ୟୁକ୍ରେନ୍‌ରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼: ତେଲଙ୍ଗାନାର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ !

Sep 2, 2026 - 17:29
 0  2
ୟୁକ୍ରେନ୍‌ରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼: ତେଲଙ୍ଗାନାର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ !

ୟୁକ୍ରେନରେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ତେଲଙ୍ଗାନାର ଜଣେ ୪୨ ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭାରତୀୟ ଗୁରୁତର ଆହତ ହୋଇଛନ୍ତି । 

ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଏବେ ଜଣେ ଭାରତୀୟଙ୍କ ଜୀବନ ନେଇଛି । ୟୁକ୍ରେନରେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ତେଲଙ୍ଗାନାର ଜଣେ ୪୨ ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭାରତୀୟ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କୁ ତେଲଙ୍ଗାନା ଜଗତିଆଲ ଜିଲ୍ଲା ହୁସନାବାଦ ଗାଁର ବାସିନ୍ଦା ଭାଭିଲାଲା ସୁଦର୍ଶନ ଗୌଡ଼ ବୋଲି ଚିହ୍ନଟ କରାଯାଇଛି ।

ସୁଦର୍ଶନ ମାତ୍ର ଚାରି ମାସ ତଳେ ଜୀବିକା ଅନ୍ୱେଷଣରେ ନିଜର ଜଣେ ସମ୍ପର୍କୀୟଙ୍କ ସହିତ ୟୁକ୍ରେନ୍‌ ଯାଇଥିଲେ। ସେ ସେଠାରେ ନିର୍ମାଣ କ୍ଷେତ୍ର (Construction sector) ରେ ଶ୍ରମିକ ଭାବେ କାମ କରୁଥିଲେ। ୟୁକ୍ରେନର ଓଡେସା ସହରରେ ରହୁଥିବା ସମୟରେ ରୁଷୀୟ କ୍ଷେପଣାସ୍ତ୍ରର ଶିକାର ହୋଇଥିଲେ ସୁଦର୍ଶନ। ସୂଚନା ଅନୁଯାୟୀ, ବିମାନ ଆକ୍ରମଣର ଚେତାବନୀ (Air raid siren) ଶୁଣିବା ପରେ ସେ ନିଜ ରହୁଥିବା ଘରୁ ବାହାରକୁ ଆସିଥିଲେ, ଠିକ୍ ସେହି ସମୟରେ ତାଙ୍କ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ।

ଏହି ଆକ୍ରମଣରେ ତେଲଙ୍ଗାନାର ଅନ୍ୟ ଜଣେ ବ୍ୟକ୍ତି ଗଣେଶ କଲେଡା (୩୫) ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ୟୁକ୍ରେନସ୍ଥିତ ଭାରତୀୟ ଦୂତାବାସ ସୁଦର୍ଶନଙ୍କ ପରିବାରକୁ ଏହି ଦୁଃଖଦ ଖବର ଜଣାଇବା ସହ ଗଭୀର ଶୋକ ବ୍ୟକ୍ତ କରିଛି। ସୁଦର୍ଶନଙ୍କ ପାର୍ଥିବ ଶରୀରକୁ ଭାରତ ଫେରାଇ ଆଣିବା ପାଇଁ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ବର୍ତ୍ତମାନ ଦୂତାବାସ ସୁଦର୍ଶନ କାମ କରୁଥିବା କମ୍ପାନୀ ଏବଂ ୟୁକ୍ରେନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି ।

ୟୁକ୍ରେନରେ ରୁଷ୍‌ର କ୍ରମାଗତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ଗତକାଲିର ଆକ୍ରମଣରେ ୟୁକ୍ରେନରେ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ନିଯୁକ୍ତି ପାଇଁ ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରୁଥିବା ଭାରତୀୟଙ୍କ ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ସୁଦର୍ଶନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଗାଁ ହୁସନାବାଦରେ ଶୋକର ଛାୟା ଖେଳିଯାଇଛି । 

What's Your Reaction?

like

dislike

love

funny

angry

sad

wow