ଇରାନ-ଇସ୍ରାଏଲ ମଧ୍ୟରେ ବଢିଛି ଯୁଦ୍ଧ ଆଶଙ୍କା

ଇରାନ-ଇସ୍ରାଏଲ ମଧ୍ୟରେ ବଢିଛି ଯୁଦ୍ଧ ଆଶଙ୍କା

ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା ପରେ ଇରାନ-ଇସ୍ରାଏଲ ମଧ୍ୟରେ ବଢିଛି ଯୁଦ୍ଧ ଆଶଙ୍କା । ଯେକୌଣସି ମୁହୂର୍ତ୍ତରେ ମଧ୍ୟପ୍ରାଚ୍ୟରେ ଦେଖିବାକୁ ମିଳିପାରେ ଘମାଘୋଟ ଯୁଦ୍ଧ। ଯାହା ପରବର୍ତ୍ତୀ ସମୟରେ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ବାଟ ଖୋଲିପାରେ ବୋଲି ଦେଖାଦେଇଛି ଆଶଙ୍କା । ଲେବାନନ, ହୁତି ହିଜବୁଲ୍ଲା, ହମାସ ଆତଙ୍କବାଦୀଙ୍କ ସହ ମିଳିତ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଇରାନ । ଇସ୍ରାଏଲ ସୀମାକୁ ଲେବାନନ ସୀମା ଲାଗି ରହିଥିବାରୁ ଏହିଠାରୁ ଆକ୍ରମଣ କରିବାକୁ ଇରାନ କରିଛି ଯୋଜନା  । ଏପରିକି ହିଜବୁଲ୍ଲା ପକ୍ଷରୁ ଲେବାନନ ସୀମାରୁ ଇସ୍ରାଏଲ ଉପରେ ମିସାଇଲ ମାଡ ମଧ୍ୟ କରାଯାଇଛି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ଯୁଦ୍ଧ ଆଶଙ୍କା ଭିତରେ ପ୍ରସ୍ତୁତ କରିଛି ନିଜର ରଣନୀତି। ଦେଶବାସୀଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନେତ୍ୟାନାହୁ କହିଛନ୍ତି ଯେ,ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଇସ୍ରାଏଲ ପ୍ରସ୍ତୁତ। ଉଭୟ ଇରାନ-ଇସ୍ରାଏଲ ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଶ୍ୱରେ ସୃଷ୍ଟି ହେଲାଣି ଏକ ଭୟର ବାତାବରଣ । କାରଣ ଏହି ଯୁଦ୍ଧ ବିଶ୍ୱରେ କେବଳ ତାଣ୍ଡବ ରଚିବନି ବରଂ ଅଧିକାଂଶ ଦେଶର ଅର୍ଥନୀତି ଭୁଶୁଡି ପଡିବ। ସେପଟେ ଯୁଦ୍ଧ ଆଶଙ୍କା ଭିତରେ ନିଜ ଦେଶର ନାଗରିକଙ୍କ ପାଇଁ ପରାମର୍ଶ ଜାରି କରି ତୁରନ୍ତ ଲେବାନନ ଛାଡିବାକୁ କହିଛି ଆମେରିକା ।