କାର୍ଗିଲ୍‌ରେ ମିଳିନଥିଲା ଆମେରିକାର ସହଯୋଗ, ଆଜି ନିଜସ୍ୱ ନାଭିଗେସନ୍‌ରେ ଶକ୍ତିଶାଳୀ ଭାରତ

Oct 31, 2026 - 15:20
କାର୍ଗିଲ୍‌ରେ ମିଳିନଥିଲା ଆମେରିକାର ସହଯୋଗ, ଆଜି ନିଜସ୍ୱ ନାଭିଗେସନ୍‌ରେ ଶକ୍ତିଶାଳୀ ଭାରତ

କାର୍ଗିଲ୍ ଯୁଦ୍ଧ ପରେ ନିଜସ୍ୱ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥାର ଆବଶ୍ୟକତା ଅନୁଭବ କରିଥିବା ଭାରତ ଏବେ NavICକୁ ଆହୁରି ଶକ୍ତିଶାଳୀ କରୁଛି। ଇସ୍ରୋର GSLV-F18 ରକେଟ୍‌ ସଫଳତାର ସହ NVS-03 ଉପଗ୍ରହକୁ ଉତ୍‌କ୍ଷେପଣ କରିଛି। ଏହା ଭାରତର ନାଭିଗେସନ୍ କ୍ଷମତା, ସାମରିକ ସ୍ୱାଧୀନତା ଓ ପ୍ରଯୁକ୍ତିଗତ ଆତ୍ମନିର୍ଭରତାକୁ ଆହୁରି ମଜଭୁତ କରିବ। 

 ଦିନେ ଯେଉଁ ଆମେରିକାଠାରୁ ନିଜ ସେନାର ଅବସ୍ଥିତି ଜାଣିବାକୁ GPS ତଥ୍ୟ ମାଗିଥିଲା ଭାରତ, ଆଜି ସେହି ଭାରତ ନିଜସ୍ୱ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥା ଜରିଆରେ ଦେଖାଉଛି ନିଜର ପ୍ରଯୁକ୍ତିଗତ ଶକ୍ତି । ଆମେରିକାର GPS ଉପରେ ନିର୍ଭରଶୀଳତା କମାଇବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଭାରତ । ଇସ୍ରୋର GSLV-F18 ରକେଟ୍‌ ସଫଳତାର ସହ NVS-03 ନାଭିଗେସନ୍ ଉପଗ୍ରହକୁ ମହାକାଶକୁ ପଠାଇଛି । ଏହି ସଫଳତା କେବଳ ଗୋଟିଏ ଉପଗ୍ରହର ଉତ୍‌କ୍ଷେପଣ ନୁହେଁ, ବରଂ ଭାରତର ରଣନୈତିକ ସ୍ୱାଧୀନତା ଓ ମହାକାଶ ପ୍ରଯୁକ୍ତିରେ ଆତ୍ମନିର୍ଭରତାର ଆଉ ଏକ ପରିଚୟ ।

ଶୁକ୍ରବାର ରାତି ୧୧ଟା ୫୧ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ହୋଇଥିଲା GSLV-F18 ରକେଟ୍‌ । ଉଡ଼ାଣର ପ୍ରାୟ ୧୮ ମିନିଟ୍‌ ପରେ ରକେଟ୍‌ରୁ ଅଲଗା ହୋଇ ୨,୨୩୨ କିଲୋଗ୍ରାମ୍ ଓଜନର NVS-03 ଉପଗ୍ରହ ନିଜ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଥିଲା । ଏହା GSLV ରକେଟ୍‌ର ୨୦ତମ ଉଡ଼ାଣ। ଏହି ସଫଳତା ପରେ ଇସ୍ରୋ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ମିଶନ୍‌ ଭାରତର ସ୍ୱଦେଶୀ ନାଭିଗେସନ୍ ବ୍ୟବସ୍ଥା NavICକୁ ଆହୁରି ମଜଭୁତ କରିବା ସହ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ଆଗକୁ ନେବ ବୋଲି ସେ କହିଛନ୍ତି ।

କାର୍ଗିଲ୍ ଯୁଦ୍ଧରୁ ଆରମ୍ଭ ହୋଇଥିଲା ନିଜସ୍ୱ ନାଭିଗେସନ୍‌ର ଯାତ୍ରା

ଭାରତର ଏହି ମହାକାଶ ଶକ୍ତି ପଛରେ ରହିଛି ଏକ ବଡ଼ ଇତିହାସ । ୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧ ସମୟରେ ଭାରତକୁ ସାମରିକ ଅଭିଯାନ ପାଇଁ ଆବଶ୍ୟକ ଅଞ୍ଚଳର ଅବସ୍ଥିତି ସମ୍ପର୍କିତ GPS ତଥ୍ୟ ଦରକାର ପଡ଼ିଥିଲା । ଏଥିପାଇଁ ଆମେରିକାର ସହାୟତା ମଗାଯାଇଥିଲେ ମଧ୍ୟ ତଥ୍ୟ ଦେବାକୁ ଆମେରିକା ମନା କରିଥିବା କଥା ସାମ୍ନାକୁ ଆସିଥିଲା । ଏହି ଘଟଣା ଭାରତକୁ ଏକ ବଡ଼ ଶିକ୍ଷା ଦେଇଥିଲା । ଯୁଦ୍ଧ ହେଉ କି ଜରୁରୀ ପରିସ୍ଥିତି, ନିଜର ସୁରକ୍ଷା ଓ ରଣନୈତିକ ଆବଶ୍ୟକତା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ଠିକ୍ ନୁହେଁ ।

ଏହା ପରେ ଭାରତ ନିଜସ୍ୱ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥା ବିକାଶ କରିବା ଦିଗରେ ଆଗକୁ ବଢ଼ିଥିଲା । ଇସ୍ରୋର ଦୀର୍ଘ ବର୍ଷର ଗବେଷଣା ଓ ପରିଶ୍ରମର ଫଳ ହେଉଛି ‘ନାଭିକ୍‌’ ବା Navigation with Indian Constellation । ଏହା ଭାରତର ନିଜସ୍ୱ ଆଞ୍ଚଳିକ ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥା । ଏବେ NVS-03ର ସଫଳ ଉତ୍‌କ୍ଷେପଣ ଏହି ଯାତ୍ରାକୁ ଆଉ ଏକ ପାଦ ଆଗକୁ ନେଇଛି ।

ଆମେରିକାର GPS ସମଗ୍ର ବିଶ୍ୱରେ ନାଭିଗେସନ୍ ସେବା ଯୋଗାଉଥିବା ବେଳେ ଭାରତର NavIC ମୁଖ୍ୟତଃ ଭାରତ ଓ ଏହାର ସୀମାଠାରୁ ପ୍ରାୟ ୧,୫୦୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ । ତେଣୁ ଉଭୟର କାର୍ଯ୍ୟକ୍ଷେତ୍ର ଅଲଗା । NavICର ଉଦ୍ଦେଶ୍ୟ GPSକୁ ସମ୍ପୂର୍ଣ୍ଣ ବଦଳାଇବା ନୁହେଁ ବରଂ ଭାରତର ନିଜସ୍ୱ ନାଭିଗେସନ୍ କ୍ଷମତା ବଢ଼ାଇ ବିଦେଶୀ ବ୍ୟବସ୍ଥା ଉପରେ ନିର୍ଭରତା କମାଇବା । ଏହା ଦ୍ୱାରା ସାମରିକ ଅଭିଯାନ, ସୀମା ସୁରକ୍ଷା, ପରିବହନ ଓ ଜରୁରୀ ସେବା ପାଇଁ ଭାରତ ନିଜସ୍ୱ ନାଭିଗେସନ୍ ବ୍ୟବସ୍ଥା ଉପରେ ଅଧିକ ଭରସା କରିପାରିବ ।

NVS-03 ହେଉଛି NavICର ଦ୍ୱିତୀୟ ପିଢ଼ିର ଉପଗ୍ରହ ଶୃଙ୍ଖଳାର ତୃତୀୟ ଉପଗ୍ରହ । ଏଥିରେ ସ୍ୱଦେଶୀ ଆଟୋମିକ୍ କ୍ଲକ୍‌ ପ୍ରଯୁକ୍ତି ବ୍ୟବହାର କରାଯାଇଛି । ଏହା ସହ L1, L5 ଓ S ବ୍ୟାଣ୍ଡ୍‌ରେ ସିଗ୍ନାଲ୍‌ ପ୍ରସାରଣ କରିବାର କ୍ଷମତା ରହିଛି । ବିଶେଷକରି L1 ବ୍ୟାଣ୍ଡ୍‌ ଯୋଡ଼ାଯିବା ଦ୍ୱାରା NavICକୁ ସମର୍ଥନ କରୁଥିବା ଅଧିକ ଉପକରଣ ସହ ଏହାର ସୁସଙ୍ଗତତା ବଢ଼ିବାର ଆଶା ରହିଛି ।

NavIC କେବଳ ସାମରିକ କ୍ଷେତ୍ର ପାଇଁ ନୁହେଁ । ଏହାର ଉପଯୋଗିତା ସାଧାରଣ ଜୀବନର ଅନେକ କ୍ଷେତ୍ରରେ ରହିଛି । ମୋବାଇଲ୍‌ରେ ଅବସ୍ଥିତି ଜାଣିବା, ଟ୍ୟାକ୍ସି ଓ ଟ୍ରକ୍‌ର ଟ୍ରାକିଂ, ସମୁଦ୍ରରେ ମାଛଧରାଳିଙ୍କୁ ଦିଗ ଦେଖାଇବା, କୃଷି କାର୍ଯ୍ୟରେ ସ୍ଥାନ ଆଧାରିତ ସୂଚନା ଓ ବନ୍ୟା-ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ଏହା ସହାୟକ ହୋଇପାରିବ । ଏହା ସହ ବିମାନ, ଜାହାଜ, ଦୂରସଂଚାର, ବ୍ୟାଙ୍କିଂ ଓ ବିଦ୍ୟୁତ୍ ଗ୍ରିଡ୍‌ ଭଳି କ୍ଷେତ୍ରରେ ସଠିକ୍ ସମୟ ଓ ଅବସ୍ଥିତି ସୂଚନା ଯୋଗାଇବାରେ ମଧ୍ୟ ଏହାର ଭୂମିକା ରହିପାରିବ ।

ତେବେ ସବୁ ମୋବାଇଲ୍‌ରେ NavIC କାମ କରିବ ନାହିଁ । ଏଥିପାଇଁ ଫୋନ୍‌ରେ ଆବଶ୍ୟକ ହାର୍ଡୱେର୍ ଓ ଫ୍ରିକ୍ୱେନ୍ସି ବ୍ୟାଣ୍ଡ୍‌ର ସମର୍ଥନ ରହିବା ଜରୁରୀ । ଅର୍ଥାତ୍ ଏହାକୁ ସମର୍ଥନ କରୁଥିବା ଉପକରଣରେ ହିଁ ଏହାର ସିଗ୍ନାଲ୍‌ ବ୍ୟବହାର କରିହେବ ।

ଗୋଟିଏ ସମୟରେ GPS ତଥ୍ୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ୁଥିବା ଭାରତ ଆଜି ନିଜସ୍ୱ ନାଭିଗେସନ୍ ବ୍ୟବସ୍ଥାକୁ ଆଧୁନିକ କରିବାରେ ଲାଗିଛି । କାର୍ଗିଲ୍ ଯୁଦ୍ଧର ଅନୁଭବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ମହାକାଶରେ ଭାରତର ବଢ଼ୁଥିବା ପ୍ରଯୁକ୍ତିଗତ ସାମର୍ଥ୍ୟର ପ୍ରମାଣ ଦେଉଛି । NVS-03ର ସଫଳ ଉତ୍‌କ୍ଷେପଣ ଏହି ଆତ୍ମନିର୍ଭର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ।

What's Your Reaction?

like

dislike

love

funny

angry

sad

wow