ଆତଙ୍କବାଦ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ମୁହଁ ଲୁଚାଇ ପଳାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ
UN ମହାସଭା ଅଧିବେଶନ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଆତଙ୍କବାଦ ଓ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦଙ୍କୁ ନେଇ ଦୁଇଥର ପ୍ରଶ୍ନ କରାଯାଇଥିଲା । ତେବେ ସେ କୌଣସି ଉତ୍ତର ନଦେଇ ଚାଲିଯାଇଥିଲେ ।
ବିଶ୍ୱ ମଞ୍ଚରେ ପୁଣିଥରେ ବେଜ୍ଜିତ ହେଲା ପାକିସ୍ତାନ । ମିଳିତ ଜାତିସଂଘର ମହାସଭା ଅଧିବେଶନ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଆତଙ୍କବାଦ ଓ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦଙ୍କୁ ନେଇ ସିଧାସଳଖ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି । ନ୍ୟୁୟର୍କସ୍ଥିତ UN ମୁଖ୍ୟାଳୟକୁ ଯିବା ଓ ସେଠାରୁ ବାହାରିବା ସମୟରେ ସାମ୍ବାଦିକମାନେ ଶେହବାଜଙ୍କୁ ଦୁଇଟି ପ୍ରଶ୍ନ କରିଥିଲେ । ତେବେ ସେ କୌଣସି ପ୍ରଶ୍ନର ଉତ୍ତର ନଦେଇ ଆଗକୁ ଚାଲିଯାଇଥିଲେ । UN ମୁଖ୍ୟାଳୟକୁ ପ୍ରବେଶ କରିବା ବେଳେ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ପାକିସ୍ତାନ ଆତଙ୍କବାଦୀଙ୍କୁ ଶରଣ ଦେବା କେବେ ବନ୍ଦ କରିବ? ଶେହବାଜ ଏହାର କୌଣସି ଉତ୍ତର ଦେଇନଥିଲେ ।
ପରେ UN ମୁଖ୍ୟାଳୟରୁ ବାହାରିବା ସମୟରେ ତାଙ୍କୁ ପଚରାଯାଇଥିଲା ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦଙ୍କ ବିରୋଧରେ ପାକିସ୍ତାନ କେବେ ମାମଲା ଚଳାଇବ? ଏହି ପ୍ରଶ୍ନର ମଧ୍ୟ ସେ ଉତ୍ତର ଦେଇନଥିଲେ କେବଳ ହାତରେ ଇସାରା କରି ଚାଲିଯାଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । । ଏହି ଘଟଣା ଏଭଳି ସମୟରେ ଘଟିଛି, ଯେତେବେଳେ ୮୧ତମ UN ମହାସଭାରେ ପାକିସ୍ତାନ ଆତଙ୍କବାଦ, କାଶ୍ମୀର ଓ ଆଞ୍ଚଳିକ ସୁରକ୍ଷା ଭଳି ପ୍ରସଙ୍ଗ ଉଠାଇବାକୁ ଯାଉଛି । ପାକିସ୍ତାନ ସରକାରଙ୍କ ସୂଚନା ଅନୁସାରେ, ଶେହବାଜ ସରିଫ ସେପ୍ଟେମ୍ବର ୨୫ରେ UN ମହାସଭାରେ ଭାଷଣ ଦେବାକୁ ଥିଲେ । ତାଙ୍କ ଭାଷଣରେ ଆଞ୍ଚଳିକ ଓ ବିଶ୍ୱ ସୁରକ୍ଷା, ଆତଙ୍କବାଦ ବିରୋଧୀ ଲଢ଼େଇ, କାଶ୍ମୀର ଓ ପାଲେଷ୍ଟାଇନ୍ ପ୍ରସଙ୍ଗ ଉଠାଇବାର ଯୋଜନା ଥିବା ପାକିସ୍ତାନ ସରକାର କହିଥିଲା । ହାଫିଜ ସୟିଦ ପ୍ରସଙ୍ଗରେ ଭାରତର ଅଭିଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଜାତୀୟ ତଦନ୍ତକାରୀ ସଂସ୍ଥା NIA ୨୦୨୬ ଜୁଲାଇରେ ପହଲଗାମ ଆତଙ୍କୀ ଆକ୍ରମଣ ମାମଲାରେ ହାଫିଜ ସୟିଦଙ୍କ ନାଁକୁ ଚାର୍ଜସିଟ୍ରେ ସାମିଲ କରିଥିବା କହିଥିଲା । NIA ଅନୁସାରେ, ତାଙ୍କୁ ମାମଲାରେ ଅଭିଯୁକ୍ତ ଭାବେ ନାମିତ କରାଯାଇଛି । ୨୦୨୫ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଭାରତ ସରକାରଙ୍କ ଅଫିସିଆଲ ବ୍ରିଫିଂରେ ଏହାକୁ ଆତଙ୍କବାଦୀ ଭିତ୍ତିଭୂମି ବିରୋଧରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ବୋଲି ବର୍ଣ୍ଣନା କରାଯାଇଥିଲା । ପରବର୍ତ୍ତୀ ସମୟରେ NIA ପହଲଗାମ ମାମଲାରେ ପାକିସ୍ତାନ-ଆଧାରିତ LeT/TRF ସହ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ପୃଷ୍ଠଭୂମିରେ UN ମୁଖ୍ୟାଳୟ ବାହାରେ ଶେହବାଜ ସରିଫଙ୍କୁ ହାଫିଜ ସୟିଦ ଓ ଆତଙ୍କବାଦ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି । ତେବେ ଏହି ଦୁଇ ପ୍ରଶ୍ନ ଉପରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ କୌଣସି ସାର୍ବଜନୀନ ଉତ୍ତର ଦେଇନାହାନ୍ତି ।
What's Your Reaction?