ପଞ୍ଜାବ ନିର୍ବାଚନ ପାଇଁ ଆପର ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା: ଧୁରୀରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍
ଶନିବାର ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ନିର୍ବାଚନର ଢେର୍ ପୂର୍ବରୁ ପ୍ରାର୍ଥୀ ଘୋଷଣା କରି ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଆପ୍ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛି । ସବୁଠାରୁ ବଡ଼ କଥା ହେଉଛି, ପ୍ରଥମ ତାଲିକାରେ କୌଣସି ନୂଆ ମୁହଁକୁ ସ୍ଥାନ ମିଳିନାହିଁ ।
୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଏବେଠୁ ରାଜନୈତିକ ମାହୋଲ ସରଗରମ । ନିର୍ବାଚନକୁ ଆଖି ଆଗରେ ରଖି ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରସ୍ତୁତି ଜୋରଦାର କରିଛି । ଶନିବାର ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ନିର୍ବାଚନର ଢେର୍ ପୂର୍ବରୁ ପ୍ରାର୍ଥୀ ଘୋଷଣା କରି ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଆପ୍ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛି ।ସବୁଠାରୁ ବଡ଼ କଥା ହେଉଛି, ପ୍ରଥମ ତାଲିକାରେ କୌଣସି ନୂଆ ମୁହଁକୁ ସ୍ଥାନ ମିଳିନାହିଁ । ୪୦ଟି ଆସନରେ ଦଳ ପୁଣିଥରେ ବର୍ତ୍ତମାନର ବିଧାୟକମାନଙ୍କ ଉପରେ ଭରସା କରିଛି। ଅର୍ଥାତ୍ ନିଜର ସମସ୍ତ ସିଟିଂ ବିଧାୟକଙ୍କୁ ଦଳ ପୁନର୍ବାର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସୁଯୋଗ ଦେଇଛି ।
ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପୁଣିଥରେ ନିଜର ପାରମ୍ପରିକ ଆସନ ଧୁରୀରୁ ନିର୍ବାଚନ ଲଢ଼ିବେ । ସେହିପରି ଲୁଧିଆନା ୱେଷ୍ଟ୍ ଆସନରୁ ଜେଲ୍ରେ ଥିବା ବିଧାୟକ ସଞ୍ଜୀବ ଅରୋଡ଼ାଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି । ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅମୃତସର ସାଉଥ୍ରୁ ଡକ୍ଟର ଇନ୍ଦରବୀର ସିଂହ ନିଜ୍ଜର, ଆଜନାଲାରୁ କୁଲଦୀପ ସିଂହ ଧାଲିୱାଲ, କରତାରପୁରରୁ ବଲକାର ସିଂହ, ପାଟିଆଲାରୁ ଅଜିତପାଲ ସିଂହ କୋହଲି, ମୋହାଲିରୁ କୁଲୱନ୍ତ ସିଂହ ଏବଂ କୋଟକପୁରାରୁ କୁଲତାର ସିଂହ ସନ୍ଧୱାନଙ୍କ ନାଁ ରହିଛି ।
ପ୍ରାର୍ଥୀ ଚୟନକୁ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି ଯେ, ଜନସାଧାରଣଙ୍କ ମତାମତ ଏବଂ ବିଧାୟକମାନଙ୍କ କାର୍ଯ୍ୟଦକ୍ଷତାକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାର ୪୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ସହ ପ୍ରାୟ ୩୪ ପ୍ରତିଶତ ଆସନରେ ଦଳ ନିଜର ନିଷ୍ପତ୍ତି ସ୍ପଷ୍ଟ କରିଛି । ଅନ୍ୟପଟେ ଆସନ୍ତା ସପ୍ତାହରେ ଦଳର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସୂଚନା ମିଳିଛି । ଆଗୁଆ ପ୍ରାର୍ଥୀ ଘୋଷଣା କରି ଆପ୍ ନିଜ ପ୍ରାର୍ଥୀମାନଙ୍କୁ ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ ବଢ଼ାଇବା ଏବଂ ସଂଗଠନକୁ ମଜବୁତ କରିବା ପାଇଁ ଅଧିକ ସମୟ ଦେବାକୁ ଚାହୁଁଛି। ଏହାଦ୍ୱାରା ବିରୋଧୀ ଦଳଗୁଡ଼ିକ ଉପରେ ମଧ୍ୟ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଆଗୁଆ ପ୍ରାର୍ଥୀ ଘୋଷଣା ଆପ୍କୁ କେତେ ଫାଇଦା ଦେବ ଏବଂ ୨୦୨୭ରେ ପଞ୍ଜାବର ଭୋଟର କାହାକୁ ବାଛିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
What's Your Reaction?