିପ୍ ଲାଇସେନ୍ସ ବାତିଲ କରାଯାଇଛି , ୧୭୦ଟି ଲାଇସେନ୍ସ ସ୍ଥଗିତ ରଖାଯାଇଛି । ଅନିୟମିତତା ଅଭିଯୋଗରେ ୩୨୧ ଜଣ ବ୍ୟବସାୟୀଙ୍କ ବିକ୍ରୟ ସାମୟିକ ଭାବରେ ବନ୍ଦ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବୁଧବାର ଏହି ତଥ୍ୟ ଦେଇଛି ଏବଂ ୨,୭୭୪ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଖରିଫ୍ ୨୦୨୬-୨୭ ଋତୁ ପୂର୍ବରୁ ସାରର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା, ହୋର୍ଡିଂ ଓ ନିମ୍ନମାନର ଉତ୍ପାଦ ବିକ୍ରୟକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟ ଅଭିଯାନ ଆରମ୍ଭ କରାଯାଇଥିଲା ।
ସାର କଳାବଜାରୀଙ୍କ ବିରୋଧରେ ଆହୁରି କଡ଼ା ହେଲେ ରାଜ୍ୟ ସରକାର। ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ଏବଂ ସଠିକ୍ ସମୟରେ ସାର ଯୋଗାଣ ସୁନିଶ୍ଚିତ କରିବାକୁ ସରକାର ପକ୍ଷରୁ ରାଜ୍ୟବ୍ୟାପୀ ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଜୋରଦାର କରାଯାଇଛି।ବିଭିନ୍ନ ସ୍ଥାନରେ ସାରର କୃତ୍ରିମ ଅଭାବ ସୃଷ୍ଟି କରି ଅଧିକ ଦରରେ ବିକ୍ରି କରାଯାଉଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି କୃଷି ବିଭାଗ। ସାର ମଜୁତ କରି କଳାବଜାରୀ କରୁଥିବା ଏବଂ ନିୟମ ଉଲ୍ଲଂଘନ କରୁଥିବା ଡିଲରଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୂଚନା ମିଳିଛି।
ଖରିଫ୍ ଋତୁକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ସାରର ଉପଲବ୍ଧତା ଏବେ ସରକାରଙ୍କ ପ୍ରମୁଖ ପ୍ରାଥମିକତା ହୋଇଛି। ଯେପରି କୌଣସି ଚାଷୀ ସାର ଅଭାବର ସମ୍ମୁଖୀନ ନ ହୁଅନ୍ତି ଏବଂ କେହି ଅସାଧୁ ବ୍ୟବସାୟୀ ଚାଷୀଙ୍କୁ ଶୋଷଣ କରିପାରିବେ ନାହିଁ, ସେଥିପାଇଁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟମିତ ଯାଞ୍ଚ ଚାଲିଛି।ସରକାର ସ୍ପଷ୍ଟ କରିଛନ୍ତି ଯେ, ସାର କଳାବଜାରୀ, ହୋର୍ଡିଂ ଏବଂ ନିମ୍ନମାନର ସାର ବିକ୍ରି କ୍ଷେତ୍ରରେ କୌଣସି ପ୍ରକାରର ସହନଶୀଳତା ଦେଖାଯିବ ନାହିଁ। ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଲାଇସେନ୍ସ ବାତିଲ ସହ ଆବଶ୍ୟକ ସ୍ଥଳେ ଆଇନଗତ ଓ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।
ମୋଟାମୋଟି ଭାବେ କହିବାକୁ ଗଲେ, ଖରିଫ୍ ଚାଷ ପୂର୍ବରୁ ସାରର କଳାବଜାର ରୋକିବାକୁ ଏବେ ଆକ୍ସନ୍ ମୋଡ୍ରେ ଓଡ଼ିଶା ସରକାର। ହଜାର ହଜାର ସାର ଦୋକାନରେ ଚଢ଼ାଉ, ଶତାଧିକ ଲାଇସେନ୍ସ ବାତିଲ ଓ ସ୍ଥଗିତ, ଆଉ ଅନେକ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ସାର କଳାବଜାରୀଙ୍କ ପାଇଁ ସରକାରଙ୍କ କଡ଼ା ସନ୍ଦେଶ—ଚାଷୀଙ୍କ ସ୍ୱାର୍ଥ ସହ ଖେଳିଲେ ମିଳିବ ନାହିଁ କୌଣସି ଛାଡ଼।
What's Your Reaction?